ଫେବ୍ରୁଆରିରେ ହେବନି ମାଟ୍ରିକ୍‌ ପରୀକ୍ଷା‌

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ନିଶ୍ଚିତ ହେବ। ତେବେ ନିର୍ଦ୍ଧାରିତ ସମୟ ଫେବ୍ରୁଆରି ମାସରେ ହୋଇ ନପାରେ। ଏଥିପାଇଁ ସର୍ବନିମ୍ନ ୩ ମାସ କ୍ଲାସରୁମ୍‌ ପାଠପଢ଼ା ହେବ। ତା’ପରେ ଯାଇ ପରୀକ୍ଷା କରାଯିବ। ଯଦି କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ବନ୍ଦ କରିବା ଲାଗି ନିଷ୍ପତ୍ତି ନିଅନ୍ତି, ତାହା ହେଲେ ଓଡ଼ିଶାରେ ପରୀକ୍ଷା ବନ୍ଦ ହୋଇପାରେ। ନ ହେଲେ ରାଜ୍ୟ ସରକାର ନିଜ ଆଡ଼ୁ ପରୀକ୍ଷା ବନ୍ଦ କରିବେ ନାହିଁ। ପରୀକ୍ଷା ବନ୍ଦ କରାଯିବା ଦ୍ବାରା ରାଜ୍ୟର ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ। ତେଣୁ ଏଭଳି କଠୋର ପଦକ୍ଷେପ ନିଆଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶଙ୍କ ଏଭଳି ବକ୍ତବ୍ୟ ପରେ ମାଟ୍ରିକ ପରୀକ୍ଷାକୁ ନେଇ କିଛି ଦିନ ହେବ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ବିଶେଷକରି ଫର୍ମ ପୂରଣ ବାତିଲ୍‌ ହେବା ପରେ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଚିନ୍ତାରେ ପଡ଼ିଥିଲେ। ଏବେ ସେହି ଦ୍ବନ୍ଦ୍ବ ଦୂର ହୋଇଛି। ମାଟ୍ରିକ୍‌ ପରୀକ୍ଷା ହେବା ଏକପ୍ରକାର ଥୟ।

ଯଦି ଜାନୁଆରିରେ ସ୍କୁଲ ଖୋଲେ ତେବେ ଏପ୍ରିଲ କିମ୍ବା ମେ’ ମାସ ବେଳକୁ ମାଟ୍ରିକ୍‌ ପରୀକ୍ଷା ହୋଇପାରେ। ତେବେ ପ୍ରତିବର୍ଷ ଫେବ୍ରୁଆରି ମାସରେ ପରୀକ୍ଷା କରିବାକୁ ଧାର୍ଯ୍ୟ ହୋଇଥିଲା। କରୋନା ଲାଗି ଏଥର ୮ ମାସ ହେଲା କ୍ଲାସରୁମ୍‌ ପାଠପଢ଼ା ହୋଇପାରି ନାହିଁ। ଅନ୍‌ଲାଇନ୍‌ରେ କ୍ଲାସ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇପାରି ନାହିଁ। ଅଧିକାଂଶ ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍‌ଲାଇନ୍‌ ପାଠପଢ଼ା ପହଞ୍ଚି ନାହିଁ। ଯଦି ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା ହୁଏ ତେବେ ୭୦ ପ୍ରତିଶତ ପାଠ୍ୟକ୍ରମ କିଭଳି ପଢ଼ା ହେବ ତାହାକୁ ନେଇ ଚିନ୍ତା ରହିଛି।

ସମ୍ବନ୍ଧିତ ଖବର