କଟକ : ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନକୁ ମାସେ ପୂରିଲାଣି। ଏଯାଏଁ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍, ସାର୍ଟିଫିକେଟ୍ ମିଳିଲା ନାହିଁ। ଏପରିକି ଏଯାଏଁ ବୋର୍ଡ କାର୍ଯ୍ୟାଳୟକୁ ମାର୍କସିଟ୍ ଛପା ହୋଇଆସିନାହିଁ। ସ୍କୁଲକୁ ମାର୍କସିଟ୍ ଆସି ନଥିବାରୁ ପିଲାମାନେ ବାଧ୍ୟ ହୋଇ ନେଟ୍ରୁ ଡାଉନ୍ଲୋର୍ଡ କରି କଲେଜ୍ରେ ପଢ଼ିବା ପାଇଁ ଆବେଦନ କରୁଛନ୍ତି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ବିଳମ୍ବରେ ବାହାରିଥିବା ବେଳେ ସାର୍ଟିଫିକେଟ୍ ଓ ମାର୍କସିଟ୍ ଏଯାଏଁ ନମିଳିବା ବୋର୍ଡର ପରୀକ୍ଷା ପରିଚାଳନା ଓ ନିଷ୍ପତ୍ତି ନେବା ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ବୋର୍ଡ କର୍ତ୍ତୃପକ୍ଷ ଅଧିକ ଯତ୍ନଶୀଳ ହେବାକୁ ସାଧାରଣରେ ଦାବି ହେଉଛି।
ଉଲ୍ଲେଖଯୋଗ୍ୟ ଯେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଫଳ ମେ’ ୨୧ ତାରିଖରେ ଫଳ ପ୍ରକାଶ ପାଇଥିଲା। ଫଳ ପ୍ରକାଶନ ସମୟରେ ମେ’ ୩୧ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍, ମାଟ୍ରିକ୍ ସାର୍ଟିଫିକେଟ୍ ଆଦିକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯିବ ବୋଲି ଗଣଶିକ୍ଷା କମିସନର-ସଚିବଙ୍କ ଉପସ୍ଥିତିରେ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। କିନ୍ତୁ ଫଳ ପ୍ରକାଶନର ମାସେ ପରେ ମଧ୍ୟ ପିଲାଙ୍କୁ ମାର୍କସିଟ୍ ମିଳିନାହିଁ। ବୋର୍ଡ କର୍ତ୍ତୃପକ୍ଷଙ୍କ ବିଳମ୍ବ ଓ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଏପରି ବିଳମ୍ବ ହେଉଥିବା ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ଫଳ ପ୍ରକାଶନ ପରେ ପିଲାଙ୍କୁ ପ୍ରୋଭିଜିନାଲ କମ୍ ମେମୋରାଣ୍ଡମ୍ ଅଫ୍ ମାର୍କ(ପିସିଏମ୍) ପିଲାଙ୍କୁ ମିଳୁଥିଲା। ଏଥିରେ ପିଲାଙ୍କ ନାମ, ବାପ-ମା’ଙ୍କ ନାମ, ସ୍କୁଲ ନାମ ସମେତ ମାର୍କ ରହିଥିଲା। ଏହାକୁ ଦେଖାଇ ପିଲାମାନେ କଲେଜ୍ରେ ଆଡ୍ମିସନ କରୁଥିଲେ। ବର୍ଷକ ପରେ ଅରିଜିନାଲ ସାର୍ଟିଫିକେଟ୍ ମିଳିଥିଲା, ଯାହା ପିଲାଙ୍କ ଫର୍ମପୂରଣ ପାଇଁ ଦରକାର ହେଉଥିଲା। କିନ୍ତୁ କିଛି ବର୍ଷ ହେବ ବୋର୍ଡ ପକ୍ଷରୁ ଇନ୍ଷ୍ଟାଣ୍ଟ ସାର୍ଟିଫିକେଟ୍ ପିଲାଙ୍କୁ ଯୋଗାଇଦେବାକୁ ନିଷ୍ପତ୍ତି ହେଲା ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ପୂର୍ବରୁ ଯେଉଁ ସଂସ୍ଥା ଦ୍ବାରା ଇନ୍ଷ୍ଟାଣ୍ଟ ସାର୍ଟିଫିକେଟ୍ ଛପାଯାଉଥିଲା, ଚଳିତ ବର୍ଷ ବୋର୍ଡ କର୍ତ୍ତୃପକ୍ଷ ସେଠାରେ ନଛପାଇ ଦର କମାଇ ଅନ୍ୟ ସଂସ୍ଥା ପାଖରେ ଛାପୁଥିବା ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଏଧରଣର ନିଷ୍ପତ୍ତି ବିଳମ୍ବରେ ନିଆଯାଇଥିବାରୁ ସାର୍ଟିଫିକେଟ୍ ଆସିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଏବେ ବୋର୍ଡ କାର୍ଯ୍ୟାଳୟକୁ ସାର୍ଟିଫିକେଟ ଆସି ନଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ବୋର୍ଡ ସଂପାଦକ ରାମାଶିଷ ହାଜରା କହିଛନ୍ତି ଯେ, ବୋର୍ଡ ପରୀକ୍ଷା ମାର୍କସିଟ୍ ଓ ସାର୍ଟିଫିକେଟ୍ ବାହାରେ ଛପା ଯାଏ। ଚଳିତ ବର୍ଷ ମାଟ୍ରିକ୍ ସାର୍ଟିଫିକେଟ୍ରେ ସିକ୍ୟୁରିଟି ଫିଜରରେ କିଛିଟା ପରିବର୍ତ୍ତନ କରାଯାଇଛି। ମାର୍କସିଟ୍ ଓ ସାର୍ଟିଫିକେଟ୍ ଛପାସରିଛି। ଆଡ୍ମିସନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଖରେ ଏହା ପହଞ୍ଚିଯିବ। ସପ୍ତାହ ମଧ୍ୟରେ ସମସ୍ତ ସାର୍ଟିଫିକେଟ୍ ପିଲାଙ୍କୁ ମିଳିଯିବ ବୋଲି ସଂପାଦକ ଶ୍ରୀ ହାଜରା ସୂଚନା ଦେଇଛନ୍ତି।