ସେପ୍ଟେମ୍ବର ୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

କୋଭିଡ୍‌ ପାଇଁ ପୁଣି ପ୍ରଚଳନ ହେଲା ଓଏମ୍‌ଆର୍‌ ବ୍ୟବସ୍ଥା, ପରୀକ୍ଷା ସମୟ ୨ଘଣ୍ଟା ୩୦ ମିନିଟ୍ ବଦଳରେ ୨ଘଣ୍ଟା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କୋଭିଡ ସ୍ଥିତି ଯୋଗୁଁ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ସହିତ ପରୀକ୍ଷା ସଂପର୍କିତ ସୂଚନା ଜାରି କରାଯାଇଛି। ମାଟ୍ରିକ ପରୀକ୍ଷାରୁ ଉଠାଇ ଦିଆଯାଇଥିବା ଓଏମ୍ଆର (ଅତି ସଂକ୍ଷିପ୍ତ ପ୍ରଶ୍ନ) ବ୍ୟବସ୍ଥାକୁ ପୁଣି ପ୍ରଚଳନ କରାଯାଇଥିବାବେଳେ ପରୀକ୍ଷା ସମୟ ଅଢେଇ ଘଣ୍ଟାରୁ ୨ ଘଣ୍ଟାକୁ ହ୍ରାସ କରାଯାଇଛି। ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁଯାୟୀ ପରୀକ୍ଷା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଗୋଟିଏ ସିଟିଂରେ ଓ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ‌ଦେବେ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା‌ରେ ସରିବ। ସକାଳ ୯ଟା ୪୫ରେ ଉଭୟ ପାର୍ଟ-୧(ଅବ୍‌ଜେକ୍ଟିଭ୍) ଓ ପାର୍ଟ-୨(ସବ୍‌ଜେକ୍ଟିଭ୍‌) ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ ଓ ପାର୍ଟ-୧ ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ପାର୍ଟ-୨ ପରୀକ୍ଷା ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ।

ସେପ୍ଟେମ୍ବର ୧୪ ତାରିଖ ସୋମବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲ୍‌ଗୁ), ୧୫ ତାରିଖ ମଙ୍ଗଳବାର ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ-ପରିବେଶ ଓ ଜନସଂଖ୍ୟା ), ୧୬ ତାରିଖ ବୁଧବାର ତୃତୀୟ ଭାଷା ( ହିନ୍ଦୀ, ଓଡ଼ିଆ, ପାର୍ସି), ୧୮ ତାରିଖ ଶୁକ୍ରବାର ତୃତୀୟ ଭାଷା(ସଂସ୍କୃତ), ୧୯ତାରିଖ ଶନିବାର ଗଣିତ, ୨୦ ତାରିଖ ରବିବାର (ଭିଜୁଆଲ୍ ଆର୍ଟ ପ୍ରାକ୍ଟିକାଲ), ୨୧ତାରିଖ ସୋମବାର ସାଧାରଣ ବିଜ୍ଞାନ, ୨୨ତାରିଖ ମଙ୍ଗଳବାର ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ପାର୍ଟ-୧ ପରୀକ୍ଷାକୁ ଓଏମ୍ଆର ସିଟ୍‌ରେ ପୂରଣ କରିବେ ଓ ପାର୍ଟ-୨(କୋଶ୍ଚିନ୍-କମ୍‌-ଆନ୍ସର ବୁକ୍‌ଲେଟ୍‌) ପରୀକ୍ଷାକୁ ଲିଖିତ ଆକାରରେ ଦେ‌େବ‌ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ‌ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ସେପ୍ଟେମ୍ବର ୧୪ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ୧୦ଟାରୁ ୧୨ପର୍ଯ୍ୟନ୍ତ ହେବ ଓ ମାଟ୍ରିକ୍ ସପ୍ଲିମେଣ୍ଟାରି ଭଳି ପାର୍ଟ-୧(ଅବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୧୦ଟାରୁ ୧୧ଟା ‌ପର୍ଯ୍ୟନ୍ତ ହେବ ଏବଂ ଏହାର ଉତ୍ତର ଓଏମ୍ଆର୍ ସିଟ୍‌ ମାଧ୍ୟମରେ ପୂରଣ କରାଯିବ। ପାର୍ଟ-୨(ସବ୍‌ଜେକ୍ଟିଭ୍‌) ବିଭାଗରେ ଲିଖିତ ପରୀକ୍ଷା ହେବ। ସେ‌ପ୍ଟେମ୍ବର ୧୪ ତାରିଖ ସୋମବାର ଓଡ଼ିଆ, ୧୫ତାରିଖ ମଙ୍ଗଳବାର ଇଂରାଜୀ, ୧୬ତାରିଖ ବୁଧବାର ହିନ୍ଦୀ, ତେଲ୍‌ଗୁ ଓ ଉର୍ଦ୍ଦୁ, ୧୮ତାରିଖ ଶୁକ୍ରବାର ସଂସ୍କୃତ, ୧୯ତାରିଖ ଶନିବାର ଗଣିତ, ୨୦ ତାରିଖ ରବିବାର ହୋମ୍‌ ସାଇନ୍‌ସ(ଉଭୟ ଥିଓରୀ ଓ ପ୍ରାକ୍ଟିକାଲ), ୨୧ତାରିଖ ସୋମବାର ବିଜ୍ଞାନ, ୨୨ତାରିଖ ମଙ୍ଗଳବାର ସାମାଜିକ ବିଜ୍ଞାନ, ୨୩ ତାରିଖ ବୁଧବାର ଇଣ୍ଡିଆନ୍‌ କଲ୍‌ଚର ଆଣ୍ଡ୍‌ ହେରିଟେଜ୍‌, ୨୪ ତାରିଖ ଗୁରୁବାର ପେଣ୍ଟିଂ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ କରାଯିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର