ସମ୍ବଲପୁର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟାରେ ଖୋଲିଛି। ତାର ଢେର୍‌ ସମୟ ପୂର୍ବରୁ କିନ୍ତୁ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ଛାତ୍ରଛାତ୍ରୀ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଅଲ୍‌ଟର୍‌ନେଟିଭ୍‌ ଇଂରାଜୀ) ପରୀକ୍ଷା ଦେଇଛନ୍ତି। ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Advertisment

ପଶ୍ଚିମଓଡ଼ିଶାରେ ୨୧୮୮ଟି ସ୍କୁଲ୍‌ର ୧୨୯,୭୧୭ ଜଣ ଛାତ୍ରଛାତ୍ରୀ ୮୧୧ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନ ପଶ୍ଚିମ ଓଡ଼ିଶାରେ ୪୬୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ଫର୍ମ ପୂରଣ କରିଥିଲେ ମଧ୍ୟ ଏହି ପିଲାମାନେ କାହିଁକି ବୋର୍ଡ ପରୀକ୍ଷା ଦେଲେନି ସେ ନେଇ କାହା ପାଖରେ ଉତ୍ତର ନାହିଁ। ଏତେ ସଂଖ୍ୟାରେ ପିଲାଙ୍କ ଅନୁପସ୍ଥିତି ପୁଣିଥରେ ଶିକ୍ଷା ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଶ୍ଚିମ ଓଡ଼ିଶାରେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୧୧୯୯ ଜଣ ଛାତ୍ରଛାତ୍ରୀ ପ୍ରଥମଦିନ ପରୀକ୍ଷା ଦେଇନାହାନ୍ତି। ପ୍ରଥମ ଦିନ ବଲାଙ୍ଗୀର ଜିଲ୍ଲାରୁ କେବଳ ୨ ଜଣ କପି କରିବା ବେଳେ ଧରାପଡ଼ିଥିବା ଜଣାପଡ଼ିଛି।