ମାଟ୍ରିକ୍‌ ପାସ୍‌ ହାର କମିଲା : ୭୦.୭୮% ପାସ୍, ୮ ବର୍ଷ ଭିତରେ ସର୍ବନିମ୍ନ

ମେଧା ହାର ହ୍ରାସ, ଏ-୧ ଗ୍ରେଡ୍ ସଂଖ୍ୟା ୧୧୮୧, ଛାତ୍ରଙ୍କଠାରୁ ଛାତ୍ରୀ ଅଧିକ ସଫଳ, ଶୀର୍ଷରେ ଝାରସୁଗୁଡା, କୋରାପୁଟ ସବାତଳେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷର ସାମଗ୍ରିକ ପାସ ହାର ରହିଛି ୭୦.୭୮ ପ୍ରତିଶତ। ପୂର୍ବ ବର୍ଷ ତୁଳନାରେ ପାଖାପାଖି ୬ ପ୍ରତିଶତ କମ୍। ୨୦୧୨ ଠାରୁ ଏ ପର୍ଯ୍ୟନ୍ତ ରହିଥିବା ପାସ୍ ହାର ତୁଳନାରେ ବି ଚଳିତ ବର୍ଷର ପାସ୍ ହାର ସର୍ବନିମ୍ନ। କେବଳ ସେତିକି ନୁହେଁ, ଏ-୧ (୯୦ ପ୍ରତିଶତ ଓ ତା’ଠାରୁ ଅଧିକ) ଏବଂ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ପୂର୍ବ ବର୍ଷ ମାନଙ୍କ ତୁଳନାରେ ହ୍ରାସ ପାଇଛି। ଶହେ ପ୍ରତିଶତ ପାସ୍ କରିଥିବା ସ୍କୁଲ ସଂଖ୍ୟା ହ୍ରାସ ପାଇଥିବା ବେଳେ କୌଣସି ପିଲା ପାସ୍ କରି ନଥିବା ସ୍କୁଲ ସଂଖ୍ୟା ବଢିଛି।

ଗଂଜାମରେ ଅଧିକ ଏ-୧, ନୂଆପଡା, ଦେବଗଡ଼ରେ ଶୂନ
୮୨ ସ୍କୁଲରେ ସମସ୍ତେ ଫେଲ୍, ୨୮୯ରେ ଶହେ ପ୍ରତିଶତ

ଚଳିତ ବର୍ଷ ମୋଟ ୧୧୮୧ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରିଛନ୍ତି। ସେମାନଙ୍କ ସଂଖ୍ୟା ମୋଟ ଛାତ୍ରଛାତ୍ରୀ ସଂଖ୍ୟାର ୨.୧ ପ୍ରତିଶତ। ସେହିଭଳି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪.୬୯ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୮୨ଟି ସ୍କୁଲରେ କେହି ପିଲା ପାସ କରି ନଥିବା ବେଳେ ସବୁ ପିଲା ପାସ କରିଥିବା ସ୍କୁଲ ସଂଖ୍ୟା ରହିଛି ୨୮୯। ଆଜି କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ ଫଳାଫଳ ଘୋଷଣା କରାଯିବା ସହ ଏଭଳି ଫଳାଫଳର କାରଣ ସଂପର୍କରେ ବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ, ବୋର୍ଡର ସଭାପତି ଡକ୍ଟର ଜାହାନ୍ ଆରା ବେଗମ, ସଂପାଦକ ରାମାଶିଷ ହାଜରା ଏବଂ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତିଙ୍କ ଉପସ୍ଥିତିରେ ଆଜି ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଫଳାଫଳ ସଂପର୍କରେ ସୂଚନା ଦେଇ ସଭାପତି ଡକ୍ଟର ବେଗମ କହିଥିଲେ, ମୁଖ୍ୟତଃ ତିନିଟି କାରଣରୁ ଏଭଳି ଫଳାଫଳ ହୋଇଛି। ନିଜ ‌ସ୍କୁଲ ବଦଳରେ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲରେ ଯାଇ ପରୀକ୍ଷା ଦେବା, ୪ଟି ସେଟ୍ ପ୍ରଶ୍ନପତ୍ର ପ୍ରସ୍ତୁତ ହେବା ଏବଂ ‌କପି ନିୟନ୍ତ୍ରଣ ପାଇଁ ବୋର୍ଡ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଯୋଗୁଁ ପୂର୍ବବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ‌ପାସ ପ୍ରତିଶତ ହ୍ରାସ ପାଇଛି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରାଜ୍ୟର ୫୩୫୬ କେନ୍ଦ୍ରରେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୫ ଲକ୍ଷ ୬୨ ହଜାର ୨୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୮୩୦ଟି କେନ୍ଦ୍ରରେ ୫ ଲକ୍ଷ ୩୫ ହଜାର ୮୬୦ ଜଣ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଲକ୍ଷ ୮୬ ହଜାର ୯୩୧ ଜଣ ପାସ୍ କରିଛନ୍ତି। ପାସ ହାର ରହିଛି ୭୨.୩୫ ପ୍ରତିଶତ। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ୧୧୮୦ ଜଣ, ଏ-୨ରେ ୯ ହଜାର ୯୮୩ ଜଣ, ବି-୧ରେ ୨୪ ହଜାର ୯୭୨ ଜଣ, ବି-୨ରେ ୪୬ ହଜାର ୧୬୫ ଜଣ, ସି-ରେ ୭୫ ହଜାର ୬୧୩ ଜଣ, ଡି-ରେ ୧ ଲକ୍ଷ ୧୪ ହଜାର ୫୮ ଜଣ, ଇ-ରେ ୧ ଲକ୍ଷ ୧୫ ହଜାର ୧୦ ଜଣ ପାସ କରିଛନ୍ତି। କପି କରି ୧୦୩୯ ଜଣ ମାଲପ୍ରାକ୍ଟିସ ହୋଇଥିବା ବେଳେ ୧୦ ଜଣଙ୍କର ନମ୍ବର ୱିଥହେଲ୍ଡ ରହିଛି। ରେଗୁଲାରରେ ୧ ଲକ୍ଷ ୮୬ ହଜାର ୧୮୮ ଜଣ ଛାତ୍ର ଏବଂ ୨ ଲକ୍ଷ ୭୪୩ ଜଣ ଛାତ୍ରୀ ପାସ କରିଛନ୍ତି।

ସେହିଭଳି ୨୪୨୪ଟି ପରୀକ୍ଷା କେନ୍ଦ୍ରରେ ୨୪ ହଜାର ୧୭୮ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୯ ହଜାର ୨୧ ଜଣ। ସେମାନଙ୍କ ମଧ୍ୟରେ ୪ ହଜାର ୫୭୬ ଜଣ ଛାତ୍ର ଓ ୪ ହଜାର ୨୬୫ ଜଣ ଛାତ୍ରୀ ଅଛନ୍ତି। ପାସ ହାର ରହିଛି ୩୭.୪୩ ପ୍ରତିଶତ। ଏ-୧ରେ ଜଣେ, ଏ-୨ରେ ୪ ଜଣ, ବି-୧ରେ ୧୨ ଜଣ, ବି-୨ରେ ୫୮ ଜଣ, ସି-ରେ ୨୯୮ ଜଣ, ଡି-ରେ ୧୮୨୫ ଜଣ, ଇ-ରେ ୬ ହଜାର ୫୯୨ ଜଣ ପାସ କରିଛନ୍ତି। ୭୪ ଜଣ ମାଲପ୍ରାକ୍ଟିସ ହୋଇଥିବା ବେଳେ ୨୩୧ ଜଣ କଂପାର୍ଟମେଣ୍ଟାଲରେ ପାସ କରିଛନ୍ତି।

ପତ୍ର ମାଧ୍ୟମ ରେଗୁଲାରରେ ୬୪ଟି କେନ୍ଦ୍ରରେ ୧୯୮୩ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୧୨୩ ଜଣ। ସେମାନଙ୍କ ମଧ୍ୟରେ ଅଛନ୍ତି ୬୭୮ ଜଣ ଛାତ୍ର ଓ ୪୪୫ ଜଣ ଛାତ୍ରୀ। ପାସ ହାର ରହିଛି ୫୬.୯୨ ପ୍ରତିଶତ। ଏ-୨ରେ ଜଣେ ପାସ୍ କରିଥିବା ବେଳେ ବି-୧ରେ ୭, ବି-୨ ରେ ୯୬, ସି- ରେ ୨୨୬, ଡି-ରେ ୩୬୦ ଏବଂ ଇ-ରେ ୪୩୩ ଜଣ ପାସ କରିଛନ୍ତି। ୧୦ ଜଣ ମାଲପ୍ରାକ୍ଟିସ ହୋଇଛନ୍ତି।

ପତ୍ର ମାଧ୍ୟମ ଏକ୍ସ-ରେଗୁଲାରରେ ୩୮ଟି କେନ୍ଦ୍ରରେ ୧୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ପାସ କରିଛନ୍ତି। ପାସ୍ ହାର ରହିଛି ୨୬.୧୮ ପ୍ରତିଶତ। ସି ରେ ୨ ଜଣ, ଡି ରେ ୧୯ ଜଣ, ଇ ରେ ୨୭ ଜଣ ପାସ କରିଥିବା ବେଳେ ୨ ଜଣ କଂପାର୍ଟମେଣ୍ଟାଲରେ ପାସ କରିଛନ୍ତି। ଜଣେ ମାଲପ୍ରାକ୍ଟିସ ହୋଇଛନ୍ତି।

ଜିଲ୍ଲା ଭିତ୍ତିରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ଦୃଷ୍ଟିରୁ ସବୁଠୁ ଅଧିକ ପାସ ହାର ରହିଛି ଝାରସୁଗୁଡାରେ। ଝାରସୁଗୁଡାରେ ପାସ ହାର ୮୫.୪୮ ପ୍ରତିଶତ ରହିଥିବା ବେଳେ ବାଲେଶ୍ବରରେ ୮୫.୨୧ ପ୍ରତିଶତ, ନବରଙ୍ଗପୁରରେ ୮୧.୮୦ ପ୍ରତିଶତ, ଜଗତସିଂହପୁରରେ ୮୧.୨୧ ପ୍ରତିଶତ, କଟକରେ ୮୦. ୫୮ ପ୍ରତିଶତ ଏବଂ ବରଗଡରେ ୮୦ ପ୍ରତିଶତ ପାସ କରିଛନ୍ତି। ଅନ୍ୟପଟେ ସବୁଠୁ କମ ପାସ ହାର ୫୦. ୬୧ ପ୍ରତିଶତ କୋରାପୁଟରେ ରହିଛି। ଏ-୧ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ସବୁଠୁ ଅଧିକ ୧୭୦ ଜଣ ଗଂଜାମ ଜିଲ୍ଲାରେ ରହିଥିବା ବେଳେ କଟକରେ ଅଛନ୍ତି ୧୬୦ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅଛନ୍ତି ୧୪୪ ଜଣ। ନୂଆପଡା ଓ ଦେବଗଡରେ କୌଣସି ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରି ନାହାନ୍ତି।

ସମ୍ବନ୍ଧିତ ଖବର