୩୦ ସୁଦ୍ଧା ମାଟ୍ରିକ୍‌ ଫଳ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଫଳ ଚଳିତ ମାସ (ଜୁନ୍‌) ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ। ତେବେ କେଉଁ ତାରିଖରେ ପ୍ରକାଶ ପାଇବ ତାହା ସ୍ଥିର ହୋଇନାହିଁ। ଡିଇଓଙ୍କଠାରୁ ରିପୋର୍ଟ ମିଳିବା ପରେ ପରୀକ୍ଷା ଫଳ ପ୍ରକାଶ ଦିଗରେ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି ଚଲାଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ସବୁ କିଛି ସରିବ ବୋଲି ଆଶା କରାଯାଉଛି। ଯୁକ୍ତ୨ ମୂଲ୍ୟାୟନ କିଭଳି ହେବ ସେନେଇ ବିଶେଷଜ୍ଞ କମିଟି ନିଷ୍ପତ୍ତି ନେବ। କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିବା ପରେ ଆମେ ପଦକ୍ଷେପ ନେବୁ।

ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ ଆହୁରି କହିଛନ୍ତି ଯେ ରଜ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ବର୍ତମାନ ସମୟରେ ସ୍କୁଲ ଖୋଲିବା ସମ୍ଭବପର ହେଉ ନ ଥିବାରୁ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଇଛି। ତେବେ ସ୍କୁଲ କେବେ ‌ଖୋଲିବ ତାହା ଏବେ କହି ହେବ ନାହିଁ।

ଆସନ୍ତା ଜୁନ୍‌ ୧୭ରୁ ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୂରଦର୍ଶନ ମାଧ୍ୟମରେ ହେବ। ୧୭ରୁ ୨୨ ତାରିଖ ମଧ୍ୟରେ ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଷୟର ଶିକ୍ଷାଦାନ ଦୂରଦର୍ଶନରେ ପ୍ରସାରିତ ହେବ। ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏହି ରେକଡିଂ କ୍ଲାସ୍‍ ପ୍ରସାରିତ ହେବ। ୧୭, ୧୮ ଓ ୨୧ ତାରିଖରେ ଫିଜିକ୍ସ ଓ ୨୨ ତାରିଖରେ ରସାୟନ ବିଜ୍ଞାନ କ୍ଲାସ ପ୍ରସାରିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏସମ୍ପର୍କରେ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଓ ଜୁନିଅର କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଅନ୍ୟପକ୍ଷରେ ଜୁନ୍‌ ୨୧ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ଶିକ୍ଷା ଦିଆଯିବ। ପ୍ରତିଦିନ ୩୦ ମିନିଟ୍‌ ଲେଖାଏଁ ୪ଟି ପିରିୟଡ ଅନୁଷ୍ଠିତ ହେବ। ଜୁଲାଇ ଶେଷ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ ଏହି ଅନ୍‌ଲାଇନ୍‌ କ୍ଲାସ ଚାଲିବ। ତାହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଷୟବସ୍ତୁ ସ୍ଥିର କରିବାକୁ କୁହାଯାଇଛି। ୧୮ ତାରିଖରେ ଡିଇଓମାନଙ୍କର ବୈଠକ ଡକାଯାଇଛି। ଯେଉଁଥିରେ ୩୦ଟି ଯାକ ଜିଲ୍ଲାର ଡିଇଓ ସାମିଲ ହେବେ। ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ସଂପର୍କିତ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। କରୋନା ସହ ପିଲାଙ୍କୁ କିଭଳି ଶିକ୍ଷା ଦିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ବିଚାରବିମର୍ଶ ହେବ। ସ୍କୁଲ ଖୋଲିବା ନେଇ ଏବେ କିଛି ବି କହି ହେବ ନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀର ବିକଳ୍ପ ମୂଲ୍ୟାୟନ ପାଇଁ ଗଠିତ ହୋଇଥିବା ବିଶେଷଜ୍ଞ କମିଟିର ଏକାଧିକ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜୁନ୍‌ ୧୫ ସୁଦ୍ଧା ବିଶେଷଜ୍ଞ କମିଟି ସିବିଏସ୍‌ଇ ବୋର୍ଡକୁ ରିପୋର୍ଟ ପ୍ରଦାନ କରିବ। ତାହାକୁ ଅନୁଧ୍ୟାନ କରି ସିବିଏସ୍‌ଇ ନିୟମାବଳି ଜାରି କରିବ। ଧାର୍ଯ୍ୟ ମାର୍କଗୁଡ଼ିକ ସ୍କୁଲଗୁଡ଼ିକଠାରୁ ସଂଗ୍ରହ କରାଯିବା ପରେ ଜୁଲାଇ ମାସରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର