ଭୁବନେଶ୍ୱର: ବୁଧବାର ପୂର୍ବାହ୍ନ ୧୦ଟାରୁ ସମଗ୍ର ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ସଫଳତା କାମନା କରୁଛି।
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ସହ ସଫଳତା କାମନା କରୁଛି।
Best wishes to all children appearing in Class-10 HSC exam. May you all be successful and come through with flying colours. pic.twitter.com/HrcWB4mKRr
— Naveen Patnaik (@Naveen_Odisha) February 19, 2020
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରିଛନ୍ତି: ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା। ଛାତ୍ରଛାତ୍ରୀଙ୍କ ସଫଳତା କାମନା କରୁଛି।
ଚଳିତବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ମାନଙ୍କୁ ହାର୍ଦ୍ଦିକ ଶୁଭକାମନା । ଛାତ୍ରଛାତ୍ରୀଙ୍କ ସଫଳତା କାମନା କରୁଛି । pic.twitter.com/8tu7vU2vg4
— Dharmendra Pradhan (@dpradhanbjp) February 19, 2020
ଆଜି ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହର ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହୋଇଛି।
ସକାଳ ୯ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲିଥିଲା। ତ୍ରିସ୍ତରୀୟ ଯାଞ୍ଚ ପରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ାଯାଇଥିଲା। ପରୀକ୍ଷା କେନ୍ଦ୍ର ବାହାରେ ସ୍ଥାନୀୟ ପ୍ରଶାସନ, ପୁଲିସ ଅଧିକାରୀ ଏବଂ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାର ସୁପରିଚାଳନା କରୁଛନ୍ତି। ଆସନ୍ତାକାଲି ଠାରୁ ସକାଳ ୯. ୨୦ରେ ପରୀକ୍ଷା କେନ୍ଦ୍ର ଖୋଲିବ।
ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରେ ୧୨୦ଟି ପରୀକ୍ଷା କେନ୍ଦ୍ରରେ ୨୪, ୮୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କୋରାପୁଟ ଜିଲ୍ଲାରେ ୬୨ଟି ପରୀକ୍ଷା କେନ୍ଦ୍ରରେ ୨୭୩ଟି ସ୍କୁଲ୍ର ୧୪, ୭୩୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।
ରାଜ୍ୟର ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୫ ଲକ୍ଷ ୬୦ ହଜାର ୯୦୫ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଉଥିବା କଥା ଜଣାପଡ଼ିଛି।