ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା: ମାସ୍କ ପିନ୍ଧିବା ଓ କରୋନା ନିୟମ ମାନିବା ବାଧ୍ୟତାମୂଳକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା। ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।  ପ୍ରଥମ ୩ ଦିନ ୨ଟି ସିଟିଂ ହେବ ଥିଓରି ପରୀକ୍ଷା। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର। ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ମାସ୍କ ପିନ୍ଧିବା ଓ କରୋନା ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ।

ତାଙ୍କର ସୂଚନା ଅନୁଯାୟୀ, ସକାଳ ସାଢ଼େ ୮ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିବ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗରୁତ୍ୱ ଦିଆଯାଇଛି। ପ୍ରତିଟି ଶ୍ରେଣୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି। ପରୀକ୍ଷା କେନ୍ଦ୍ରର ଅଧୀକ୍ଷକମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବା ନେଇ ନିର୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର