ମାଟ୍ରିକ୍‌ ଏସ୍‌ଏ-୧ ଆରମ୍ଭ: ପ୍ରଥମ ଦିନରେ ୧୦ ହଜାର ଅନୁପସ୍ଥିତ, ଇଂରାଜୀରେ ୧୫ ଜଣ ମାଲପ୍ରାକ୍ଟିସ୍‌

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷାର ସମ୍ମେଟିଭ୍‌ ଆସେସ୍‌ମେଣ୍ଟ୍ (ଏସ୍‌ଏ-୧) ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଉଦ୍‌ବେଗଜନକ ବିଷୟ ହେଉଛି ଯେ ପ୍ରଥମ ଦିନରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି। ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନା ଜାରି କରାଯାଇ ନଥିଲେ ବି ଜିଲ୍ଲା ଭିତ୍ତିରେ ଅନୁପସ୍ଥିତି ସଂଖ୍ୟାର ଚିତ୍ର ସାମ୍‌ନାକୁ ଆସିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୯୫୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ଗତବ‌ର୍ଷ ମାଟ୍ରିକ୍ ପରୀକ୍ଷାରେ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହି ଅନୁପସ୍ଥିତ ପଛରେ ବିଭିନ୍ନ କାରଣ ଦର୍ଶାଯାଇଥିଲା।

କଟକ ଜିଲ୍ଲାରୁ ୨୮,୮୫୪ ଜଣ ଫର୍ମପୂରଣ କରିଥିବା ବେଳେ ୨୮,୩୯୦ଜଣ ଆଜି ପରୀକ୍ଷା ଦେଇଛନ୍ତି। ସେହିପରି‌ କେନ୍ଦ୍ରାପଡ଼ାରୁ ଫର୍ମପୂରଣ କରିଥିବା ୨୦,୦୯୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୮ଜଣ ଅନୁପସ୍ଥିତ ରହିଛନ୍ତି। ଜଗତସିଂହପୁର ଜିଲ୍ଳାରେ ୨୧୮ଜଣ, ଅନୁଗୁଳରେ ୨୬୩ ଜଣ, କେନ୍ଦୁଝରରେ ୯୩୮ଜଣ, ପୁରୀ ଜିଲ୍ଲାରେ ୪୮୮ଜଣ, ଦେବଗଡ଼ ଜିଲ୍ଲାରେ ୬୧ଜଣ, ଖୋର୍ଦ୍ଧା ଜିଲ୍ଲାରେ ୧୯୫୫ଜଣ, ସମ୍ବଲପୁର ଜିଲ୍ଲାରେ ୩୭୦ଜଣ, ବରଗଡ଼ ଜିଲ୍ଲାରେ ୩୩୯ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। ୧୦ଟି ଜିଲ୍ଲାର ମୋଟ ୫୫୦୧ ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନ ପରୀକ୍ଷା ଦେଇ ନ ଥିବା ଜଣାପଡ଼ିଛି। ଏହି ହାରରେ ୩୦ଟି ଜିଲ୍ଲାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ପ୍ରଥମ ଦିନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୧୫ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ(ଏମ୍‌ପି) ହୋଇଛନ୍ତି ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଉପସଭାପତି ଡକ୍ଟର ମହାନ୍ତିଙ୍କ କହିବା ଅନୁସା‌ରେ, ଏବେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପ୍ରକୃତ ସଂଖ୍ୟା ବୋର୍ଡର ହସ୍ତଗତ ହୋଇନାହିଁ। ପରୀକ୍ଷା ସରିବା ପରେ ଅନୁପସ୍ଥିତିର ପ୍ରକୃତ ଚିତ୍ର ମିଳିବ ବୋଲି ଡକ୍ଟର ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ ଯେ ଆଜିଠାରୁ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା(ସଂସ୍କୃତ‌ ଟୋଲ), ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଷ୍ଟେଟ୍ ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର