କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମଦିନର ପରୀକ୍ଷାରେ ୧୮ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି।
ଶୁକ୍ରବାର ସକାଳ ୬ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପରିବହନ ଆରମ୍ଭ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ସକାଳ ୭ଟା ମଧ୍ୟରେ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ପ୍ରଥମଦିନ ହୋଇଥିବାରୁ ପରୀକ୍ଷାର୍ଥଙ୍କ ପାଇଁ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଓ ପରୀକ୍ଷା ମଧ୍ୟରେ ପରୀକ୍ଷାର୍ଥୀଙ୍କ କପି ଯାଞ୍ଚ୍ କରାଯାଇଥିଲା। ସବୁ କେନ୍ଦ୍ରରେ ପ୍ରଥମଦିନର ପରୀକ୍ଷା ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଥିବା ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଭୌଗୋଳିକ ଦୃଷ୍ଟିରୁ ଗମନାଗମନ ଅସୁବିଧା ଥିବାରୁ ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ରାଜ୍ୟର ୨ଟି ସ୍କୁଲକୁ ସେଲ୍ଫ ସେଣ୍ଟର କରାଯାଇଛି। କିନ୍ତୁ, ସଂପୃକ୍ତ ସ୍କୁଲ(କେନ୍ଦ୍ର)ରେ ଅନ୍ୟ ସ୍କୁଲର ଶିକ୍ଷକମାନଙ୍କୁ ପରୀକ୍ଷା ପରିଚାଳନାରେ ମୁତୟନ କରାଯାଇଛି ବୋଲି ଉପସଭାପତି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ଆଜି ପ୍ରଥମ ଭାଷା(ଓଡ଼ିଆ)ରେ ଅସାଧୁ ଉପାୟ ଅବଲମ୍ବନ କରି ୧୧ଜଣ ପରୀକ୍ଷାର୍ଥୀ ମାଲ୍ପ୍ରାକ୍ଟିସ୍ ହୋଇଥିବା ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ଭଳି ଏସ୍ଏ-୨ରେ ବିଭିନ୍ନ କେନ୍ଦ୍ରରେ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କର ଅନୁପସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ାରେ ୪୨୫ଜଣ, ଜଗତସିଂହପୁରରେ ୨୩୫ଜଣ, ଖୋର୍ଦ୍ଧାରେ ୪୯୪ଜଣ, କୋରାପୁଟରେ ୬୮୬ଜଣ, ଯାଜପୁରରେ ୭୫୫ଜଣ, ଭଦ୍ରକରେ ୫୦ଜଣ, ବାଲେଶ୍ବରରେ ୧୧୫୮ଜଣ, ଦେବଗଡ଼ରେ ୯୪ଜଣ, ବଲାଙ୍ଗୀରରେ ୧୧୯୯ଜଣ, କଳାହାଣ୍ଡିରେ ୭୬୬ଜଣ, ଏହିପରି ଭାବରେ ସମଗ୍ର ରାଜ୍ୟରେ ମାଟ୍ରିକ୍ ପରୀକ୍ଷା(ଏସ୍ଏ-୨)ର ପ୍ରଥମ ଦିନରେ ୧୮ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ସେହିପରି ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ମାଟ୍ରିକର ଏସ୍ଏ-୧ରେ ରାଜ୍ୟରେ ମୋଟ ୧୩ ହଜାର ୫୮ଜଣ, ମଧ୍ୟମାରେ ୫୮୩ଜଣ ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଦ୍ବିତୀୟ)ରେ ୪୪୪ଜଣ ଅନୁପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/exam-m17.jpg)