ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍ ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାଫଳ ଜୁଲାଇ ୩୧ତାରିଖ ମଧ୍ୟରେ ପ୍ରକାଶ ପାଇବ। ସୋମବାର ସୁଦ୍ଧା ବୋର୍ଡ ପକ୍ଷରୁ ଚୂଡାନ୍ତ ତାରିଖ ଘୋଷଣା କରାଯିବ ବୋଲି ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ଖାତା ମୂଲ୍ୟାୟନ ଓ ମାର୍କ ପୋଷ୍ଟିଂ ସରିଥିବା ବ‌େଳେ ଅନ୍ତିମ ପର୍ଯ୍ୟାୟରେ ରହିଥିବା ତ୍ରୁଟି ସଂଶୋଧନ ଚାଲିଛି। ଜୁଲାଇ ୭ତାରିଖରୁ ମୂଲ୍ୟାୟନ ସରିଥିବାବେଳେ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ କମ୍ପ୍ୟୁଟର ଫାର୍ମକୁ ମାର୍କ ପୋଷ୍ଟିଂ ‌ହୋଇଥିଲା। ମୂଲ୍ୟାୟନ ପରେ‌ ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କ ମିସ୍‌ମ୍ୟାଚ୍ ହୋଇଥିଲା ବା ବିଭିନ୍ନ ବିଷୟରେ ଅସଂଗତ ମାର୍କ ଥିବା ଜଣାପଡ଼ିଥିଲା, ସେ କ୍ଷେତ୍ରରେ ପିଲାଙ୍କ ପରୀକ୍ଷା ଖାତା କଢ଼ାଯାଇ ତା ସହିତ ମାର୍କକୁ ମିଳାଇ ସଂ‌ଶୋଧନ କରାଯାଇଛି। ଏଥିପାଇଁ ପାଖାପାଖି ୧୫ଦିନ ସମୟ ଲାଗିଥିବା ସୂଚନା ମିଳିଛି। ଏବେ ସବୁ ପରୀକ୍ଷାଫଳ ଚୂଡ଼ାନ୍ତ ହୋଇଥିବାବେଳେ ଆସନ୍ତା ଦୁଇ ଦିନରେ ବୋର୍ଡ ପକ୍ଷରୁ ଫଳ ପ୍ରକାଶନର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ।

ସୂଚନା ଯୋଗ୍ୟ, ଚଳିତ ୨୦୨୦ ହାଇସ୍କୁଲ ସାର୍ଟି‌ଫିକେଟ୍ (ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହୋଇଥିବା ମାର୍ଚ ୨ତାରିଖରେ ଶେଷ ହୋଇଥିଲା। ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପାଇଁ ୫ଲକ୍ଷ ୬୦ହଜାର ୯୦୫ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବାବେଳେ ରାଜ୍ୟ ୨୮୮୮ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ସମେତ ଉତ୍ତରଖାତା ରଖିବା ପାଇଁ ରାଜ୍ୟରେ ୩୦୭ଟି ନୋଡାଲ ସେଣ୍ଟର ଚୟନ ହୋଇଥିଲା। ସେହିପରି ମୂଲ୍ୟାୟନ ପାଇଁ ୬୦ଟି କେନ୍ଦ୍ର ଚୟନ ହୋଇଥିବାବେଳେ ମାର୍ଚ ୧୮ ଓ ୧୯ ଦୁଇ ଦିନ ମୂଲ୍ୟାୟନ ପରେ କୋଭିଡ ପାଇଁ ମୂଲ୍ୟାୟନ ବନ୍ଦ ରଖିଥିଲା। ଏପ୍ରିଲ୍‌ ୨୪ ତାରିଖରୁ ପୁଣି ଥରେ ମୂଲ୍ୟାୟନ ଆରମ୍ଭ ହୋଇ ଜୁଲାଇ ପ୍ରଥମ ସପ୍ତାହରେ ମୂଲ୍ୟାୟନ ସରିଥିଲା। ମୂଲ୍ୟାୟନ କାର୍ଯ୍ୟରେ ୨୨ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର