ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା !

ପରୀକ୍ଷା ଦେବେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ସମଗ୍ର ରାଜ୍ୟରୁ ପ୍ରାୟ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ୨ ହଜାର ୯୫୩ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ଲିକ୍ ରୋକିବାକୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୭ ଶହ ନୋଡାଲ ସେଣ୍ଟର କରାଯାଇଛି । ଗତକାଲି ଠାରୁ ନୋଡାଲ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ପହଂଚି ସାରିଛି ।

ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ବୋର୍ଡକୁ ହରଡଘଣାରେ ପକାଉଥିବାରୁ ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଂଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚାଇବା ପାଇଁ ବୋର୍ଡ ପକ୍ଷରୁ ୭୦୧ଟି ଟିମ୍ ଗଠନ କରାଯାଇଛି । ଏହି ଟିମରେ ଜଣେ ଲେଖାଏଁ ପୁଲିସ ରହିବେ । ପ୍ରଶ୍ନପତ୍ର ସକାଳ ୬ଟାରୁ ୮ ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । ପ୍ରଶ୍ନପତ୍ରକୁ ତ୍ରିସ୍ତରୀର କଭର ବ୍ୟବସ୍ଥା ଅଣାଯିବ । ସକାଳ ୯ଟାରୁ ୯ଟା ୩୦ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୯ଟା ୪୫ରେ ପ୍ରଶ୍ନପତ୍ର ଖୋଲାଯିବ । ପ୍ରଶ୍ନପତ୍ର ଖୋଲିବା ସମୟରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଉପସ୍ଥିତି ରହିବେ । ମାଟ୍ରିକ ପରୀକ୍ଷାର ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।

ସମ୍ବନ୍ଧିତ ଖବର