ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ବିଭ୍ରାଟ!

ପରୀକ୍ଷା ଚାଲିଥିବା ବେଳେ ଭାଇରାଲ ହେଲା ପ୍ରଶ୍ନପତ୍ର
ପରୀକ୍ଷା କେନ୍ଦ୍ରରେ ପଶିଲା ମାଳ ମାଳ ମୋବାଇଲ୍‌
ପାଚେରି ଡେଇଁ କପି ଯୋଗାଇଲେ ଅଭିଭାବକ
 ଭୁବନେଶ୍ୱରରେ ବୁଲିଲେ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ

ଭୁବନେଶ୍ୱର : ଆଜି ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ସୃଷ୍ଟି ହୋଇଛି ବିଭ୍ରାଟ। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ପ୍ରଥମ ଦିନରେ କେନ୍ଦ୍ରାପଡ଼ାଠାରୁ ଆରମ୍ଭ କରି ନବରଙ୍ଗପୁର ପର୍ଯ୍ୟନ୍ତ ରାଜ୍ୟର ଏକାଧିକ କେନ୍ଦ୍ରରେ ବିଭିନ୍ନ ବିଭ୍ରାଟ ନଜରକୁ ଆସିଛି।

ପ୍ରଥମ ଦିନରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ହ୍ଵାଟ୍‌ସଆପ୍‌ରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଘଟଣା। ଏହାକୁ ନେଇ ପୂର୍ବାହ୍ନ ୯ଟା ୩୦ରୁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ମାତୃଭାଷା ବିଷୟର ‘ଏ’, ‘ବି’, ‘ସି’ ସେଟ୍‌ର ପ୍ରଶ୍ନପତ୍ର ମୋବାଇଲ୍‌ରୁ ମୋବାଇଲ୍‌କୁ ଡେଇଁ ଚାଲିଥିଲା। କେଉଁଠୁ ଆସିଲା ପ୍ରଶ୍ନପତ୍ର? କିଭଳି ଭାଇରାଲ ହେଲା? କିଏ କଲା? ଏହାକୁ ନେଇ ସବୁଠି ଚାଲିଥିଲା ତମ୍ବିତୋଫାନ। ଗୋଟିଏ ପଟେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଥିବା ବେଳେ ବାହାରେ ଥିବା ଅଭିଭାବକଙ୍କ ମଧ୍ୟରେ ବି ଭାଳେଣି ପଡ଼ିଯାଇଥିଲା। ଯଦି ପ୍ରଶ୍ନପତ୍ର ଲିକ୍‌ ହୋଇଥିବ ତେବେ ପୁଣିଥରେ ପରୀକ୍ଷା ହେବା ଭୟ ସେମାନଙ୍କୁ ଘାରିଥିଲା। ଶେଷରେ ଜଣାପଡ଼ିଥିଲା ଯେ ପରୀକ୍ଷା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାରରେ ହ୍ଵାଟ୍‌ସ ଆପ୍‌ରେ ଏହି ପ୍ରଶ୍ନପତ୍ର ପ୍ରଥମେ ପଦାକୁ ଆସିଥିଲା। କେତେଜଣ ଅଭିଭାବକ ପ୍ରଶ୍ନପତ୍ର ଜେରକ୍ସ କରିବାକୁ ଆଣିଥିବା ସମୟରେ ତାହା ଭାଇରାଲ ହୋଇ ଯାଇଥିଲା।

ପ୍ରଶ୍ନପତ୍ର ଲିକ୍‌ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ଓ ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅଭିଭାବକଙ୍କୁ ଆଶ୍ୱାସନା ଦେଇଥିଲେ। ପ୍ରଶ୍ନପତ୍ର ଲିକ୍‌ ହୋଇ ନ ଥିବା ଉଭୟ ଗଣମାଧ୍ୟମକୁ କହିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍‌ ହୋଇ ନାହିଁ। ଘଟଣାର କେତେ ସତ୍ୟତା ରହିଛି ତାହା ଉପରେ ଅନୁସନ୍ଧାନ କରାଯିବ। ପ୍ରଶ୍ନପତ୍ରଗୁଡ଼ିକ ଯାଞ୍ଚ ହେବ। ପରୀକ୍ଷା କେନ୍ଦ୍ର ଭିତରକୁ ସୁପରିନ୍‌ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ମୋବାଇଲ୍‌ ନେବାର ନିୟମ ନାହିଁ। ତଥାପି କେଉଁଠି ଓ କିଭଳି ଭାବେ ପରୀକ୍ଷାରେ ସାମିଲ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମୋବାଇଲ୍‌ କେନ୍ଦ୍ର ଭିତରକୁ ନେଇଛନ୍ତି ତାହାର ଅନୁସନ୍ଧାନ ହେବ।

ବିଭାଗୀୟ ସଚିବ ଶ୍ରୀ ମହାପାତ୍ର ବି ସୂଚନା ଦେଇଥିଲେ ଯେ ପ୍ରଶ୍ନପତ୍ର ଭାଇରାଲ ହେବାର ସତ୍ୟତା ଯାଞ୍ଚ କରିବା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ତେବେ ପ୍ରଶ୍ନପତ୍ର ଲିକ୍‌ ହୋଇ ନାହିଁ। ତେଣୁ ଅଭିଭାବକ ବ୍ୟସ୍ତ ହେବା ଅନୁଚିତ। କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଚାଲିଛି।
ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍‌ ହୋଇ ନାହିଁ। ପରୀକ୍ଷା ଆରମ୍ଭ ହେବାର ୩୦ରୁ ୪୦ ମିନିଟ୍‌ ପରେ ପ୍ରଶ୍ନପତ୍ର ମୋବାଇଲ୍‌ ଯୋଗେ ଭାଇରାଲ ହୋଇଥିବା କୁହାଯାଉଛି। ତେଣୁ କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ବାହାରକୁ ଚାଲି ଆସିଥାଇପାରେ। କେତେକ ସ୍ଥାନରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ କେନ୍ଦ୍ର ପରିସରରେ ମୋବାଇଲ୍‌ ବ୍ୟବହାର କରୁଥିବା ଏବେ ନଜରକୁ ଆସିଛି। ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ଆଗକୁ ଥିବା ବିଷୟଗୁଡ଼ିକର ପରୀକ୍ଷାରେ ଯେପରି ଏମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି ମାତୃଭାଷା ବିଷୟର ପରୀକ୍ଷା ରହିଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କଠାରୁ ବାହାରିଥିଲା ପୁଳା ପୁଳା କପି। କେତେକ ସ୍ଥାନରେ ଅଭିଭାବକ କପି ଯୋଗାଇବାରେ ଟିକିଏ ବି ହେଳା କରିନଥିଲେ। ପାଚେରି, ଗ୍ରିଲ୍‌ ଡେଇଁ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିଥିଲେ ଅଭିଭାବକ ଓ ସମ୍ପର୍କୀୟ। ଜଗତସିଂହପୁର ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ଦୁଇ ମହଲା କୋଠା ଚଢ଼ି କପି ଯୋଗାଉଥିବା ଭିଡିଓ ମଧ୍ୟ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସେହିପରି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଚୁକ୍ତିଭିତ୍ତିକ ଶିକ୍ଷକମାନେ କଳା ବ୍ୟାଜ୍‌ ପିନ୍ଧି ପରୀକ୍ଷା ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ସେମାନେ କେନ୍ଦ୍ରରେ ଥିବା ବେଳେ ମୋବାଇଲ୍‌ ବ୍ୟବହାର କରୁଥିବା ନଜରକୁ ଆସିଛି। ପରୀକ୍ଷା ହଲ୍‌ ଭିତରେ କଳା ବ୍ୟାଜ୍‌ ପିନ୍ଧିବାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ତେଣୁ ବାରଣ ସତ୍ତ୍ୱେ କେନ୍ଦ୍ର ଭିତରକୁ କିଭଳି ମୋବାଇଲ୍‌ ଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହାରି ଭିତରେ ମନ୍ତ୍ରୀ ଶ୍ରୀ ପାତ୍ର୍ର ଓ ସଚିବ ଶ୍ରୀ ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ପରୀକ୍ଷା ପରିଚାଳନାର ଯାଞ୍ଚ କରିଥିଲେ।

ପ୍ରଶ୍ନପତ୍ର ଲିକ୍‌ ଗୁଜବ, ମାତୃଭାଷାରେ ୭୪ଜଣ ମାଲ୍‌ପ୍ରାକ୍ଟିସ୍‌

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ )ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଥିଲାବେଳେ କପି କରି ୭୪ଜଣ ଏମ୍‌ପି (ମାଲ୍‌ପ୍ରାକ୍ଟିସ୍‌) ହୋଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ସ୍କ୍ଵାଡ ପକ୍ଷରୁ ୪୯ଜଣ ଓ ସ୍ୱତନ୍ତ୍ର ସ୍କ୍ଵାଡ ପକ୍ଷରୁ ୨୫ଜଣଙ୍କୁ କପି କଲା ବେଳେ ଧରାଯାଇଛି। ତେବେ ପ୍ରଥମ ଦିନର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଘଟଣା ଚାରିଆଡେ ପ୍ରଘଟ ହୋଇଥିଲା। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏହି ଖବରକୁ ଖଣ୍ଡନ କରିଛନ୍ତି। ପରୀକ୍ଷା ଆରମ୍ଭ ହେବା ପରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ରର କପି ଚାରିଆଡେ ବୁଲୁଥିଲା। ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ କୌଣସି ସୂଚନା ନାହିଁ। ତଥାପି ଏହି ଗୁଜବ କିଏ, କାହିଁକି ଓ କିପରି ଖେଳାଇଛି ତାହା ଉପରେ ତଦନ୍ତ କରାଯିବ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ କହିଛନ୍ତି। ବୋର୍ଡ ପରୀକ୍ଷାରେ ସମ୍ପୃକ୍ତ ଅଧ୍ୟାପକ ଓ ଶିକ୍ଷକମାନେ କେନ୍ଦ୍ର ଭିତରକୁ ମୋବାଇଲ ନନେବାକୁ କଡ଼ା କଟକଣା ରଖାଯାଇଛି। ତେବେ ଅନ୍‌ଲାଇନ୍‌ ଅପଡେଟ୍‌ ପାଇଁ କେନ୍ଦ୍ର ଅଧୀକ୍ଷକଙ୍କୁ ମୋବାଇଲ୍‌ ନେବାକୁ ଅନୁମତି ଦିଅଯାଇଛି। ତେଣୁ ତଦନ୍ତ ସମୟରେ ଯେଉଁମାନେ ହଲ୍‌ ଭିତରକୁ ମୋବାଇଲ ଫୋନ୍‌ ନେଇଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାପତି କହିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମୋଟ ୬ ଲକ୍ଷ ୮୦୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର