ମେ’ ଦ୍ୱିତୀୟ ସପ୍ତାହରୁ ମାଟ୍ରିକ ଖାତାଦେଖା, ଜୁନ ୨୦ ସୁଦ୍ଧା ଫଳ ପ୍ରକାଶ ଲାଗି ଲକ୍ଷ୍ୟ

ସାମିଲ ହେବେ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ, ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ଶହେ ଛୁଇଁବ

ଭୁବନେଶ୍ୱର, : ମେ’ ଦ୍ୱିତୀୟ ସପ୍ତାହରୁ ପୁଣି ଥରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ମେ’ ୮ରୁ ୧୨ ତାରିଖ ମଧ୍ୟରେ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତ ସପ୍ତାହରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କରୋନା ପାଇଁ ମୂଲ୍ୟାୟନ ବିଳମ୍ବିତ ହୋଇଛି। ମାତ୍ର ଗୋଟିଏ ଦିନ ମୂଲ୍ୟାୟନ ସମ୍ଭବପର ହୋଇଥିବା ବେଳେ ପ୍ରାୟ ୮ ହଜାର ଖାତା ଦେଖା ସରିଛି। ବାକି ଖାତା ମୂଲ୍ୟାୟନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା ପରେ ମୂଲ୍ୟାୟନ କେନ୍ଦ୍ର ଓ ମୂଲ୍ୟାୟାନକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର ହୋଇଛି। ପୂର୍ବରୁ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା, ଏବେ ଏହି ସଂଖ୍ୟାକୁ ଶହେ କରିବାକୁ ଯୋଜନା ହୋଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଏଥରକ ମୂଲ୍ୟାୟନକାରୀଙ୍କ ସଂଖ୍ୟା ବଢ଼ିବ। ତାଲିକାରେ ଥିବା ମୂଲ୍ୟାୟନକାରୀଙ୍କ ବ୍ୟତୀତ ଅପେକ୍ଷାରତ ତାଲିକାରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଡକାଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁଯାୟୀ ଲକ୍‌ଡାଉନ ସରିବାର ସାତ ଦିନରେ ଦଶମ ଶ୍ରେଣୀ ଖାତା ଦେଖା ଆରମ୍ଭ ହେବ। ମୂଲ୍ୟାୟନ ଆରମ୍ଭ ହେବାର ୪୫ ଦିନ ମଧ୍ୟରେ ଖାତା ମୂଲ୍ୟାୟନ ସହ ଫଳ ପ୍ରକାଶ କରାଯିବ। ତେବେ ଲକ୍‌ଡାଉନ ସରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗ୍ରିନ ସିଗନାଲକୁ ଆମେ ଅପେକ୍ଷା କରିବୁ। ଉତ୍ତର ମିଳିବା କ୍ଷଣି ଖାତା ଦେଖା ହେବ। ଖାତା ଦେଖା ଲାଗି ଅଧିକ କେନ୍ଦ୍ର କରାଯିବ, ୱେଟିଂ ଲିଷ୍ଟରେ ଥିବା ଶିକ୍ଷକମାନଙ୍କୁ ଖାତା ଦେଖା ପାଇଁ ନିୟୋଜିତ କରାଯିବ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମେ’ ୧୧ରୁ ଖାତା ଦେଖା ପୁଣି ଥରେ ଆରମ୍ଭ ହେବ। ୨୫ ତାରିଖ ସୁଦ୍ଧା ସମସ୍ତ ଉତ୍ତର ଖାତା ମୂଲ୍ୟାୟନ ଶେଷ ହେବ। ସମସ୍ତ ପ୍ରକ୍ରିୟା ଶେଷ କରି ଜୁନ ୨୦ ସୁଦ୍ଧା ଫଳ ପ୍ରକାଶ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଏଥର ପାଖାପାଖି ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ସାମିଲ ହେବେ। ମୂଲ୍ୟାୟନର ୩ ଦିନ ଆଗରୁ ସମସ୍ତ ମୂଲ୍ୟାୟନକାରୀଙ୍କୁ ସୂଚନା ଦିଆଯିବ। ଫଳରେ ସେମାନେ କେନ୍ଦ୍ରରେ ନିର୍ଧାରିତ ସମୟରେ ପହଞ୍ଚି ପାରିବେ। ମୂଲ୍ୟାୟନ ସମୟରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରାଯିବ। ମୂଲ୍ୟାୟନକାରୀଙ୍କ ମଧ୍ୟରେ ଦୁଇ ମିଟର ଲେଖାଏ ଦୂରତ୍ୱ ରହିବ। ଖାତା ବଣ୍ଟନ ଓ ମୂଲ୍ୟାୟନ ପାଇଁ କିଛି ନିୟମ ଲାଗୁ ହେବ। ମୂଲ୍ୟାୟନ କେନ୍ଦ୍ରକୁ ଯିବା ସମୟରେ ମାସ୍କ ଓ ସାନିଟାଇଜେସନକୁ ପ୍ରାଥମିକତା ଦିଆଯିବ। ମୂଲ୍ୟାୟନ ପୂର୍ବରୁ କେନ୍ଦ୍ରକୁ ଭଲ ଭାବେ ସଫା କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର