ଅନୁଗୁଳ : ନିୟମ କହୁଛି, ପରୀକ୍ଷା କେନ୍ଦ୍ରକୁ ନିଆଯାଇପାରିବ ନାହିଁ ମୋବାଇଲ୍। ପରୀକ୍ଷା ନିରୀକ୍ଷକଙ୍କ କଥା ଛାଡ଼, ଖୋଦ୍ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍, ସ୍କ୍ବାଡ୍ଙ୍କୁ ବି ପରୀକ୍ଷା ହଲ୍କୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ନାହିଁ। କିନ୍ତୁ, ମାଟ୍ରିକ୍ ପରୀକ୍ଷାର ଆଜି ପଞ୍ଚମ ଦିବସରେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ କେବଳ ନିଆଯାଇ ନାହିଁ, ବରଂ ପରୀକ୍ଷା ଚାଲିବାର ଅଧ ଘଣ୍ଟା ପରେ ମୋବାଇଲ୍ରେ ପ୍ରଶ୍ନପତ୍ରର ଫଟୋ ଉଠାଇ ତାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଛି। ଏ କାରନାମା ଅନ୍ୟ କେହି ନୁହେଁ, ଛେଣ୍ଡିପଦା ବ୍ଲକ୍ କତଡ଼ା ଗୁରୁଣ୍ଡି ଗୋପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ରାଉତଙ୍କ ମୋବାଇଲ୍ରୁ କରାଯାଇଛି। ପରୀକ୍ଷା ଚାଲିଥିବା ବେଳେ ମୋବାଇଲ୍ରୁ ମୋବାଇଲ୍କୁ ପ୍ରଶ୍ନପତ୍ର ଘୂରି ବୁଲିବା ଘଟଣା ଅନୁଗୁଳ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାର ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି।
ସୂଚନା ମୁତାବକ, ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ହେଉଛି ହିନ୍ଦୀ ବିଷୟର ସେଟ୍ ‘ବି। ନିୟମ ମୁତାବକ, ସବୁଦିନ ଭଳି ଆଜି ମଧ୍ୟ ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ଥିଲା ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା। ସକାଳ ୮ଟା ବେଳକୁ ପିଲାଙ୍କୁ ପ୍ରଶ୍ନପତ୍ର ବଣ୍ଟା ହୋଇଥିଲା। ଠିକ୍ ୩୯ମିନିଟ୍ ପରେ ସକାଳ ୮.୩୯ ବେଳକୁ ଗୁରୁଣ୍ଡି ଗୋପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ରାଉତଙ୍କ ମୋବାଇଲ୍ରୁ ପ୍ରଶ୍ନପତ୍ରର ଫଟୋ କପି ‘ଇକୋ-କ୍ଲବ୍ ଅନୁଗୁଳ ନାମକ ଏକ ହ୍ବାଟ୍ସ୍ ଅପ୍ ଗ୍ରୁପ୍ରେ ସେୟାର୍ କରାଯାଇଥିଲା। ଏହି ପ୍ରଶ୍ନପତ୍ରର କ୍ରମିକ ସଂଖ୍ୟା ହେଲା- ୩୦୭୧୪୮। ଭାଇରାଲ୍ ପ୍ରଶ୍ନପତ୍ରରେ ଦେଖାଯାଉଥିବା ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ହେଲା-୦୩୧ଓଡି୦୦୯୮।
ଗୁରୁଣ୍ଡି ଗୋପାଳ ହାଇସ୍କୁଲର ମାଟ୍ରିକ୍ ପରୀକ୍ଷାର୍ଥୀ ସଂଖ୍ୟା ହେଲା ୫୯। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏ ସ୍କୁଲ ପାଇଁ ଆର୍.ଡି କିଶୋରଗଞ୍ଜ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପିଲାମାନେ କିଶୋରଗଞ୍ଜ ହାଇସ୍କୁଲରେ ପରୀକ୍ଷା ଦେଉଥିବା ବେଳେ ସ୍କୁଲର ଶିକ୍ଷକମାନଙ୍କର ଜରପଡ଼ା ହାଇସ୍କୁଲ ସମେତ ଅନ୍ୟାନ୍ୟ ସ୍କୁଲରେ ପରୀକ୍ଷା ଡ୍ୟୁଟି ପଡ଼ିଛି। କିନ୍ତୁ, ପ୍ରଧାନ ଶିକ୍ଷକ ଶ୍ରୀ ରାଉତଙ୍କୁ ପରୀକ୍ଷା ଡ୍ୟୁଟିରେ ନିୟୋଜିତ କରାଯାଇନାହିଁ। ସେ ଆଜି ସ୍କୁଲରେ ଡ୍ୟୁଟି କରୁଥିବା ବେଳେ ତାଙ୍କ ପାଖକୁ ପ୍ରଶ୍ନପତ୍ର ଆସିଲା କେଉଁଠୁ? କିଏ ଓ କେଉଁ କେନ୍ଦ୍ରକୁ ମୋବାଇଲ୍ ନେଇଥିଲା ଏବଂ ପ୍ରଶ୍ନପତ୍ରର ଫଟୋ ଉଠାଇ ପ୍ରଧାନ ଶିକ୍ଷକଙ୍କ ନିକଟକୁ କିଏ ପଠାଇଲା? ତାହାକୁ ନେଇ ସ୍ବାଭାବିକ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉତଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ତାଙ୍କ ମୋବାଇଲ୍କୁ ଏ ପ୍ରଶ୍ନର ଫଟୋ କିଏ ପଠାଇଲା ଓ କାହିଁକି ତାକୁ ଗ୍ରୁପ୍ରେ ସେୟାର୍ କଲେ ବୋଲି ପ୍ରଶ୍ନ କରାଯିବାରେ ‘ମୋର ଭୁଲ୍ ହୋଇଛି’ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ସ୍ବୀକାର କରିଛନ୍ତି। କହିଛନ୍ତି, ମୋ ଅଜାଣତରେ ମୋବାଇଲ୍ରୁ କେମିତି ସେୟାର ହୋଇଗଲା ମୁଁ ଜାଣିନାହିଁ। ମୋତେ କ୍ଷମା କରନ୍ତୁ। କିନ୍ତୁ, ପରୀକ୍ଷା କେନ୍ଦ୍ରରୁ ଫଟୋ କିଏ ଉଠାଇଥିଲା? ତାଙ୍କ ପାଖକୁ କିଏ ପ୍ରଶ୍ନପତ୍ରର ଫଟୋ ପଠାଇଲା ସେ ସମ୍ପର୍କରେ ସେ ନିରବ ରହିଛନ୍ତି।
ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ ମୁଖିଆ ନିରଞ୍ଜନ ସାହୁ ଅଜବ ପ୍ରତିକ୍ରିୟା ରଖିଛନ୍ତି। ପ୍ରଶ୍ନପତ୍ର ବିଦ୍ୟାଳୟର ଇକୋ କ୍ଲବ୍ ସହ ଜଡିତ ଏକ ହ୍ବାଟ୍ସ ଅପ୍ ଗ୍ରୁପ୍ରେ ସେୟାର୍ କରାଗଲା। ଯାହାକୁ ନେଇ ବିଭିନ୍ନ ସ୍କୁଲ ଏବଂ ଖୋଦ୍ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଚର୍ଚ୍ଚା ଚାଲିଲା, କିନ୍ତୁ ‘ଏ ସମ୍ପର୍କରେ ମୁଁ କିଛି ଜାଣିନାହିଁ? ମୋ ପାଖରେ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।’ ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପ୍ରକୃତରେ ଜିଲ୍ଲା ଶିକ୍ଷା ବିଭାଗ ମୁଖିଆ ଜାଣି ନାହାନ୍ତି ନା ପରୀକ୍ଷା ପରିଚାଳନାଗତ ତ୍ରୁଟି ପଦାକୁ ବାହାରି ଯିବା ଭୟରେ ସବୁ କିଛି ଜାଣି ଅଜଣା ରହୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।