କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୪), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବୋର୍ଡ ପକ୍ଷରୁ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। ସେହିପରି ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଖାତା ମୂଲ୍ୟାୟନ ୨୦୨୪ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇ ୧୨ ଦିନରେ ଶେଷ କରାଯିବ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବର୍ଷକୁ ଦୁଇଥର (ଏସ୍ଏ-୧ ଓ ଏସ୍ଏ-୨) କରାଯାଉଥିଲା। ଏଥିରେ ପ୍ରତି ବିଷୟରେ ମୋଟ ୮୦ ନମ୍ବର (୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ) ପରୀକ୍ଷା କରାଯାଉଥିଲା। କିନ୍ତୁ ଚଳିତବର୍ଷ ଦୁଇଟି ପରୀକ୍ଷା (ଏସ୍ଏ-୧ ଓ ଏସ୍ଏ-୨) ବଦଳରେ ବର୍ଷଶେଷକୁ ଗୋଟିଏ ମାତ୍ର ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ଚୂଡ଼ାନ୍ତ ହୋଇଛି। ଚଳିତବର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପ୍ରତି ବିଷୟରେ ୧୦୦ ନମ୍ବର ବିଶିଷ୍ଟ ହେବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀଙ୍କୁ ଏହି ୧୦୦ ନମ୍ବରରୁ ୮୦ ପ୍ରତିଶତ ୱେଟେଜ୍ ଓ ସ୍କୁଲ୍ ଦ୍ବାରା ପରିଚାଳିତ ଇଣ୍ଟର୍ନାଲ୍ ଆସେସ୍ମେଣ୍ଟରୁ ୨୦ ପ୍ରତିଶତ ୱେଟେଜ୍ ଦିଆଯାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।