ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର: କେବେ‌ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା ରହିଥିଲା, ଏବେ ତାହା ଶେ‌ଷ ହୋଇଛି।  ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବୋର୍ଡର ଦୁଇଟି ଓ୍ବେବସାଇଟ୍ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍‌ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ।

ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ସୂଚନା ଦେଇ କହିଛନ୍ତି ଯେ ୨୯ ତାରିଖ ସକାଳ ସାଢେ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଫଳାଫଳ ପ୍ରକାଶିତ ହେବ। ସାଢେ ୧୧ଟା ପରେ ଦୁଇଟି ଓ୍ବେବସାଇଟ୍ bseodisha.ac.in ଓ bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏହାଛଡ଼ା OR01(ରୋଲ୍ ନମ୍ବର)5676750କୁ ଏସଏମଏସ୍ କରିଲେ ପରୀକ୍ଷା ଫଳ ଜାଣି ହେବ।

ଆଗରୁ ମନ୍ତ୍ରୀ ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ‌ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଥିଲା। ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ। ଇତିମଧ୍ୟରେ ଖାତା ଦେଖା ଶେଷ ହେବା ସହିତ ଟାବୁଲେସନ୍ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବା ସୂଚନା ରହିଥିଲା।
ସୂଚନାଯୋଗ୍ୟ, ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା।ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା।

ହେଲେ କରୋନା ଯୋଗୁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଥିଲା। ସେହିପରି ମେ ୨୦ ତାରିଖରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଞ୍ଚଳରେ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

 

ସମ୍ବନ୍ଧିତ ଖବର