ଏପ୍ରିଲ ୨୯ରୁ ମାଟ୍ରିକ୍‌ ପରୀକ୍ଷା, ନିଜ ସ୍କୁଲ୍‌ରେ ପରୀକ୍ଷା, ଅନ୍ୟ ସ୍କୁଲ୍‌ ଶିକ୍ଷକ ଜଗିବେ

ତିନୋଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଧାରଣ, ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବ ବିଏସ୍‌ଇ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ୱାରା ପରିଚାଳିତ ଚଳିତବର୍ଷର ହାଇସ୍କୁଲ(ମାଟ୍ରିକ୍‌), ମଧ୍ୟମା(ସଂସ୍କୃତ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ସମିଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ-୨) ପରୀକ୍ଷା ଅଫ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଯେତେଦୂର ସମ୍ଭବ, ପରୀକ୍ଷା ନିଜ ସ୍କୁଲରେ କରାଯିବ ଏବଂ ଏହା ପରିଚାଳନା ପାଇଁ ଅନ୍ୟ ବିଦ୍ୟାଳୟର ଶିକ୍ଷକ ନିୟୋଜିତ ହେବେ। ଆବଶ୍ୟକସ୍ଥଳେ ଯଦି କୌଣସି କାରଣରୁ କେଉଁ ବିଦ୍ୟାଳୟରେ ପରୀକ୍ଷା କରାଯାଇପାରିବ ନାହିଁ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟରେ ଥିବା ବିଦ୍ୟାଳୟରେ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯିବ। ଏ ସମ୍ପର୍କରେ ପରିଷଦ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବ।

ଦୁଇ ବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ଏବଂ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଏସ୍‌ଇ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବ। ଉକ୍ତ ୩ଟି ପଦ୍ଧତି ମଧ୍ୟରୁ ପ୍ରଥମ ଦୁଇଟି ବିକଳ୍ପ ମୂଲ୍ୟାୟନ ପଦ୍ଧତି ଏବଂ ତୃତୀୟଟି ପରିଷଦ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ନୂତନ ମୂଲ୍ୟାୟନ ପଦ୍ଧତି ଅନୁସାରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ। ପ୍ରଥମ ପଦ୍ଧତି ଅନୁସାରେ, ସମିଟିଭ୍‌-୧ ଏବଂ ଇଣ୍ଟରନାଲ ଆସେସ୍‌ମେଣ୍ଟର ୱେଟେଜ୍‌କୁ
ଦୁଇଗୁଣ କରାଯାଇ ପରୀକ୍ଷାଫଳ ନିର୍ଧାରଣ କରାଯିବ। ଦ୍ୱିତୀୟ ପଦ୍ଧତି ଅନୁସାରେ, କେବଳ ସମିଟିଭ୍‌ ଆସେସ୍‌ମେଣ୍ଟ-୨ର ୱେଟେଜ୍‌କୁ ଦୁଇଗୁଣ କରାଯାଇ ଫଳ ବାହାରିବ। ତୃତୀୟ ପଦ୍ଧତି ଅନୁସାରେ ଇଣ୍ଟରନାଲ ଆସେସ୍‌ମେଣ୍ଟକୁ ୨୦%, ଏସ୍‌ଏ-୧କୁ ୩୦% ଓ ଏସ୍‌ଏ-୨କୁ ୫୦% ୱେଟେଜ୍‌ ଦିଆଯାଇ ପରୀକ୍ଷା ଫଳ ନିର୍ଧାରଣ ହେବ। ସମସ୍ତ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ଉପରୋକ୍ତ ପଦ୍ଧତିରେ ନିର୍ଦ୍ଧାରଣ କରାଯିବ। ଯେଉଁଥିରେ ସେମାନେ ସର୍ବାଧିକ ନମ୍ବର ରଖିବେ, ତାହା ଚୂଡ଼ାନ୍ତ ପରୀକ୍ଷା ଫଳ ହେବ।

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ବିଏସ୍‌ଇ ପକ୍ଷରୁ ପରୀକ୍ଷା କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ତଥା ପରୀକ୍ଷା କରିବାକୁ ଯଥାର୍ଥ ସମୟ ଆସିଛି କି ନାହିଁ ଜାଣିବା ପାଇଁ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀ, ଶିକ୍ଷକ ସମାଜ, ଶିକ୍ଷକ ସଙ୍ଗଠନର ସଦସ୍ୟ, ଅଭିଭାବକ, ଅଭିଭାବକ ସଙ୍ଗଠନର ସଦସ୍ୟ, ବିଭିନ୍ନ ଶିକ୍ଷା ଅଧିକାରୀ ଓ ଶିକ୍ଷାବିତ୍‌ଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଅଫ୍‌ଲାଇନ୍‌ରେ ଏସ୍‌ଏ-୨ ପରୀକ୍ଷା କରିବାର ଆବଶ୍ୟକତା ରହିଥିବା ନେଇ ସେମାନେ ମତ ଦେଇଥିଲେ। ଏଥିସହ ଅଂଶୀଦାରମା‌ନେ ଆହୁରି କହିଥିଲେ ଯେ ଦୈନିକ ଗୋଟିଏ ବିଷୟ ଓ କିଛି ପରୀକ୍ଷା ମଧ୍ୟରେ ଖୁବ୍‌ କମ୍‌ ବ୍ୟବଧାନ ରଖି ପରୀକ୍ଷା କରାଯାଇ ଶୀଘ୍ର ଶେଷ ହେଉ। ଖରାଦିନ ଆସି ଯାଇଥିବାରୁ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେଉ। ଯେହେତୁ ପାଠ୍ୟ ଖସଡ଼ା ମାର୍ଚ୍ଚ ମାସରେ ସରିବ, ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ। ସମସ୍ତଙ୍କ ମତାମତ ଆଧାରରେ ରାଜ୍ୟ ସରକାର ଏସ୍‌ଏ-୨ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ହେଲା କରୋନା ଦ୍ବାରା ମାନସିକ, ଶାରୀରିକ ଓ ଅର୍ଥନୈତିକ ସ୍ତରରେ ସମଗ୍ର ଛାତ୍ର ସମାଜ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ପିଲାମାନେ ପଢ଼ିବାକୁ ବିଦ୍ୟାଳୟକୁ ଯାଇ ପାରିନାହାନ୍ତି। ବହୁ ପରିବାର ତାଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି। ପିଲାମାନେ ମାନସିକ ଭାରସ୍ୟାମ ହରାଇଛନ୍ତି। ୨୦୨୧ରେ କରୋନାର ପ୍ରକୋପ ବଢ଼ିବାରୁ ଦଶମ ଶ୍ରେଣୀ ମାଟ୍ରିକ୍‌ ପରୀକ୍ଷା ମଧ୍ୟ କରାଯାଇ ପାରି ନଥିଲା ଏବଂ ଏକ ନୂତନ ମୂଲ୍ୟାୟନ ପଦ୍ଧତି ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ୨୦୨୧-୨୨ ଶିକ୍ଷାବର୍ଷରେ ପରିସ୍ଥିତି ସାମାନ୍ୟ ପରିବର୍ତ୍ତନ ହୋଇଛି। କିଛି ପରିମାଣରେ ଶ୍ରେଣୀଗୃହ ଶିକ୍ଷାଦାନ କରାଯାଇଛି। ପ୍ରାୟ ୬୦ପ୍ରତିଶତ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ଶିକ୍ଷାଲାଭ କରିଛନ୍ତି।

ସମ୍ବନ୍ଧିତ ଖବର