କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୨) ପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ସକାଳ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ।

Advertisment

ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ରହିବ। ମାଟ୍ରିକ ରେ‌ଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ। ସେହିପରି ମଧ୍ୟମାର ରେଗୁଲାର, ଏକ୍ସ ରେଗୁଲାର ଓ ଓପନ୍‌ ସ୍କୁଲର ପୁରୁଣା, ନୂଆ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ମଧ୍ୟ ସମାନ ରହିବ। ଏଏସ୍‌-୧ ଭଳି ଏସ୍‌ଏ-୨ର ପ୍ରଶ୍ନପତ୍ର ଢ଼ାଞ୍ଚା ସମାନ ରହିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ଆସିବ ଯାହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ଆସିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ଅର୍ଥାତ୍‌ ଗଣିତ ପରୀକ୍ଷା ଅବଧି ୨ଘଣ୍ଟା ୧୫ ମିନିଟ୍ ରହିବ।

publive-image Education Bytes

ବୋର୍ଡ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ), ୧୩ ତାରିଖ ସୋମବାର ଦିନ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୧୪ତାରିଖ ମଙ୍ଗଳବାର ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ), ୧୬ତାରିଖ ଗୁରୁବାର ସାଧାରଣ ବିଜ୍ଞାନ, ୧୮ତାରିଖ ଶନିବାର ସାମାଜିକ ବିଜ୍ଞାନ, ୨୦ ତାରିଖ ସୋମବାର ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ‌ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବ୍ରୁଆରି ୧୫ରୁ ୧୮ତାରିଖ ମଧ୍ୟରେ ଅନୁ‌ଷ୍ଠିତ ହେବ।

ମଧ୍ୟମା(ସଂସ୍କୃତ‌ ଟୋଲ) ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ରେ ପେପର-୪(ଓଡ଼ିଆ), ମାର୍ଚ୍ଚ ୧୩ ରେ ପେପର-୮(ଇଂରାଜୀ), ମାର୍ଚ୍ଚ ୧୪ ରେ ପେପର-୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ ରେ ପେପର-୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର-୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର-୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର-୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର-୫(ଗଣିତ) ପରୀକ୍ଷା ହେବ। ମଧ୍ୟମାରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ବିଷୟ ପରୀକ୍ଷାରେ ୩୦ ନମ୍ବର ସବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ଅବ୍‌ଜେକ୍ଟିଭ୍ ଏହିପରି ମୋଟ ୬୦ ନମ୍ବର ପରୀକ୍ଷା ହେବ। ଅନ୍ୟ ବିଷୟରେ ୩୦ ମାର୍ଚ୍ଚ ସବ୍‌ଜେକ୍ଟିଭ୍ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପରୀକ୍ଷା କରାଯିବ।

publive-image

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟରେ ମୋଟ ୫ଲକ୍ଷ ୪୧ହଜାର ୨୪୭ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ପରୀକ୍ଷା ପାଇଁ ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ର ଚୟନ ହୋଇଥିବା ବେଳେ ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ମୋଟ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷାଧିକାରୀ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ, ପରୀକ୍ଷା କେନ୍ଦ୍ର ମୋବାଇଲ୍ ଫୋନ୍ ସଂପୂର୍ଣ୍ଣ ବାରଣ କରାଯାଇଛି। ସ୍ବଚ୍ଛ ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ। ପ୍ରସ୍ତୁତି ସମୟରେ ପାଠ୍ୟପୁସ୍ତକ ହିଁ ଗୁରୁତ୍ବ ଦିଅନ୍ତୁ। ପାଠ୍ୟପୁସ୍ତକରୁ ସମସ୍ତ ପ୍ରଶ୍ନ ଆସିଛି ବୋଲି ଡକ୍ଟର ମହାନ୍ତି ପିଲାଙ୍କୁ ପରାମର୍ଶ ଦେଇଛନ୍ତି।