ମାଟ୍ରିକ୍‌ ଖାତା ମୂଲ୍ୟାୟନର ଦ୍ବିତୀୟ ଦିନ : ସବୁ ପରୀକ୍ଷକ ଆସିଲେନି

ଆଜିଠୁ ୨୩ଟି କେନ୍ଦ୍ରରେ ସବୁ ବିଷୟ ମୂଲ୍ୟାୟନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଗତକାଲିଠାରୁ ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହୋଇଥିବା ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନର ଦ୍ବିତୀୟ ଦିନରେ ମଧ୍ୟ ପରୀକ୍ଷକଙ୍କ ଶତପ୍ରତିଶତ ଉପସ୍ଥାନ ସମ୍ଭବ ହୋଇ ପାରିନାହିଁ। ପ୍ରଥମ ଦିନ ଅପେକ୍ଷା ଆଜି ଅଧିକ ସଂଖ୍ୟକ ପରୀକ୍ଷକ ଯୋଗ ଦେଇଥିଲେ ମଧ୍ୟ କେତେକ ୟୁନିଟ୍‌ରେ ଅଧା ପରୀକ୍ଷକ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଯେଉଁ ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ଅଧିକ କୋଠରି ରହିଛି ବା ଅନ୍ୟ ସୁବିଧାମାନ ଅଛି ସେସବୁ କେନ୍ଦ୍ରରେ ଆସନ୍ତାକାଲିଠୁ ପ୍ରଥମ ଭାଷା (ଓଡ଼ିଆ) ସମେତ ଅନ୍ୟ ସମସ୍ତ ବିଷୟର ମୂଲ୍ୟାୟନ ଆରମ୍ଭ କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଛି। ଏପରିକି କିଛି କେନ୍ଦ୍ରର କ୍ୟାମ୍ପ ଅଫିସର ଓ ସେଣ୍ଟର ସୁପରଭାଇଜର ଆସନ୍ତା କାଲିଠୁ ସମସ୍ତ ବିଷୟ ମୂଲ୍ୟାୟନ କରିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିଥିବା ଜଣାପଡ଼ିଛି।

ବୋର୍ଡ ପକ୍ଷରୁ ଗଲା କାଲିଠାରୁ ରାଜ୍ୟର ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହୋଇଛି। କିନ୍ତୁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଅନୁସାରେ ମୂଲ୍ୟାୟନକୁ ଦୁଇ ପର୍ଯ୍ୟାୟରେ କରାଯିବା ସହିତ ଗୋଟିଏ କେନ୍ଦ୍ରରେ ମୋଟ ୟୁନିଟ୍‌ର ଅର୍ଦ୍ଧେକ ପରୀକ୍ଷକଙ୍କୁ ଡକାଯାଇଥିଲା। ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଏଥିରେ ଗଣିତ, ଇଂରାଜୀ, ଇତିହାସ, ଭୂଗୋଳ ବିଷୟ ଖାତା ଦେଖା ହୋଇଥିଲା। ଗତକାଲି ଅଧା ପରୀକ୍ଷକ ଅନୁପସ୍ଥିତ ଥିବା ବେଳେ ଆଜି ଅଧାରୁ ଅଧିକ ଶିକ୍ଷକ ଆସିଥିବା ଜଣାପଡ଼ିଛି। ଖାତାଦେଖା ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବା ପାଇଁ ଯେଉଁ ସବୁ କେନ୍ଦ୍ରରେ ଅଧିକ କଠୋରି ରହିଛି, ସେସବୁ କେନ୍ଦ୍ରରେ ଆସନ୍ତାକାଲିଠାରୁ ଓଡ଼ିଆ ଖାତା ମୂଲ୍ୟାୟନ କରାଯିବାକୁ ପ୍ରସ୍ତୁତି ହୋଇଛି। ଏପରିକି କିଛି କେନ୍ଦ୍ରରେ ଓଡ଼ିଆ ସମେତ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପାଇଁ ରହିଥିବା ସାଧାରଣ ବିଜ୍ଞାନ, ସଂସ୍କୃତ, ହିନ୍ଦୀ ଆଦି ବିଷୟ ମୂଲ୍ୟାୟନ କରାଯିବାକୁ ମଧ୍ୟ ଯୋଜନା ଚାଲିଛି। ରାଜ୍ୟରେ ଏପରି ୨୩ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର ଗଣିତ, ଇଂରାଜୀ, ଇତିହାସ, ଭୂଗୋଳ ସମେତ ଅବଶିଷ୍ଟ ୪ଟି ବିଷୟ ଖାତା ମୂଲ୍ୟାୟନ କରାଯିବ। ଏହା ଦ୍ବାରା ମୂଲ୍ୟାୟନ ପ୍ରକ୍ରିୟା କମ୍ ଦିନରେ ସରୁଥିବାରୁ କ୍ୟାମ୍ପ ଅଧିକାରୀଙ୍କ ସମେତ ବୋର୍ଡର ଅନ୍ୟ କର୍ମଚାରୀମାନେ ଉତ୍ସାହିତ ଥିବା ସୂଚନା ମିଳିଛି।

ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ଗତକାଲି ଅପେକ୍ଷା ଆଜି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ଅଧିକ ପରୀକ୍ଷକ ଯୋଗ ଦେଇଛନ୍ତି। ଯେଉଁ ସବୁ କେନ୍ଦ୍ରରେ କମ୍ ପରୀକ୍ଷକ ଅଛନ୍ତି ଓ ଅଧିକ ‌ରୁମ୍‌ର ସୁବିଧା ରହିଛି, ସେସବୁ କେନ୍ଦ୍ରରେ ଆସନ୍ତାକାଲିଠାରୁ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଓଡ଼ିଆ ବିଷୟ ଖାତା ମୂଲ୍ୟାୟନ କରାଯିବାକୁ ଚୂଡାନ୍ତ ହୋଇଛି ବୋଲି ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ କଲେଜ ମୂଲ୍ୟାୟନ କେନ୍ଦ୍ରରେ ଆସନ୍ତାକାଲିଠାରୁ ସମସ୍ତ ବିଷୟ ମୂଲ୍ୟାୟନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର