କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଚିଳିତ ମାସ ୨୧ରୁ ଆରମ୍ଭ ହେବ। ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରମୁଖ ବିଷୟର ପ୍ରଶ୍ନପତ୍ରରେ ଏହି ବନ୍ଦୋବସ୍ତ ହୋଇଥିବା ବେଳେ ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ, ଏପରିକି ପ୍ରତି ପ୍ରଶ୍ନରେ ଏହି କ୍ୟୁଆର୍ କୋଡ୍ ରହିଛି। ଯଦି କୌଣସି ବ୍ୟକ୍ତି ମୋବାଇଲ୍ ବା ଅନ୍ୟ କୌଣସି ଉପକରଣ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରି ଭାଇରାଲ୍ କରିବାକୁ ଉଦ୍ୟମ କରନ୍ତି, ତେବେ ଏହା କେଉଁ ସେଣ୍ଟରରୁ ଆଉ କେଉଁ ପରୀକ୍ଷା ପ୍ରକୋଷ୍ଠରୁ ଭାଇରାଲ୍ କରାଯାଇଛି, ତାହା ସହଜରେ ଜାଣି ହେବ। ପ୍ରଶ୍ନପତ୍ରଟି ଏଭଳି ପ୍ରସ୍ତୁତି ହୋଇଛି ଯେ, କ୍ୟୁଆର୍ କୋଡ୍କୁ ଲିଭାଇବାକୁ ଚେଷ୍ଟା କଲେ, ପ୍ରଶ୍ନ ଲିଭିଯିବ। ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ ଏଭଳି ସୁରକ୍ଷା ବ୍ୟବସ୍ଥା ହୋଇଛି। ଏହା ବ୍ୟତୀତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯିବ। ଅଧିକାଂଶ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ରହିଥିବା ବେଳେ ଯେଉଁ କିଛି କେନ୍ଦ୍ରରେ ନାହିଁ, ଆସନ୍ତା ୧୮ତାରିଖ ମଧ୍ୟରେ ସିସି କ୍ୟାମେରା ଲାଗିବା ବ୍ୟବସ୍ଥା ହେବ। ୩୧୪ ନୋଡାଲ୍ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଭିଡିଓ ବ୍ୟବସ୍ଥା କରାଯିବ। ଏସବୁ କେନ୍ଦ୍ରରେ ପରୀକ୍ଷା ଚାଲିଥିବା ସମୟରେ କେନ୍ଦ୍ରର ସମସ୍ତ ଗତିବିଧିକୁ ବୋର୍ଡ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିଥିବା ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ରେ ବସି ଜାଣିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍
୬ଶହ କେନ୍ଦ୍ରରେ ଲାଇଭ୍ ଭିଡିଓ ବ୍ୟବସ୍ଥା
ମାର୍ଚ୍ଚ ୧୯ରୁ ଖାତା ଦେଖା; ୧୩ ଦିନରେ ସାରିବାକୁ ଯୋଜନା
୩୧୩୩ ପରୀକ୍ଷାକେନ୍ଦ୍ର, ୫,୨୨,୩୩୬ ପରୀକ୍ଷାର୍ଥୀ
କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ତରାଇ କହିଛନ୍ତି ଯେ, ଚଳିତବର୍ଷ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକକାଳୀନ ହେବ। ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ। ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମ ପୂରଣ କରିଥିବା ବେଳେ ତିନିଟିଯାକ ପରୀକ୍ଷା ପାଇଁ ୩୧୩୩ ଟି ପରୀକ୍ଷାକେନ୍ଦ୍ର ରଖାଯାଇଛି। ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସ୍କୁ ମିଶାଇ ମୋଟ ୩୧୪ଟି ନୋଡାଲ୍ ସେଣ୍ଟର ସ୍ଥିର ହୋଇଛି। ମାଟ୍ରିକ ପରୀକ୍ଷାରେ ୫,୧୦,୭୭୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୨୯୭୯ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ମଧ୍ୟମାରେ ୭୭୬୬ ପରୀକ୍ଷାର୍ଥୀଙ୍କ ପାଇଁ ୧୦୨ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୩୭୫୨ ଜଣ ପରୀକ୍ଷାର୍ଥୀ ଓ ୫୨ଟି ପରୀକ୍ଷା କେନ୍ଦ୍ର ରହିଛି। ଫେବ୍ରୁଆରି ୧୦ ତାରିଖରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ। ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ମିଳିବା ବ୍ୟବସ୍ଥା ରହିଥିବା ବେଳେ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ କେବଳ ଅନ୍ଲାଇନ୍ରେ ମିଳିବ ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି।
ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ସେଣ୍ଟର ସୁପରିନ୍ଟେଣ୍ଡେଣ୍ଟ, ନୋଡାଲ୍ ସେଣ୍ଟର ଅଧିକାରୀଙ୍କ ଏକ କର୍ମଶାଳା ଆସନ୍ତା ୧୧ତାରିଖ ବୋର୍ଡ ମୁଖ୍ୟାଳୟରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍ ସେଣ୍ଟର ଉପରେ ଦୃଷ୍ଟି ରଖିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ପରୀକ୍ଷାରେ କପି ରୋକିବା ପାଇଁ ୪ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୭୦ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍, ବୋର୍ଡ ପକ୍ଷରୁ ୪୨ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କ୍ବାଡ୍ ବ୍ୟବସ୍ଥା ଓ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ପରୀକ୍ଷା ଉପରେ ନଜର ରଖିବେ। ଆଜିଠାରୁ ବୋର୍ଡ ୱେବ୍ସାଇଟ୍ରୁ ସମସ୍ତ ବିଦ୍ୟାଳୟ ନିଜ ସଂକ୍ରାନ୍ତରେ ସୂଚନା ଜାଣିପାରିବେ। ଏଥିରେ କେଉଁ ବିଦ୍ୟାଳୟରୁ କେତେ ପିଲା ପରୀକ୍ଷା ଦେଉଛନ୍ତି, ସଂପୃକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର/ନୋଡାଲ୍ ସେଣ୍ଟର ହୋଇଛି କି ନାହିଁ, ଯଦି ପରୀକ୍ଷା କେନ୍ଦ୍ର ହୋଇଛି, ତେବେ କେତେ ପିଲା ଓ କେଉଁ କେଉଁ ସ୍କୁଲର ପିଲା ପରୀକ୍ଷା ଦେଉଛନ୍ତି, ଆଦି ସମସ୍ତ ସୂଚନା ବୋର୍ଡ ୱେବ୍ସାଇଟରେ ଛଡ଼ାଯାଇଛି ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି। ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ ଓ ସକାଳ ସାଢ଼େ ୮ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ବନ୍ଦ କରାଯିବ। ଏହାରି ମଧ୍ୟରେ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବେ। ନୋଡାଲ୍ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିବ। ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ; ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ। ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ ଏବଂ ଏହା ସର୍ବାଧିକ ୧୩ ଦିନରେ ସରିବ। ମୂଲ୍ୟାୟନ ପାଇଁ ମୋଟ ୫୧ଟି ପରୀକ୍ଷା କେନ୍ଦ୍ର ଚୟନ ହୋଇଛି ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/10/exam.jpg)