କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୪), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ବୋର୍ଡ ପକ୍ଷରୁ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। ଏହି ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ବର୍ଷ ଅକ୍ଟୋବର ମାସରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଖାତା ମୂଲ୍ୟାୟନ ୨୦୨୪ ମାର୍ଚ ୧୨ତାରିଖରୁ ଆରମ୍ଭ ହୋଇ ୧୨ ଦିନରେ ‌‌ଶେଷ କରାଯିବ। ମାଟ୍ରିକ୍ ଓ ମଧ୍ୟମା ଛାତ୍ରଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ କରାଯିବ। ଏହି ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ‌ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯିବ ଓ ଏହା ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ହାଇସ୍କୁଲମାନଙ୍କୁ ଯୋଗାଇ ଦିଆଯିବ। ଅର୍ଦ୍ଧବାର୍ଷିକ ପ୍ରଶ୍ନପତ୍ର ବିଦ୍ୟାଳୟରେ ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ପହଞ୍ଚିବ। ଏହି ପରୀକ୍ଷା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହେବ ଓ ସଂପୃକ୍ତ ବିଦ୍ୟାଳୟରେ ଏହାର ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ, କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବ‌ର୍ଷକୁ ଦୁଇଟି (ଏସ୍‌ଏ-୧ ଓ ଏସ୍‌ଏ-୨) କରାଯାଉଥିଲା ଓ ଏଥିରେ ପ୍ରତି ବିଷୟରେ ମୋଟ ୮୦ ନମ୍ବର (୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ) ପରୀକ୍ଷା କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଦୁଇଟି ପରୀକ୍ଷା (ଏସ୍‌ଏ-୧ ଓ ଏସ୍‌ଏ-୨) ବଦଳରେ ବର୍ଷ ‌ଶେଷକୁ ଗୋଟିଏ ମାତ୍ର ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ଚୂଡାନ୍ତ ହୋଇଛି। ଚଳିତ ବ‌ର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପ୍ରତି ବିଷୟରେ ୧୦୦ ନମ୍ବର ବିଶିଷ୍ଟ ହେବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀଙ୍କୁ ଏହି ୧୦୦ ନମ୍ବରରୁ ୮୦ ପ୍ରତିଶତ ୱେଟେଜ୍ ଓ ସ୍କୁଲ ଦ୍ବାରା ପରିଚାଳିତ ଇଣ୍ଟରନାଲ୍ ଆସେସ୍‌ମେଣ୍ଟରୁ ୨୦ ପ୍ରତିଶତ ‌ୱେଟେଜ୍ ଦିଆଯାଇ ଚୂଡାନ୍ତ ନମ୍ବର ପ୍ରଦାନ କରାଯିବ।