ଆସନ୍ତା ୨୬ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: ଆସନ୍ତା ମେ ୨୬ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ | ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାଟ୍ରିକ ଖାତା ଦେଖା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି | ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ୍-୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତା ଏବଂ ସଚେତନତାକୁ ବଜାୟ ରଖି ଆସନ୍ତା ୨୬ରୁ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି।

ଖାତାଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ କରୋନା ପାଇଁ ଖାତାଦେଖାରେ ବିଳମ୍ବ ହୋଇଛି । ଗତ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବାତ୍ୟା ପାଇଁ ପୁଣି ଖାତା ଦେଖାକୁ ସ୍ଥଗିତ ରଖାଯାଇଥିଲା । ତେବେ ଖୁବ ଶୀଘ୍ର ଖାତାଦେଖା ସରିବା ସହ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର