୧୪ ପିଲା ଆଡମିଟ୍ କାର୍ଡ ନପାଇ ପରୀକ୍ଷାରୁ ବଂଚିତ
ପ୍ରଥମ ଦିନ ମାଟ୍ରିକ୍ରେ ଜଣେ, ମୁକ୍ତ ବିଦ୍ୟାଳୟରେ ୪ ମାଲପ୍ରାକ୍ଟିସ୍
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠାରୁ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ୫୦୪ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। କିନ୍ତୁ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନାହାନ୍ତି। ଅନ୍ୟପଟେ ଆଡମିଟ୍ କାର୍ଡ ଶେଷ ଯାଏ ପାଇ ନ ପାରିବାରୁ ୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି। ପ୍ରଥମ ଦିନ ପରୀକ୍ଷା ମୋଟାମୋଟି ଭାବେ କିନ୍ତୁ ଶୃଙ୍ଖଳାର ସହ ଶେଷ ହୋଇଛି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ଧରା ପଡିଥିବା ମାଟ୍ରିକ୍ରେ ଜଣେ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ୪ଜଣ ଛାତ୍ରଛାତ୍ରୀ ମାଲ୍ପ୍ରାକ୍ଟିସ୍ ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସପନ କୁମାର ଜେନା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ୪୦୮ରୁ ଆଜି ୩୨୩ ଜଣ ପରୀକ୍ଷା ଦେଇଥିବା ବେଳେ ଉପସ୍ଥାନ ପ୍ରତିଶତ ରହିଛି ୭୯.୧୬ ପ୍ରତିଶତ। ସେହିଭଳି ପତ୍ରମାଧ୍ୟମରେ ୪୩୦ରୁ ୩୪୧ (୭୯.୩୦ ପ୍ରତିଶତ), ମଧ୍ୟମାରେ ୧୦ରୁ ୮ ଜଣ ପରୀକ୍ଷା ଦେଇଛନ୍ତି। ଅର୍ଥାତ ଜିଲ୍ଲାରେ ପ୍ରଥମ ଦିନରେ ୨୦ ପ୍ରତିଶତରୁ ଅଧିକ ପିଲା ଅନୁପସ୍ଥିତ ରହିଛନ୍ତି। ନରସିଂହରପୁର ବ୍ଲକ୍ ଅନନ୍ତ ନାରାୟଣ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମୋଟ ୪୫ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ସେଥିରୁ ୪୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। କିନ୍ତୁ ପ୍ରଥମ ଦିନରେ ସାରା ରାଜ୍ୟରେ କେତେ ପିଲା ଅନୁପସ୍ଥିତ ରହିଛନ୍ତି, ତାହା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ କଟକ ସହରର କଲେଜଛକ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଅଧିନରେ ପରୀକ୍ଷା ଦେଉଥିବା ୧୧ଜଣ ମାଟ୍ରିକ୍ ରେଗୁଲାର ଛାତ୍ରଛାତ୍ରୀ ଓ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍ଡିଭିଜନ୍ ପର୍ଲା ନୋଡାଲ ହାଇସ୍କୁଲର ୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ମଧ୍ୟ ଆଡ୍ମିଟ୍ କାର୍ଡ ନ ମିଳିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/exam.jpg)