ଆରମ୍ଭରୁ ଗଡ଼ବଡ଼ : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌!

ପରୀକ୍ଷାର୍ଥୀଙ୍କୁ ଚିନ୍ତାରେ ପକାଇ ସରକାର ଚୁପ୍‌

ଭାଇରାଲ୍‌କୁ ନକଲି କହିଲେ ‌ଗଣଶିକ୍ଷା ମନ୍ତ୍ରୀ, ପରିଷଦ
ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ନାହିଁ
ଉଚ୍ଚ ପଦାଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ଭିଡିଓ କନ୍‌ଫରେନ୍ସିଂ ଆଜି

ଭୁବନେଶ୍ବର/କଟକ : ଏବର୍ଷ ବି ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ଭାଇରାଲ ହୋଇଛି ପ୍ରଶ୍ନପତ୍ର। ମାତୃଭାଷା ବିଷୟର ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଘଣ୍ଟା ପରେ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲିଥିଲା ପ୍ରଶ୍ନପତ୍ର। ଓଡ଼ିଆ ଭାଷାର ପ୍ରଶ୍ନପତ୍ର ବୁଲୁଥିଲେ ମଧ୍ୟ ତାହା ସତ କି ମିଛ, ଜାଣିବା କଷ୍ଟକର ଥିଲା। ପ୍ରଶ୍ନପତ୍ରଟି ଠିକ୍‌ କି ଭୁଲ୍‌ ଅଭିଭାବକ ଜାଣିପାରି ନ ଥିଲେ। କିଛି କ୍ଷଣ ମଧ୍ୟରେ ପ୍ରଶ୍ନପତ୍ରଟି ସାରା ଓଡ଼ିଶାରେ ବ୍ୟାପି ଯାଇଥିଲା। ଏପରିକି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ଧରିଥିଲା। ପରୀକ୍ଷା କେନ୍ଦ୍ର ବାହାରେ ଉପସ୍ଥିତ ଥିବା ଅଭିଭାବକ ସେମାନଙ୍କ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଥିଲେ। ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ‌ଶୁଣି ଛାତ୍ରଛାତ୍ରୀ ବି ମୁଣ୍ଡରେ ହାତ ଦେଇଥିଲେ।

ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଶ୍ନପତ୍ର ଭାଇରାଲ ଖବରକୁ ଖଣ୍ଡନ କରିଥିଲେ। ଶ୍ରୀ ଦାଶ କହିଥିଲେ ଯେ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ କୌଣସି ସୂଚନା ମିଳିନି। ସୋସିଆଲ୍‌ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ରର ଯାଞ୍ଚ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ବ ଦିଆଯାଇଛି। ସେମାନେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ। ଯଦି ଘଟଣାର ସତ୍ୟତା ଥିବ, ତେବେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।

ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଯାଞ୍ଚ କରାଯିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘଟଣାକୁ ଖଣ୍ଡନ କରାଯାଇଛି। ଏ ସଂକ୍ରାନ୍ତରେ କଟକସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ରାମାଶିଷ ହାଜରା, ସଂପାଦକ ଶ୍ରୀକାନ୍ତ ତରାଇ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି, ବୋର୍ଡ ସଂସ୍ଥା ଅଧିକାରୀ ମଞ୍ଜୁଲତା ମଲ୍ଲିକ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇନଥିବା ସ୍ପଷ୍ଟ କରିଛନ୍ତି। ସଭାପତି ଶ୍ରୀ ହ‌ାଜରାଙ୍କ କହିବା ଅନୁସାରେ, ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। କୌଣସି ବ୍ୟକ୍ତି ପରୀକ୍ଷାରେ ବିଭ୍ରାଟ ସୃଷ୍ଟି କରିବା ପାଇଁ କିଛି ନକଲି ପ୍ରଶ୍ନପତ୍ର ତିଆରି କରି ସୋସିଆଲ୍‌ ମିଡିଆ‌ରେ ଏପରି କରିଛି। ପରୀକ୍ଷାର୍ଥୀମାନେ ଏଥିରେ ବିଚଳିତ କିମ୍ବା ପ୍ରଭାବିତ ନହୋଇ ନିର୍ଭୟରେ ପରୀକ୍ଷା ଦିଅନ୍ତୁ। ଅଭିଭାବକ ଓ ଜନସାଧାରଣ ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ଶ୍ରୀ ହାଜରା ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଓ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖଣ୍ଡନ କରାଯିବା ପରେ ବି ଦ୍ବନ୍ଦ୍ବ ଦୂର ‌େହାଇନି। କାରଣ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ‘ବି’ ସେଟ୍‌ରେ ଥିବା କେ‌ତେକ ପ୍ରଶ୍ନ ମେଳ ଖାଉଥିବା ଛାତ୍ରଛାତ୍ରୀ କହିଛନ୍ତି। ଯଦି ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ନକଲି, ତେବେ ଘଟଣାର ୨୪ଘଣ୍ଟା ପରେ ବି ସରକାରଙ୍କ ପକ୍ଷରୁ ଥାନାରେ ଏତଲାଟିଏ ବି ଦିଆଯାଇନି। କିଏ ଓ କେଉଁଥିପାଇଁ ନକଲି ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଛାଡ଼ିଲା, ଧରିବା ପାଇଁ ଗଣଶିକ୍ଷା ବିଭାଗ କିମ୍ବା ପରିଷଦ କେହି ବି ତତ୍ପରତା ପ୍ରକାଶ କରିନାହାନ୍ତି। ବରଂ ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦ ତାରିଖ ତଥା ଗୁରୁବାର ଅପରାହ୍‌ଣରେ ଜରୁରୀକାଳୀନ ବୈଠକ ଡକାଯାଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପରିଷଦର ସଭାପତି, ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ୨୮୮୮ ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ, ଡେପୁଟି ନୋଡାଲ ଇନ୍‌ଚାର୍ଜ, ସେଣ୍ଟର୍‌ ଅବଜରଭର୍‌ ଓ ୩୦୭ଟି ନୋଡାଲ ସେଣ୍ଟର ଇନ୍‌ଚାର୍ଜଙ୍କ ସହ ଆଲୋଚନା କରିବେ। ସମସ୍ତ ଅଧିକାରୀ ଜିଲ୍ଲା ଓ ବ୍ଲକରେ ଥିବା ଓସ୍‌ୱାନ ଭିଡିଓ କନ୍‌ଫରେନ୍ସିଂ ସେଣ୍ଟର୍‌ରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି। ପରିଷଦର ଏଭଳି ତତ୍ପରତା ପରେ ପ୍ରଶ୍ନପତ୍ର ଭାଇରାଲ୍‌ର ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଇତି ମଧ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କ୍ୟାପିଟାଲ ଥାନା‌ରେ ଏତଲା ଦେଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ପ୍ରଶ୍ନପତ୍ର ଭାଇରାଲ ହେଉଥିଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ନେଉନି। ଯେଉଁଥିପାଇଁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ସତ୍ୟ ହେଉ କି ମିଥ୍ୟା‌, ଭାଇରାଲ ଘଟଣାରେ ଯିଏ ବି ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଭୁବନେଶ୍ବର ମହାନଗର ନିଗମ ସମ୍ପାଦକ ସମ୍ବିତ୍‌ ରାଉତ, ସୋମୁ ଦେ, ଭାବରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ମା‌ତୃଭାଷାରେ କପି କରି ୪୪ ଜଣ ଧରାପଡ଼ି ମାଲପ୍ରାକ୍ଟିସ (ଏମ୍‌ପି) ହୋଇଛନ୍ତି। ସେହିପରି ମୁକ୍ତ ବିଦ୍ୟାଳୟରେ ୨୪ଜଣ ଓ ମଧ୍ୟମାରେ ଜଣେ ଅସାଧୁ ଉପାୟ ଅବଲମ୍ବନ କରି ସ୍କ୍ବାଡ୍ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖ ଦିନ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର