୧୮ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ, ୬୧ଟି କେନ୍ଦ୍ରରେ ୧୧ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ମୂଲ୍ୟାୟନ କରିବେ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ୬୧ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। କଡ଼ାସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ୧୧ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୧୯ରେ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ମୋଟ ୫ ଲକ୍ଷ ୬୨ ହଜାର ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ନୂତନ ଢାଞ୍ଚାରେ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା। ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିବାକୁ ବାରଣ କରାଯାଇଥିଲା।

ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ ପାଇଁ ନକ୍ସା ତିଆରି ହୋଇଥିଲା। ପ୍ରଥମ ଥର ଲାଗି ଏଥର ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଏକ ଡିଜିଟାଲ କୋଡ ଖଞ୍ଜାଯାଇଥିଲା। କିନ୍ତୁ ଶତାଧିକ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିଲେ। ସାଧାରଣ ବିଜ୍ଞାନ ବିଷୟରେ କପି କରି ୨୩୧ ଜଣ ଛାତ୍ରଛାତ୍ରୀ ଧରାପଡ଼ିଥିଲେ। ସେହିପରି ଇଂରାଜୀ ବିଷୟରେ ୧୧୦ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ି ଥିଲେ।

ନୟାଗଡ଼ରେ ୨ ଜଣ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳି ନଥିଲା। କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ବିରିବୋଲେଇ ପରୀକ୍ଷା କେନ୍ଦ୍ରରେ କପି କରିବାକୁ ନେଇ ଅଭିଭାବକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ମନେଇପାଦ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଉତ୍ତେଜନା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର