ମାଟ୍ରିକ୍ ମାର୍କ ଅପ୍‌ଲୋଡ୍‌ ତାରିଖ ଘୁଞ୍ଚିଲା

ମେ ୨୮ ତାରିଖରେ ଜିଲ୍ଲାଶିକ୍ଷାଧିକାରୀଙ୍କ ଯାଞ୍ଚ ସରିବ, ମେ ୨୯ରୁ ଜୁନ୍ ୭ ମଧ୍ୟରେ ମାର୍କ ଅପ୍‌ଲୋଡ୍ ହେବ

କଟକ : କୋଭିଡ୍ ପରିସ୍ଥିତି ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରିଛନ୍ତି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ୍ ପୂର୍ବ ନିର୍ଦ୍ଧାରିତ ମେ ୨୪ରୁ ୩୧ ତାରିଖ ପରିବର୍ତ୍ତେ ମେ ୨୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମେଣ୍ଟର ସ୍କୁଲ ପକ୍ଷରୁ ଦାଖଲ ହୋଇଥିବା ସ୍କୁଲ ମାର୍କ ରେଜିଷ୍ଟର ଓ ବୋର୍ଡ ପ୍ରଦତ୍ତ ଟାବୁଲେସନ୍ ‌ରେଜିଷ୍ଟର ଯାଞ୍ଚ କାର୍ଯ୍ୟ ମେ ୨୮ତାରିଖ ମଧ୍ୟରେ ‌‌ଶେଷ କରିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍କ ଯାଞ୍ଚ ସରି ନଥିବାରୁ ଅନେକ ଜିଲ୍ଲା ଶିକ୍ଷାଧିକାରୀ ଅଧିକ ସମୟ ‌ଦେବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ବୋର୍ଡ ପକ୍ଷରୁ ଯାଞ୍ଚ ଓ ଅପ୍‌ଲୋଡ କାର୍ଯ୍ୟ ପାଇଁ ଅଧିକ ସମୟ ଦିଆଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ମେ ୨୪ ତାରିଖରୁ ମେ ୩୧ ମଧ୍ୟରେ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବୋର୍ଡ ୱେବ୍‌ସାଇଟ୍‌ରେ ପ୍ରଦତ୍ତ ଅନ୍‌ଲାଇନ୍‌ ଲିଙ୍କ୍‌ରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ୍‌ କରାଯିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକ ସଂଶ୍ଳିଷ୍ଟ ସ୍କୁଲମାନଙ୍କ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ମାର୍କ ଅପ୍‌ଲୋଡ୍ କରିବେ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନମ୍ବର ସମେତ ଦଶମ ଶ୍ରେଣୀ ଦ୍ବିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାର ପ୍ରତି ବିଷୟର ସର୍ବାଧିକ ନମ୍ବରଟିକୁ ଅପ୍‌ଲୋଡ୍ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ‌ହା ପୂର୍ବରୁ ଅର୍ଥାତ୍ ମେ ୧୨ତାରିଖରୁ ମେଣ୍ଟର ସ୍କୁଲ ପରିସରରେ ସଂଶ୍ଲିଷ୍ଟ ସ୍କୁଲମାନଙ୍କ ମାର୍କ ଯାଞ୍ଚ ଆରମ୍ଭ କରାଯାଇ ମେ ୧୯ତାରିଖ ମଧ୍ୟରେ ପୁନଃଯାଞ୍ଚ ପାଇଁ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତି ସ୍କୁଲର ଦୁଇଟି ସେଟ୍‌(ସ୍କୁଲ ମାର୍କ ରେଜି‌ଷ୍ଟର ଓ ବୋର୍ଡ ପ୍ରଦତ୍ତ ଟାବୁଲେସନ୍ ରେଜିଷ୍ଟର) ଦାଖଲ ହୋଇଥିଲା। ମେଣ୍ଟର ସ୍କୁଲ ପ୍ରତି ସ୍କୁଲର ଡକୁମେଣ୍ଟ ଦାଖଲ କରିଥିଲେ। ଜିଲ୍ଲାଶିକ୍ଷାଧିକାରୀଙ୍କ ସ୍ତରରେ ଗଠିତ କମିଟି ପ୍ରତି ସ୍କୁଲର ଦୁଇଟି ଲେଖାଏଁ ଡକୁମେଣ୍ଟ ସେଟ୍‌ ଯାଞ୍ଚ କରି ୨୪ ତାରିଖ ପୂର୍ବରୁ ମେଣ୍ଟର ସ୍କୁଲକୁ ଗୋଟିଏ ସେଟ୍‌ ଡକୁମେଣ୍ଟ ପଠାଇବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିଲା। କିନ୍ତୁ ବହୁ ଜିଲ୍ଲାଶିକ୍ଷାଧିକାରୀଙ୍କ କ୍ଷେତ୍ରରେ ଏହି ଯାଞ୍ଚ କାର୍ଯ୍ୟ ଶେଷ ହୋଇନଥିବାରୁ ମେ ୨୪ ତାରିଖ ମଧ୍ୟରେ ମେଣ୍ଟର ସ୍କୁଲକୁ ଗୋଟିଏ ସେଟ୍ ଡକୁମେଣ୍ଟ ପଠାଇବା ସମ୍ଭବ ହେବ ନାହିଁ। ଏଥି ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅଧିକ ସମୟ ମାଗିଥିବାରୁ ଉଭୟ ନମ୍ବର ଯାଞ୍ଚ ଓ ଅପ୍‌ଲୋଡ୍ ସମୟକୁ ପରିବର୍ଦ୍ଧିତ କରାଯାଇଛି। ଉଭୟ ମାର୍କ ଯାଞ୍ଚ ଓ ମାର୍କ ଅପ୍‌ଲୋଡ୍ ସମୟରେ କୋଭିଡ୍‌ର ସମସ୍ତ କଟକଣାକୁ କଡାକଡ଼ି ଭାବେ ଅନୁପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର