ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ଚାପରେ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣକ ହେଲେ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ତଲିଉଡ଼ାର ଗ୍ରାମର ବିନାୟକ ପଧାନ। ତେବେ, ପରିବାର ଲୋକଙ୍କ ଅଭିଯୋଗପରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ବିନାୟକ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବିଶ୍ୱାତ୍ମା ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ର। ଗତ ୫ ବର୍ଷ ହେବ ସେ ଉକ୍ତ ସ୍କୁଲ୍ର ଛାତ୍ରାବାସରେ ରହି ପାଠ ପଢୁଥିଲେ। ପରୀକ୍ଷା ପ୍ରସ୍ତୁତି ପାଇଁ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼ାପଢ଼ି କରି ଶୋଇଥିଲେ। ସକାଳୁ ସ୍କୁଲର ଗାଧୁଆ ଘରେ ତାଙ୍କର ମୃତଦେହ ଏକ ଗାମୁଛାରେ ଝୁଲୁଥିବା ଅବସ୍ଥାରେ ସାଙ୍ଗମାନେ ଦେଖିଥିଲେ ଏବଂ ମୃତଦେହକୁ ଓହ୍ଲାଇ ଦେଇଥିଲେ। ପରେ ସ୍କୁଲ୍ କର୍ତ୍ତୃପକ୍ଷ ବିନାୟକଙ୍କୁ ଭୀମଭୋଇ ମେଡିକାଲକୁ ନେବାସହ ପରିବାରବର୍ଗଙ୍କୁ ଖବର ଦେଇଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ପରିବାରବର୍ଗ ମେଡିକାଲ୍କୁ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ କିମ୍ବା ପରିବାରବର୍ଗ ପହଞ୍ଚିବା ପୂର୍ବରୁ ଶବକୁ କାହିଁକି ତଳକୁ ଓହ୍ଲାଇ ଦିଆଯାଇଥିଲା? ଆତ୍ମହତ୍ୟା ଭଳି ଘଟଣାରେ ସାଥୀ ଛାତ୍ରମାନେ କିପରି ଶବକୁ ଓହ୍ଲାଇବାକୁ ସାହସ କଲେ? ପରିବାରବର୍ଗ ଏହିଭଳି ପ୍ରଶ୍ନ ଉଠାଇବା ସହିତ ବିନାୟକଙ୍କୁ କେହି ମାରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୁଲିସ ଓ ଉପଜିଲ୍ଲାପାଳ ମେଡିକାଲରେ ପହଞ୍ଚି ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତେବେ, ପରିବାରବର୍ଗଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।