ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

କଟକ : ଆସନ୍ତା ଜୁଲାଇ ୮ ତାରିଖରୁ ଉଭୟ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବ˚ ଓଡ଼ିଶା ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌(ଏସ୍‌ଆଇଓଏସ୍‌) ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାର ଫର୍ମ ପୂରଣ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୮ ତାରିଖ ମଧ୍ୟରାତ୍ରୀ ଯାଏ ଫର୍ମ ଦାଖଲ କରିପାରିବେ। ସେହିପରି ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ୧୮ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଫର୍ମ ପୂରଣ ଦାଖଲ କରାପାରିବେ। ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଫର୍ମ ଦାଖଲ କରାଯିବ। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ। ଉଭୟ ରେଗୁଲାର ଏବ˚ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟି˚ ଏବ˚ ଗୋଟିଏ ପ୍ରଶ୍ନପତ୍ର କରାଯିବ। ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୯ଟାରୁ ୧୧ଟା ୩୦ ଯାଏ ଚାଲିବ। କେବଳ ଗଣିତ ପରୀକ୍ଷା ଦିନ ୧୧ଟା ୪୫ ମିନିଟ୍‌ରେ ଶେଷ ହେବ।

ଭୋକେସନାଲ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ୍‌ ପରୀକ୍ଷାଗୁଡ଼ିକ ବାର୍ଷିକ ପରୀକ୍ଷା ଭଳି ଜୁନ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ନିଜ ବିଦ୍ୟାଳୟରେ ଆୟୋଜିତ ହେବ। ସେହିପରି ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌(ଏସ୍‌ଆଇଓଏସ୍‌) ପରୀକ୍ଷା ୮ ଜୁଲାଇରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଚାଲିବ। ପିଟିର ଥିଓରି ଓ ପ୍ରାକ୍ଟିକାଲ୍‌ ଏବ˚ ଏଚ୍‌ଏସ୍‌ର ପ୍ରାକ୍ଟିକାଲ ପରୀକ୍ଷା ବ୍ୟତୀତ ଅନ୍ୟ ବିଷୟଗୁଡ଼ିକରେ ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ଯାଏ ଚାଲିବ। ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ଓ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିହାର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର