ମାଟ୍ରିକ୍ ଖାତା ଦେଖା ୧୯ରୁ, ଆଜି ମୂଲ୍ୟାୟନ କେନ୍ଦ୍ରରେ ଯୋ‌ଗଦେବେ ପରୀକ୍ଷକ

କରୋନା ପାଇଁ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା
ସବୁ କେନ୍ଦ୍ରରେ ହ୍ୟାଣ୍ଡୱାସ୍, ମାସ୍କ, ସାବୁନ ରହିବ
ଏକକାଳୀନ ପ୍ରବେଶ କରିବେନି ସବୁ ପରୀକ୍ଷକ
ମୂଲ୍ୟାୟନ କେନ୍ଦ୍ରରୁ ଅନ୍‌ଲାଇନ୍‌ରେ ଫାର୍ମକୁ ଯିବ ମାର୍କ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ( ବୋର୍ଡ) ପକ୍ଷରୁ ମାର୍ଚ ୧୯ ତାରିଖରୁ ମାଟ୍ରିକ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ୧୮ତାରିଖରେ ସମସ୍ତ ପରୀକ୍ଷକ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇ ମୂଲ୍ୟାୟନ ସଂପର୍କରେ ପ୍ରଶିକ୍ଷଣ ନେବେ। ୧୯ତାରିଖ ଗୁରୁବାରଠାରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ପ୍ରଥମେ ପାର୍ଟ-୧(ସଂକ୍ଷିପ୍ତ ଉତ୍ତରମୂଳକ) ଓ ପରେ ପାର୍ଟ-୨(ଦୀର୍ଘ ଉତ୍ତରମୂଳକ) ଖାତା ମୂଲ୍ୟାୟନ କରାଯିବ। ମୂଲ୍ୟାୟନ କାର୍ଯ୍ୟ ଏପ୍ରିଲ୍ ୧୦ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି।

ଚଳିତ ବ‌ର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାରେ ମୋଟ ୫ଲକ୍ଷ ୬୨ହଜାର ୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବ‌େଳେ ମୂଲ୍ୟାୟନ ପାଇଁ ମୋଟ ୬୧ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଛି। ମୂଲ୍ୟାୟନ କାର୍ଯ୍ୟ ପାଇଁ ୭୮୮ଜଣ ମୁଖ୍ୟ ପରୀକ୍ଷକ, ୧୫୩୬ଜଣ ଉପ ପରୀକ୍ଷକ, ୧୧ହଜାର ୮୩୭ଜଣ ସହକାରୀ ପରୀକ୍ଷକ ଓ ୧୫୭୬ଜଣ ସ୍କ୍ରୁଟିନାଇଜର ନିଯୁକ୍ତି ହୋଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୫ଲକ୍ଷ ୪୭ହଜାର ୭୮୫ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୫୩ ମୂଲ୍ୟାୟନ କେନ୍ଦ୍ର, ମୁକ୍ତ ବିଦ୍ୟାଳୟରେ ୯ ହଜାର ୭୭୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୪ଟି ମୂଲ୍ୟାୟନ କେନ୍ଦ୍ର ଓ ମଧ୍ୟମା ପରୀକ୍ଷାରେ ୪ ହଜାର ୫୮୧ଜଣ ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାୟନ ପାଇଁ ୪ଟି କେନ୍ଦ୍ର ଚୟନ ହୋଇଛି। ପୂର୍ବବର୍ଷ ଭଳି ଚଳିତ ବ‌ର୍ଷ ମଧ୍ୟ ମୂଲ୍ୟାୟନ କେନ୍ଦ୍ରରୁ ମାର୍କ ପୋଷ୍ଟିଂ ସିଧାସଳଖ କମ୍ପ୍ୟୁଟର ଫାର୍ମକୁ ପଠାଯିବାକୁ ସ୍ଥିର ହୋଇଛି। ସପ୍ତାହେ ତଳେ ମୂଲ୍ୟାୟନ ପାଇଁ ଚୟନ ହୋଇଥିବା ପରୀକ୍ଷକଙ୍କ ନିଯୁକ୍ତିପତ୍ରକୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଛଡାଯିବା ସହିତ ଏହି ନିଯୁକ୍ତିପତ୍ରକୁ ଡାଉନ୍‌ଲୋଡ କରି ସଂପୃକ୍ତ ଶିକ୍ଷକମାନଙ୍କୁ ହସ୍ତାନ୍ତର କରିବାକୁ ବିଦ୍ୟାଳୟ ମୁଖ୍ୟମାନଙ୍କୁ କୁହାଯାଇଛି।

କରୋନା ପାଇଁ ଖାତା ମୂଲ୍ୟାୟନ ଯେପରି ପ୍ରଭାବିତ ନ ହୁଏ ସେଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ‌ଦେଇଛନ୍ତି। ସଭାପତି ଶ୍ରୀ ହାଜରା କହିଛନ୍ତି, ମୂଲ୍ୟାୟନ କେନ୍ଦ୍ରରେ ରହିଥିବା ସମସ୍ତ ଆସବାବପତ୍ରକୁ ସାନିଟାଇଜ୍ କରାଯାଇଛି। ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକମାନଙ୍କ ପାଇଁ ସାବୁନ୍, ହ୍ୟାଣ୍ଡ୍‌ୱାସ୍ ଆଦି ଯୋଗାଇ‌ ଦିଆଯିବା ସହିତ ଶିକ୍ଷକମାନେ ଯେପରି ନିଜ ନିଜ ମଧ୍ୟ୍ୟରେ ଯଥେଷ୍ଟ ବ୍ୟବଧାନ ରଖି ବସିବେ, ସେଥି ଭଳି ବନ୍ଦୋବସ୍ତ ହୋଇଛି। ଏହା ସହ ମୂଲ୍ୟାୟନ ପାଇଁ ସମସ୍ତ ଶିକ୍ଷକଙ୍କୁ ଏକକାଳୀନ ନ ଡାକି ଭିନ୍ନ ଭିନ୍ନ ସମୟରେ ଡକାଯାଇଛି। ସେହିପରି ସେମାନେ ଏକକାଳୀନ ମୂଲ୍ୟାୟନ କେନ୍ଦ୍ର ପରିତ୍ୟାଗ ନ କରି ଅଲଗା ଅଲଗା ସମୟରେ ଛାଡିବାର ବ୍ୟବସ୍ଥା ହୋଇଛି। ଏହା ଦ୍ବାରା ଶିକ୍ଷକମାନେ ଏକାଠି ବା ଗଳହି ହେବାରୁ ନିବୃତ୍ତ ରହିବେ। କରୋନା ପାଇଁ ଜାରି ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗାଇଡ୍‌ଲାଇନ୍‌କୁ ମୂଲ୍ୟାୟନ କେନ୍ଦ୍ରରେ ଅନୁସରଣ କରାଯିବା ବ୍ୟବସ୍ଥା ହୋଇଛି ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି। ଏପର୍ଯ୍ୟନ୍ତ କୌଣସି ଶିକ୍ଷକ କରୋନା ଭାଇରସ୍ ବ୍ୟାପିକା ନେଇ ଅନୁପସ୍ଥିତ ରହିବେ ବୋଲି କିଛି ଖବର ଆସିନାହିଁ ବୋଲି ସଭାପତି ଶ୍ରୀ ହଜାର କହିଛନ୍ତି। ମୂଲ୍ୟାୟନ ପାଇଁ ୧୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ମୂଲ୍ୟାୟନ ଯେପରି ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ ହେବ ସେ ଦିଗରେ ବୋର୍ଡ ଗୁରୁତ୍ବ ଦେଉଥିବା ସଭାପତି ଶ୍ରୀ ହାଜରା କହିଛନ୍ତି।

ସମ୍ବନ୍ଧିତ ଖବର