ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣା ବୋର୍ଡ ପରିସରରେ ବିକ୍ଷୋଭ, ଭଙ୍ଗାରୁଜା

ଏବିଭିପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ପରିସରରେ ଘଟିଛି ତୁମୁଳକାଣ୍ଡ। ଘଟଣାର ତଦନ୍ତ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି। ଫାଟକ ଗ୍ରିଲ୍‌ ଭାଙ୍ଗିବା ସହ ଭିତରେ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କୁ ବି ଠେଲାପେଲା କରିଛନ୍ତି। ଏ ପ୍ରକାର ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଡିସିପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ୱରେ ସମସ୍ତ ଜୋନ୍‌ର ଏସିପି, ବିଭିନ୍ନ ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଏବିଭିପି କର୍ମୀଙ୍କୁ ବୁଝାସୁଝା କରି ସେଠାରୁ ବାହାର କରିବାକୁ ଉଦ୍ୟମ କରିଥିଲେ ବି ପୁଲିସ ସେଥିରେ ସଫଳ ହୋଇ ନଥିଲା। ଫଳରେ ପୁଲିସ ଲାଠି ଧରି ଏବିଭିପି କର୍ମୀଙ୍କୁ ପିଟିବା ଆରମ୍ଭ କରିଥିଲା। ଡିସିପି ନିଜେ ଲାଠି ଧରି ଉତ୍ତ୍ୟକ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିବା ଆରମ୍ଭ କରିଥିଲେ। ଏହି ଘଟଣାରେ ୫ରୁ ଅଧିକ ପୁଲିସ ଓ ପ୍ରାୟ ୧୦ ଜଣ ଏବିଭିପି ସଦସ୍ୟ ଆହତ ହୋଇଛନ୍ତି। ପୁଲିସ ୨୧ ଜଣଙ୍କୁ ଏହି ଘଟଣାରେ ଗିରଫ କରିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବୋର୍ଡ ପରିସରରେ ପୁଲିସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ ମାତୃଭାଷା ଓଡ଼ିଆ ଓ ଇଂରାଜୀ ମାଟ୍ରିକ ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାର ତଦନ୍ତ କରିବାକୁ ଏବିଭିପି ରାଷ୍ଟ୍ରୀୟ ମନ୍ତ୍ରୀ ଅଭିଳାଶ ପଣ୍ଡାଙ୍କ ନେତୃତ୍ୱରେ ୫୦ରୁ ଅଧିକ କର୍ମୀ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଥିିଲେ। କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମଙ୍କୁ ଆଲୋଚନା କରିବାକୁ ଡାକିଥିଲେ। ସଭାପତି ଆଲୋଚନା କରିବାକୁ ଆସିଥିବା ବେଳେ ପରିଷଦର କର୍ମୀମାନେ ତାଙ୍କ ଆଡକୁ ମାଡି ଆସିଥିଲେ। ବୋର୍ଡର କର୍ମଚାରୀ ଏହାକୁ ବିରୋଧ କରିବାରୁ ସେମାନଙ୍କ ସହିତ ଏବିଭିପି କର୍ମୀମାନଙ୍କର ଠେଲାପେଲା ହୋଇଥିଲା। ବୋର୍ଡ ସଭାପତି ଓ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟକୁ ପଶି ମୁଖ୍ୟ ଗେଟ ଦେବାକୁ ଚେଷ୍ଟା କରୁଥିବା ବେଳେ କର୍ମୀମାନେ ଗେଟକୁ ଭାଙ୍ଗି ଭିତରକୁ ପଶଥିଲେ। କାର୍ଯ୍ୟାଳୟରେ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ଖବର ପାଇ ଏସିପି ତ୍ରିନାଥ ମିଶ୍ରଙ୍କ ସହିତ ମଙ୍ଗଳାବାଗ, ମାଲଗୋଦାମ, ଲାଲବାଗ, କ୍ୟାଣ୍ଟେନ୍‌ମେଣ୍ଟ, ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ କର୍ମୀଙ୍କୁ ବୁଝାସୁଝା କରିଥିଲେ। ତେବେ କର୍ମୀମାନେ ବୋର୍ଡ ସଭାପତିଙ୍କ ସହିତ ଆଲୋଚନା କରିବାକୁ ଅଡି ବସିଥିଲେ। ପରେ ଡିସିପି ଅଖିଳେଶ୍ୱର ସିଂହ ଅଧିକ ଫୋର୍ସ ସହ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି କର୍ମୀମାନଙ୍କୁ ବାହାରକୁ ଯିବାକୁ କହିଥିଲେ। ମାତ୍ର ଡିସିପିଙ୍କ କଥାନଶୁଣି ପୂର୍ବପରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୁଲିସ ଲାଠି ଧରି ସେମାନଙ୍କୁ ଘଉଡାଇବା ଆରମ୍ଭ କରିଥିଲା। ଏବିଭିପି କର୍ମୀଙ୍କ ସହ ଧସ୍ତାଧସ୍ତି ସମୟରେ ବୋର୍ଡର ୫ କର୍ମଚାରୀ ଓ ୫ ପୁଲିସ ଆହତ ହୋଇଛନ୍ତି। ଆହତ ପୁଲିସଙ୍କ ମଧ୍ୟରେ ଜୋନ୍‌-୨ ଏସିପି ଶେଖ୍‌ ସରିଫୁଦ୍ଦିନ୍‌, ଆଡସିନାଲ ଆଇଆଇସି ମାନସ କୁମାର ବାରିକ, ଏଏସ୍‌ଆଇ ପି.କେ ଶତପଥୀ, ଇନ୍ସପେକ୍ଟର ତାପସ ପ୍ରଧାନ, ବିଶ୍ୱଜିତ ମହାନ୍ତି ଅଛନ୍ତି। ପୁଲିସ ମାଡରେ ଏବିଭିପିର ୧୦ରୁ ଅଧିକ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାକୁ ନେଇ ମଙ୍ଗଳାବାଗ ଥାନାରେ ବୋର୍ଡ ସଭାପତି ଓ କମିସନର ପୁଲିସ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୧୪୭, ୩୪୧, ୨୯୪, ୩୨୩, ୩୫୪, ୩୫୩, ୩୦୭, ୩୩୨, ୪୨୭, ୪୪୮, ୫୦୬, ୧୪୯ ଏବଂ ୩ ପିଡିପିପି ଆକ୍ଟ/୭ ସିଆରଏଲ୍‌ଏ ଆକ୍ଟରେ ମାମଲା ରୁଜୁ କରି ୨୧ଜଣ ଏବିଭିପି କର୍ମୀଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର