ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ୍‌ ୨୪ରୁ, ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ବ

ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବି ରହିବେ, ଆଜିଠୁ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମାର୍କ ଯାଞ୍ଚ୍

କଟକ: ଆସନ୍ତା ୨୪ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ୍ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବ୍‌ସାଇଟ୍‌ରେ ପ୍ରଦତ୍ତ ଅନ୍‌ଲାଇନ୍‌ ଲିଙ୍କ୍‌ରେ କରାଯିବ। ମାର୍କ ଅପ୍‌ଲୋଡ୍ ପାଇଁ ବୋର୍ଡ ଅନ୍‌ଲାଇନ୍‌ ଲିଙ୍କ୍ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଉପଲବ୍‌ଧ ହେବ। ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକ ନିଜ ସ୍କୁଲ ସହିତ ସଂଶ୍ଳିଷ୍ଟ ସ୍କୁଲମାନଙ୍କ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍‌ଲୋଡ୍ କରିବେ।

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ସମେତ ଦଶମ ଶ୍ରେଣୀର ଦ୍ବିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାର ବ୍ୟକ୍ତିଗତ ବିଷୟର ସର୍ବାଧିକ ନମ୍ବରଟିକୁ ଅପ୍‌ଲୋଡ୍ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ପିଲାର ମାର୍କ ଅପ୍‌ଲୋଡ କରିବାପରେ ମେଣ୍ଟର ସ୍କୁଲ ପ୍ରଧାନଶିକ୍ଷକ ‘ସେଭ୍‌ ବଟନ୍’ ମାରିବେ। ସଂପୃକ୍ତ ପିଲାର ମାର୍କ ‘ସେଭ୍’ ହେବାପରେ ଏହା ଅନ୍ୟ ଜଣେ ଶିକ୍ଷକଙ୍କ ଦ୍ବାରା ଯାଞ୍ଚ୍‌ କରାଯାଇ ‘ଅପ୍‌ଡେଟ୍ ବଟନ୍’ ମରାଯିବ।‌ ମେଣ୍ଟର ସ୍କୁଲ କର୍ତ୍ତୃପକ୍ଷ ମାର୍କ ‌ଏଣ୍ଟ୍ରିରେ ଶତ ପ୍ରତିଶତ ନିଶ୍ଚିତ ହେବାପରେ ‘ଫାଇନାଲ୍ ସବ୍‌ମିସନ୍‌ ବଟନ୍’ ମାରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଥରେ ଫାଇନାଲ୍ ସବ୍‌ମିସନ୍ ବଟନ୍ ମାରିବାପରେ ଆଉ ‌ସଂଶୋଧନ କରାଯାଇ ପାରିବନାହିଁ। ‌ଯଦି କୌଣସି ଛାତ୍ରଛାତ୍ରୀଙ୍କ ‌କ୍ଷେତ୍ରରେ କୌଣସି ବିଷୟରେ ମାର୍କ ଦିଆଯାଇନାହିଁ, ସେ କ୍ଷେତ୍ରରେ ସେମାନେ ‘ଏବିଏସ୍‌’ ଲେଖି ସବ୍‌ମିଟ୍ କରି‌ପାରିବେ। ମାର୍କ ଅପ୍‌ଲୋଡ୍ ସଂକ୍ରାନ୍ତ ସମସ୍ତ ସୂଚନା ଓ ନିର୍ଦ୍ଦେଶାବଳୀ ବୋର୍ଡ ପକ୍ଷରୁ ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍‌ଧ ହେଉଛି।

ଏ ବିଷୟରେ ମେଣ୍ଟର ସ୍କୁଲ ସମେତ ଅନ୍ୟ ସ୍କୁଲମାନଙ୍କୁ ସୂଚନା ମଧ୍ୟ ପଠାଇ ଦିଆଯାଇଛି। ମେ ୧୨ ତାରିଖରୁ ମେଣ୍ଟର୍‌ ସ୍କୁଲ ପରିସରରେ ଚାଲିଥିବା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଯାଞ୍ଚ ଏବେ ଶେଷ ହୋଇଛି। ମେ ୧୭ ତାରିଖ ମଧ୍ୟରେ ମେଣ୍ଟର ସ୍କୁଲ ପକ୍ଷରୁ ଯାଞ୍ଚ ହୋଇଥିବା ସଂପୃକ୍ତ ବିଦ୍ୟାଳୟର ମାର୍କ ରେଜିଷ୍ଟ୍ରାର ଓ ବୋର୍ଡ ପ୍ରଦତ୍ତ ଟାବୁଲେସନ୍‌ ରେଜିଷ୍ଟରର ଦୁଇଟି ଲେଖାଏ କପି ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ମେ୧୯ ତାରିଖରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୁଇଟି ସେଟ୍‌ର ଯାଞ୍ଚ କରାଯିବ। ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ବରେ ସଂପୃକ୍ତ ଜିଲ୍ଲାର ବ୍ଲକ୍ ଶିକ୍ଷାଧିକାରୀ, ବରିଷ୍ଠ ପ୍ରଧାନଶିକ୍ଷକମାନଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠିତ ହୋଇଛି। ଏହି କମିଟି ଦ୍ବାରା ଆସନ୍ତା ୨/୩ ଦିନ ମଧରେ ମେଣ୍ଟର ସ୍କୁଲ ଦାଖଲ କରିଥିବା ଦୁଇଟି ସେଟ୍‌ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯାଇ ପୁଣି ମେଣ୍ଟର ସ୍କୁଲକୁ ଗୋଟିଏ ସେଟ୍‌ ଡକ୍ୟୁମେଣ୍ଟ ଫେରାଇ ଦିଆଯିବ। ଏହି ଡକ୍ୟୁମେଣ୍ଟ ମିଳିବାପରେ ମେ ୨୪ ତାରିଖକୁ ବୋର୍ଡ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଲିଙ୍କ୍‌ରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ କରାଯିବ। ମାର୍କ ଅପଲୋଡ କାର୍ଯ୍ୟ ସଂପୂର୍ଣ୍ଣ ‌ଗୋପନୀୟ ଭାବେ କରାଯିବାକୁ ବୋର୍ଡ ପକ୍ଷରୁ ମେଣ୍ଟର ସ୍କୁଲମାନଙ୍କୁ ‌ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର