ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ପ୍ରକାଶ: ୪୩.୬୨ ପ୍ରତିଶତ ପାସ୍

ଓପନ୍‌ ସ୍କୁଲ ପରୀକ୍ଷାରେ ୬୩.୪୪ ପ୍ରତିଶତ ପାସ୍‌

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ ଆଜି ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଏହି ପରୀକ୍ଷାର ସାମଗ୍ରିକ ପାସ୍‌ ହାର ୪୩.୬୨ପ୍ରତିଶତ ରହିଛି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ମୋଟ ୨୭ ହଜାର ୭୨୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୬ ହଜାର ୨୯୬ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ହଜାର ୪୪୫ଜଣ ପାସ କରିଛନ୍ତି।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ କେହି ପାଇନଥିବା ବେଳେ ଏ-୨ ଗେଡ୍‌ରେ ଜଣେ, ବି-୧ରେ ୧୨ଜଣ, ବି-୨ରେ ୬୮ଜଣ, ସି ଗ୍ରେଡ୍‌ରେ ୧୪୧ଜଣ, ଡି-ରେ ୧୯୧୭ ଜଣ, ଇ-ଗ୍ରେଡ୍‌ରେ ୮ହଜାର ୧୭୧ଜଣ ପାସ୍ କରିଛନ୍ତି। ୮୬୨ଜଣ ଛାତ୍ରଛାତ୍ରୀଙ୍କ ଫଳ କମ୍ପାର୍ଟମେଣ୍ଟାଲ ହୋଇଛି। ଏହି ପରୀକ୍ଷା ରାଜ୍ୟର ୨୯୬ଟି କେନ୍ଦ୍ରରେ ଅନୁ୍ଷ୍ଠିତ ହୋଇଥିଲା।

ସେହିପରି ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ଦ୍ବିତୀୟ) ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଓପନ୍‌ ସ୍କୁଲର ସାମଗ୍ରିକ ପାସ୍‌ ହାର ୬୩.୪୪ ପ୍ରତିଶତ ରହିଛି। ଓପନ୍ ସ୍କୁଲ ପରୀକ୍ଷା ପାଇଁ ୯୦୩୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫୬୧ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪ଜଣ ମାଲପ୍ରାକ୍ଟିସ ହୋଇଛନ୍ତି। ଓପନ୍‌ ସ୍କୁଲ‌ ପରୀକ୍ଷାରେ ୫୪୦୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏ-୧ ଗ୍ରେଡ଼୍ କେହି ପାଇନଥିବା ବେଳେ ଏ-୨ରେ ୨ଜଣ, ବି-୧ରେ ୪୧ଜଣ, ବି-୨ରେ ୫୦୫ଜଣ, ସି ଗ୍ରେଡ୍‌ରେ ୧୪୧୫ଜଣ, ଡି-ରେ ୧୮୪୧ଜଣ, ଇ- ଗ୍ରେଡ୍‌ରେ ୧୫୯୯ଜଣ ପାସ୍ କରିଛନ୍ତି। ଉଭୟ ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ଓପନ୍‌ ସ୍କୁଲ ପରୀକ୍ଷାଫଳ ବୁଧବାର ଅପରାହ୍‌ଣ ୧ଟାରୁ ‌ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଛଡାଯିବ ଏବଂ ପରୀକ୍ଷାର୍ଥୀମାନେ ରିଚେକିଂ ପାଇଁ ଅଗଷ୍ଟ ୮ରୁ ଅଗଷ୍ଟ୨୨ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶନ ସମୟରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ସଂପାଦକ ରାମାଶିଷ ହାଜରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର