ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ: ୭୦.୯୪% ପାସ୍‌

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଗୁରୁବାର ପୂର୍ବାହ୍‌ଣରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ସପ୍ଲିମେଣ୍ଟାରି ପରୀକ୍ଷାରେ ପାସ୍ ହାର ୭୦.୯୪ ପ୍ରତିଶତ ରହିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାସ୍‌ ହାର ୭୫.୬୭ ପ୍ରତିଶତ ରହିଛି।

ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୨୨ହଜାର ୬୬୧ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୧ହଜାର ୪୮୭ଜଣ ପରୀକ୍ଷା ଦେଇଥିଲେ। ୧୧୭୪ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ପରୀକ୍ଷାରେ ଅସଦ୍ ଉପାୟ ଅବଲମ୍ବନ କରି ୨୫ଜଣ ମାଲ୍‌ପ୍ରାକ୍ଟିସ୍ ହୋଇଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ହଜାର ୨୪୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଏ-୧ ଗ୍ରେଡ୍‌ ପାଇନଥିବାବେଳେ ୧୦ ଜଣ ଏ-୨, ୧୯୫ଜଣ ବି-୧, ୯୩୦ ଜଣ ବି-୨, ୧୯୦୨ଜଣ ସି-ଗ୍ରେଡ୍‌, ୩୧୪୦ ଜଣ ଡି-ଗ୍ରେଡ୍‌, ୯୦୬୭ ଜଣ ଇ-ଗ୍ରେଡ୍‌ରେ ପାସ୍ କରିଛନ୍ତି। ପାସ୍ ହାର ୭୦.୯୪ ପ୍ରତିଶତ ରହିଛି। ସପ୍ଲିମେଣ୍ଟାରି ପରୀକ୍ଷା ରାଜ୍ୟର ୧୫୩ଟି ପରୀକ୍ଷା କେନ୍ଦ୍ରରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ତାରିଖରେ ଶେଷ ହୋଇଥିଲା। କରୋନା ପାଇଁ ଚଳିତ ବର୍ଷ ସପ୍ଲିମେଣ୍ଟରି ପରୀକ୍ଷାରେ ପ୍ରତି ବି‌‌ଷୟ ଶହେ ନମ୍ବର ବଦଳରେ ୮୦ ନମ୍ବର ପରୀକ୍ଷା ହୋଇଥିଲା ଓ ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ (ଓଏମ୍‌ଆର୍‌ ସହାୟତାରେ) ଏବଂ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଥିଲା। ସପ୍ଲିମେଣ୍ଟାରି ପରୀକ୍ଷା ସମୟ ୨ଘଣ୍ଟା ୩୦ ମିନିଟ୍‌ ବଦଳରେ ୨ଘଣ୍ଟା ଧାର୍ଯ୍ୟ କରାଯାଇଥିଲା।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୧୨ହଜାର ୯୪୦ ଜଣ ଫର୍ମପୂରଣ କରିଥିବା ‌ବେଳେ ୧୨ହଜାର ୫୩୮ଜଣ ପରୀକ୍ଷା ଦେଇଥିଲେ ଓ ଅବଶିଷ୍ଟ ୪୦୨ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷା ‌ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ଜଣ ଏମ୍‌ପି ହୋଇଥିବା ବେଳେ ୧୨ହଜାର ୪୭୫ଜଣଙ୍କ ଫଳ ଆଜି ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୯୪୮୮ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବ‌େଳେ ଏ-୧ ଗ୍ରେଡ୍‌ରେ ଜଣେ, ଏ-୨ରେ ୨୮୨ଜଣ, ବି-୧ରେ ୧୫୬୯ଜଣ, ବି-୨ରେ ୨୪୨୨ଜଣ, ସି-ଗ୍ରେଡ୍‌ରେ ୨୨୬୧ଜଣ, ଡି-ଗ୍ରେଡ୍‌ରେ ୨୦୧୧ଜଣ, ଇ‌-ଗ୍ରେଡ୍‌ରେ ୯୪୨ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୮୦୬ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷା ସପ୍ଲିମେଣ୍ଟାରି ସହିତ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ତାରିଖରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର