ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ପାସ ହାର ୭୮.୭୬ ପ୍ରତିଶତ

କଟକ: ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ ବାର୍ତ୍ତା ଜରିଆରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଶିକ୍ଷାବର୍ଷ ୨୦୧୯-୨୦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶପାଇଛି। ଗତ ବର୍ଷ ପାସ୍ ହାର ୭୦.୭୮ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଏହା ୭୮.୭୬ ପ୍ରତିଶତ ରହିଛି। ମୋଟାମୋଟି ଗତ ବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ବର୍ଷ ମୋଟ ୪ ଲକ୍ଷ ୨୧ ହଜାର ୨୫୬ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପାସ୍ କରିଛନ୍ତି । ଏଥିରେ ଏ-୧ ଗ୍ରେଡରେ ୧୨୭୯ ଜଣ, ଏ-୨ ଗ୍ରେଡରେ ୮୪୫୮ ଜଣ, ବି-୧ ଗ୍ରେଡରେ ୧୮ହଜାର ୧୮୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେହିଭଳି ବି-୨ ଗ୍ରେଡରେ ୩୧ ହଜାର ୩୨୮ ଜଣ, ସି-ଗ୍ରେଡରେ ୪୯ହଜାର ୧୫୩ ଜଣ, ଡି-ଗ୍ରେଡରେ ୮୯ ହଜାର ୫୫୬ ଜଣ ଓ ଇ-ଗ୍ରେଡରେ ୨ ଲକ୍ଷ ୨୩ ହଜାର ୧୯୫ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବୋର୍ଡ ସଭାପତି ରାମାଶିଷ ହଜାରା ପ୍ରମୁଖ ଉପସ୍ଥିତ ଥିଲେ ।

ମାଟ୍ରିକ ପରୀକ୍ଷା ଫଳ ୱେବସାଇଟ ଓ ଏସ୍‌ଏମ୍‌ଏସ୍ ଜରିଆରେ ଉପଲବ୍ଧ ହୋଇଛି । ବୋର୍ଡର ୱେବସାଇଟ www.bseodisha.ac.inwww.bseodisha.nic.inରେ ଛାତ୍ରଛାତ୍ରୀ ମାଟ୍ରିକ ରେଜଲ୍ଟ ଦେଖିପାରିବେ । ସେହିଭଳି OR01<roll no> ଲେଖି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍ କଲେ ଫଳ ଜାଣି ପାରିବେ ।

କୋଭିଡ-୧୯ କଟକଣା ମଧ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଯାଇଛି । ସେହିଭଳି କିଛି ଶିକ୍ଷାର୍ଥୀ, ଅଭିବାଭକ ଓ ଶିକ୍ଷକଙ୍କ ମନରେ ରେଜଲ୍ଟ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପିଲାମାନେ କେଉଁଠି ପଢ଼ିବେ ସେଥିପାଇଁ ମଧ୍ୟ ଯୋଜନା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

ସମ୍ବନ୍ଧିତ ଖବର