ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ମାଗଣାରେ ଦିଆଯିବ ‘ପରୀକ୍ଷା ଦର୍ପଣ’: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ‘ପରୀକ୍ଷା ଦର୍ପଣ’ ନାମକ ଏକ ପୁସ୍ତିକା ମାଗଣାରେ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ୭୦୦ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାରେ ମାଟ୍ରିକ ପରୀକ୍ଷା ଲାଗି ସମ୍ଭାବ୍ୟ ପ୍ରଶ୍ନଉତ୍ତର ରହିବ। ରାଜ୍ୟର ୬ ଲକ୍ଷ ୨୦ହଜାର ୫୦୮ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏହି ପୁସ୍ତିକା ଜରିଆରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।
ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ‘ପରୀକ୍ଷା ଦର୍ପଣ’ ମାଗଣାରେ ଯୋଗାଇ ଦିଆଯିବ। ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା। ୭୦ ପ୍ରତିଶତ ସିଲାବସକୁ ନେଇ ପ୍ରସ୍ତୁତ ଏହି ଟେଷ୍ଟ ପେପର୍ ପିଲାଙ୍କୁ ଦିଆଯିବ। ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଏହା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କୋଭିଡ ମହାମାରୀ ଯୋଗୁ ରାଜ୍ୟରେ ସ୍କୁଲଗୁଡ଼ିକ ଗତବର୍ଷ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଥିଲା। ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି। ପିଲାମାନଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇ ଦିଆଯାଇଛି। ଏବେ ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି।
ଜାନୁଆରୀ ୮ ତାରିଖରୁ ରାଜ୍ୟରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରହିଛି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେଉଛି। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହୁଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରି ୮ରୁ ଏପ୍ରିଲ ୨୬ ତାରିଖ ଯାଏଁ ପାଠପଢ଼ା ହେବ। ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରି ୮ରୁ ଏପ୍ରିଲ ୨୮ତାରିଖ ଯାଏଁ ପାଠପଢ଼ା ଚାଲୁ ରହିବ।

 

ସମ୍ବନ୍ଧିତ ଖବର