ଘୁଞ୍ଚିଲା ମାଟ୍ରିକ୍‌ ପ୍ରି-ଟେଷ୍ଟ ପରୀକ୍ଷା : ସେପ୍ଟେମ୍ବର ୧୭ ବଦଳରେ ୨୪ରୁ ଆରମ୍ଭ

ଆଜିଠୁ ଗାଁରେ ସଭା କରିବେ ବ୍ଲକଗ୍ରାଣ୍ଟ ଶିକ୍ଷକ

ଭୁବନେଶ୍ୱର : ଘୁଞ୍ଚିଲା ମାଟ୍ରିକ୍‌ ପ୍ରି-ଟେଷ୍ଟ ପରୀକ୍ଷା। ସମସ୍ତ ହାଇସ୍କୁଲରେ ସେପ୍ଟେମ୍ବର ୧୭ରୁ ପରୀକ୍ଷା ଆରମ୍ଭ ହେବାକୁ ଥିଲା। ଏବେ ତାହା ୨୪ ତାରିଖଠାରୁ ଆରମ୍ଭ ହେବ। ଗତ ଏକ ମାସ ହେଲା ଲଗାଣ ବର୍ଷା ଯୋଗୁଁ ପରୀକ୍ଷା ଘୁଞ୍ଚିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ କହୁଛନ୍ତି। ହେଲେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଳକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୪ ହଜାର ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ପରୀକ୍ଷା ଉପରେ ଉପରେ ପଡ଼ିଛି। ଶିକ୍ଷକ, ଶିକ୍ଷୟିତ୍ରୀ ହାଇସ୍କୁଲରେ ନ ରହିଲେ ପରୀକ୍ଷା ପରିଚାଳନା ପ୍ରଭାବିତ ହେବ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ୩୨ ଦିନ ଅତିକ୍ରମ କଲାଣି। ୪ ହଜାର ବିଦ୍ୟାଳୟ ଓ ଦେଢ଼ ହଜାର ମହାବିଦ୍ୟାଳୟର ଷାଠିଏ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ସମସ୍ତ ସ୍କୁଲ ଓ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କ ପ୍ରତି କେହି ବି ଗୁରୁତ୍ୱ ଦେଉନାହାନ୍ତି। ସରକାର ହାତ ଟେକିଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ନଛୋଡ଼ ବନ୍ଧା। କୌଣସି ବି ପରିସ୍ଥିତିରେ ସ୍କୁଲକୁ ଫେରିବାକୁ ସେମାନେ ନାରାଜ। ଏହାରି ଭିତରେ ସୋମବାରଠାରୁ ପୁଣିଥରେ ବ୍ୟାପକ ଆନ୍ଦୋଳନ କରିବାକୁ ଡାକରା ଦେଇଛି ମିଳିତ ମଞ୍ଚ।

ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ରାଜ୍ୟରେ ସରକାର ଚାଲିଛି କି ନାହିଁ ଜଣାପଡୁନି। ଷାଠିଏ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ୩୨ ଦିନ ହେଲା ଅହୋରାତ୍ର ଧାରଣାରେ ବସିଛନ୍ତି। ୩୦ଲକ୍ଷ ଛାତ୍ରଛାତ୍ରୀଙ୍କର ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ଶିକ୍ଷକମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲାଣି। ଏଥର ଜନତା ଦରବାରରେ ଫେରାଦ ହେବୁ। ଲୋକେ ଜମି, ଅର୍ଥ, ନଡ଼ା, ବାଉଁଶ ଦେଇ ଯେଉଁ ସବୁ ସ୍କୁଲ କଲେଜ ତିଆରି କରିଥିଲେ ସେଗୁଡ଼ିକୁ ରାଜ୍ୟ ସରକାର କେମିତି ଭାଙ୍ଗିଦେବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର କରିଛନ୍ତି ତାହା ଲୋକଙ୍କ ଆଗରେ ବଖାଣିବୁ। ଲିଫ୍‌ଲେଟ୍‌ ବାଣ୍ଟିବୁ। ପଞ୍ଚାୟତରେ ପଦଯାତ୍ରା କରାଯିବ। ପଞ୍ଚାୟତସ୍ତରୀୟ ଶିକ୍ଷା ବିକାଶ ମଞ୍ଚ ଗଢ଼ାଯିବ। ଏଥିରେ ଛାତ୍ର, ଯୁବ, କୃଷକ, ଶ୍ରମିକ, ମହିଳାଙ୍କୁ ସାମିଲ କରାଯିବ। ଏହା ସତ୍ତ୍ୱେ ଯଦି ଦାବି ପୂରଣ କରା ନ ଯାଏ ତେବେ ସେପ୍ଟେମ୍ବର ୨୦ରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ସମ୍ବନ୍ଧିତ ଖବର