ଭୁବନେଶ୍ୱର: ୨୦୧୬ ଡିସେମ୍ବରରୁ ୨୦୮ ହାଇସ୍କୁଲରେ ଖୋଲିଛି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ। ପିଲାଙ୍କୁ କର୍ମନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ପ୍ରଚଳିତ ଏହି ପାଠ୍ୟକ୍ରମ ଗୋଟିଏ ବର୍ଷ ନ ବିତୁଣୁ ବାଟବଣା ହୋଇଯାଇଛି। ଫେବ୍ରୁଆରି ୨୩ରୁ ମାଟ୍ରିକ୍ ପରୀକ୍ଷା ହେବାକୁ ଥିବା ବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରିନି ଧନ୍ଦାମୂଳକ ଶିକ୍ଷାର ପାଠ୍ୟପୁସ୍ତକ। ଏହାକୁ ନେଇ ଶିକ୍ଷକମାନେ ଅଭିଭାବକଙ୍କ ପ୍ରଶ୍ନବାଣର ଶିକାର ହେଉଥିବା ବେଳେ ହିନ୍ଦୀ, ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ବିଷୟ ଭାବେ ନେଇଥିବା ପିଲାମାନେ ପରୀକ୍ଷା ଲାଗି କିଭଳି ପ୍ରସ୍ତୁତ ହେବେ ଚିନ୍ତାରେ ପଡ଼ିଛନ୍ତି।
ରାଜ୍ୟର ୨୦୮ ବିଦ୍ୟାଳୟ ମଧ୍ୟରୁ ୩୦ଟିରେ ଗୋଟିଏ ଲେଖାଏ ବିଷୟ ଏବଂ ୧୭୮ଟିରେ ଦୁଇଟି ଲେଖାଏ ବିଷୟ ରହିଛି। ଆଇଟି ଆଣ୍ଡ ଆଇଟିଇଏସ୍ ବିଷୟ ସମସ୍ତ ବିଦ୍ୟାଳୟରେ ରହିଛି। ୩୪ଟି ବିଦ୍ୟାଳୟରେ ରିଟେଲ୍, ୯୫ଟିରେ ଟ୍ରାଭେଲ୍ ଆଣ୍ଡ ଟୁରିଷ୍ଟ ଏବଂ ୪୯ଟିରେ ବିଏଫ୍ଏସ୍ଆଇ ପାଠ୍ୟକ୍ରମରେ ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ପ୍ରତି ଟ୍ରେଡ୍ରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏଥିପାଇଁ ୩୮୬ ଜଣ ପ୍ରଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଇଛି। ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ୱତନ୍ତ୍ର ସମୟ ସାରଣୀ ନିର୍ଧାରଣ କରାଯିବା ସହ ପିଲାଙ୍କୁ ଶିଳ୍ପାୟନ ପରିଦର୍ଶନ, ଅତିଥି ଅଧ୍ୟାପକ ପାଇଁ ବ୍ୟବସ୍ଥା ହୋଇଛି। ପିଲାମାନେ ୬୦ ମାର୍କର ପ୍ରାକ୍ଟିକାଲ ଏବଂ ୪୦ ମାର୍କର ଥିଓରି ପରୀକ୍ଷା ଦେବାର ବି ନିୟମ ରହିଛି।
ହେଲେ ନିର୍ଧାରିତ ସମୟରେ କିଛି ହୋଇପାରି ନାହିଁ। ଗତବର୍ଷ ୯ମ ଶ୍ରେଣୀରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ନେଇଥିଲେ। କିନ୍ତୁ ନିର୍ଧାରିତ ସମୟରେ ସେମାନଙ୍କ ପରୀକ୍ଷା ହୋଇପାରିଲା ନାହିଁ। ଗତ ସେପ୍ଟେମ୍ବର ମାସରେ ବିନା ପାଠ୍ୟପୁସ୍ତକରେ ସେମାନେ ପରୀକ୍ଷା ଦେଇଛନ୍ତି। ଏବେ ଦଶମ ଶ୍ରେଣୀରେ ବି ସେମାନେ ସମାନ ଅବସ୍ଥା ଭୋଗୁଛନ୍ତି। ୨୦୧୮ ଫେବ୍ରୁଆରି ୨୮ରେ ତୃତୀୟ ଭାଷା ପରୀକ୍ଷା ହିନ୍ଦୀ, ସଂସ୍କୃତ ବିଷୟ ସହ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପିଲାମାନେ ବି ପରୀକ୍ଷା ଦେବେ। କିନ୍ତୁ ବହି ନାହିଁ। କେବଳ ଭୁବନେଶ୍ୱରକୁ ଛାଡ଼ି ପୁରୀରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁଠି ଏଭଳି ସମସ୍ୟା ଲାଗିରହିଛି।
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ରାମ୍ସା) ପକ୍ଷରୁ ବିଭିନ୍ନ ଘରୋଇ ସଂସ୍ଥାକୁ ଏହି ପାଠ୍ୟକ୍ରମର ପରିଚାଳନା ଦାୟିତ୍ୱ ଦିଆଯାଇଛି। ହେଲେ ସେମାନେ ଠିକ୍ ଭାବେ କାର୍ଯ୍ୟ ତୁଲାଉ ନାହାନ୍ତି। ଶିକ୍ଷକମାନଙ୍କ ନିର୍ଧାରିତ ସମୟରେ ଦରମା ମିଳୁ ନ ଥିବା ବେଳେ ଏପର୍ଯ୍ୟନ୍ତ ପିଲାଙ୍କୁ ଯୋଗାଣ ହୋଇନି। ପାଠ୍ୟକ୍ରମ ଅନୁଯାୟୀ ବି ବଜାରରେ ପାଠ୍ୟପୁସ୍ତକ ମିଳୁନି। ତେଣୁ ଶିକ୍ଷକମାନେ ଏନେଇ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ହ୍ଵାଟ୍ସଅପ୍ରେ ସିଲାବସ୍ ପଠାଇ ଦେଉଛନ୍ତି। ତାହାକୁ ଦେଖି ପିଲାଙ୍କୁ ପଢ଼ାଇବାକୁ କହୁଛନ୍ତି। ଶିକ୍ଷକମାନେ ମଧ୍ୟ ତାହାକୁ ଦେଖି ପିଲାଙ୍କୁ ନୋଟ୍ ଡାକୁଛନ୍ତି। ଏହାକୁ ନେଇ ଅଭିଭାବକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେବେ ପିଲାଙ୍କୁ ବହି ମିଳିବ ସେନେଇ ଏକ ସଂସ୍ଥାର କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ କହିପାରିବୁନୁ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାର। ଏନେଇ ରାମ୍ସା ନିର୍ଦେଶକ ଏମ୍.ମୁଥୁକୁମାର କହିଛନ୍ତି ଯେ ଏବେ କାର୍ଯ୍ୟରେ ଯୋଗଦେଇଛି। କ’ଣ ସମସ୍ୟା ହୋଇଛି ସେନେଇ ଆଲୋଚନା କରିବି। ପିଲାଙ୍କୁ ଯେପରି ଶୀଘ୍ର୍ର ବହି ମିଳିପାରିବ ସେଦିଗରେ ପଦକ୍ଷେପ ନିଆଯିବ।