ମାଟ୍ରିକ୍‌ ପ୍ରଶ୍ନପତ୍ରରେ ବିଭ୍ରାଟ : ବ୍ୟାଙ୍କିଙ୍ଗ୍‌ ବଦଳରେ ବୀମା ପ୍ରଶ୍ନ

ରେମଣ୍ଡା : ପ୍ରଥମଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍‌। ଏହାପରେ, ଇଂରାଜୀ ଓ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ପ୍ରଶ୍ନ ଉଠିଥିଲେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ଏପରି ଅବସ୍ଥାରେ ଆଜି ପ୍ରଶ୍ନପତ୍ରରେ ବିଭ୍ରାଟ ଭଳି ଅଭିଯୋଗ ଆସିଛି। ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ବ୍ୟାଙ୍କିଙ୍ଗ୍ ବଦଳରେ ବୀମା ସଂକ୍ରାନ୍ତୀୟ ପ୍ରଶ୍ନ ରହିଛି। ଯଦି, ସତ ହୋଇଥାଏ ଏହା ଏକ ସାଂଘାତିକ ତ୍ରୁଟି ବୋଲି ଛାତ୍ରଛାତ୍ରୀ, ଅଭିଭାବକ କହିଛନ୍ତି।

ଆଜି ହିନ୍ଦୀ ସହିତ ଧନ୍ଦାମୂଳକ ଶିକ୍ଷାର ଆଇଟି ଏବଂ  ବ୍ୟାଙ୍କିଙ୍ଗ୍ ଓ ବିତ୍ତୀୟ ସେବା ବିଷୟ ପରୀକ୍ଷା ଥିଲା। ମାତ୍ର ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରଶ୍ନ ପତ୍ରରେ ବ୍ୟାଙ୍କିଙ୍ଗ୍ ବଦଳରେ ବୀମା ସଂକ୍ରାନ୍ତୀୟ ପ୍ରଶ୍ନ ରହିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଉତ୍ତର ଲେଖିବାକୁ ସକ୍ଷମ ହୋଇନଥିଲେ। ପରୀକ୍ଷା ପରେ ସେମାନଙ୍କୁ କାନ୍ଦିବାର ଦେଖିବାକୁ ମିଳିଥିଲା। ଅତାବିରା ବ୍ଲକ୍‌ ପତ୍ରାପାଲି ଗ୍ରାମ ପଞ୍ଚାୟତ ହାଇସ୍କୁଲ୍‌ କେନ୍ଦ୍ରରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଛାତ୍ରଛାତ୍ରୀମାନେ ରେମଣ୍ଡା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୁନଃ ବ୍ୟାଙ୍କିଙ୍ଗ୍‌ ବିଷୟ ପରୀକ୍ଷା କରାଯିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ଜଣେ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ, ‘ ବରଗଡ ଜିଲ୍ଲା ଭେଡେନ ବ୍ଳକ ରେମଣ୍ଡା ହାଇସ୍କୁଲ୍‌ରେ ହିନ୍ଦୀ, ସଂସ୍କୃତ ବିଷୟ ପ୍ରତି ବଦଳରେ ଇଚ୍ଛାମୂଳକ ବିଷୟରେ ଧନ୍ଦାମୂଳକ ଶିକ୍ଷାର ଦୁଇଟି ବିଷୟ ଆଇଟି ଏବଂ ବ୍ୟାଙ୍କିଙ୍ଗ୍ ଓ ବିତ୍ତୀୟ ସେବା ରହିଛି। ଫଳରେ ଧନ୍ଦାମୂଳକ ଶିକ୍ଷାର ଉଭୟ ବିଷୟରେ ସ୍କୁଲ୍‌ର ୨୫ ଜଣ ଲେଖାଏଁ କରି ମୋଟ ୫୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ମାତ୍ର ବୋର୍ଡରୁ ଆସିଥିବା ପ୍ରଶ୍ନପତ୍ରରେ ବ୍ୟାଙ୍କିଙ୍ଗ୍ ବଦଳରେ ବୀମା ପ୍ରଶ୍ନ ପତ୍ର ବ୍ୟାଙ୍କିଙ୍ଗ୍ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବାରୁ ସେମାନେ ଉତ୍ତର ଲେଖିପାରିନଥିଲେ।’

ଅନ୍ୟପକ୍ଷରେ, ସମ୍ବଲପୁର ବୋର୍ଡ ଅଫିସ ସହ ଯୋଗାଯୋଗ କରାଯିବାରୁ ଆଜି ବ୍ୟାଙ୍କିଙ୍ଗ, ବିତ୍ତୀୟ ସେବା ସହ ବୀମା ମଧ୍ୟ ରହିଥିବା ଏବଂ ଏ ସଂକ୍ରାନ୍ତରେ ପରୀକ୍ଷା କେନ୍ଦ୍ର ଗୁଡ଼ିକ ଜଣାଇଦିଆଯାଇଥିବା କୁହାଯାଇଛି।

ତେବେ, ବୋର୍ଡ କର୍ତ୍ତୃପକ୍ଷଙ୍କ ମାତ୍ର ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ଅଭ୍ୟାସ ପୁସ୍ତିକାରେ କେବଳ ବ୍ୟାଙ୍କିଙ୍ଗ୍‌ ଓ ବିତ୍ତୀୟ ସେବା ଉଲ୍ଲେଖ ରହିଛି। ଏଭଳି ସ୍ଥଳେ ଶିକ୍ଷା ବିଭାଗ ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର