ରାଉରକେଲା: ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍‌ମେଟିଭ୍‌ ଆସେସ୍‌ମେଣ୍ଟ୍‌-୧ ପରୀକ୍ଷା ଆରମ୍ଭ ହୋଇଯାଇଛି। ଏବର୍ଷ ଜିଲ୍ଲାର ୪ଶହ ଟି ହାଇସ୍କୁଲର ମୋଟ୍‌ ୨୫,୯୯୭ ଜଣ ପରୀକ୍ଷାର୍ଥୀ ଅଛନ୍ତି। ତେବେ କୌଣସି କାରଣରୁ ଆଜି ପ୍ରଥମ ଦିନରେ ୨୩୨୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଅର୍ଥାତ୍‌, ଆଜି ‌ମୋଟ୍‌ ୨୩,୬୬୮ ଜଣ ପରୀକ୍ଷା ଦେଇଥିଲେ। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ବିଷୟବସ୍ତୁ ପରୀକ୍ଷା ଦେଇଥିଲେ।

Advertisment

କୋଭିଡ୍‌ କଟକଣା ଭିତରେ ଆଜି ପରୀକ୍ଷା ପରିଚାଳିତ ହୋଇଥିଲା। ଇସ୍ପାତ ସହରର ୩ଟି ନୋଡାଲ ସେଣ୍ଟର୍‌, ଯଥା- ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୨୦ ଏନ୍‌ଏସିଏସ୍‌ଟି ଉଚ୍ଚବିଦ୍ୟାଳୟ ଓ ସେକ୍ଟର-୧୮ ସ୍ଥିତ ବିବେକାନନ୍ଦ ଶିକ୍ଷାସଦନରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା। ଏହାସହ ପରୀକ୍ଷା କେନ୍ଦ୍ରରେ ମଧ୍ୟ କୋଭିଡ୍‌ ନିୟମର କଡ଼ା ପାଳନ କରାଯାଇଥିଲା।

ପରୀକ୍ଷାର୍ଥୀମାନେ ଢ଼େର୍‌ ଆଗରୁ କେନ୍ଦ୍ରରେ ପହଞ୍ଚିଲାପରେ ସମସ୍ତେ ହାତ ବିଶୋଧନ, ମାସ୍କ ପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରିଥିଲେ। ସୂଚନାଯୋଗ୍ୟ, ଜିଲ୍ଲାର ୧୨୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ରଖିବାକୁ ୨୦ଟି ନୋଡାଲ ସେଣ୍ଟର୍‌ କରାଯାଇଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ କହିଛନ୍ତି, ପରୀକ୍ଷା ପରିଚାଳନାରେ ସର୍ବାଧିକ ଯତ୍ନ ନିଆଯାଉଛି। ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ହେଉଛି ଆମର ମୂଳ ଉଦ୍ଦେଶ୍ୟ। ଏଥିପାଇଁ ଶତ ପ୍ରତିଶତ ସତର୍କତା ଅବଲମ୍ବନ କରାଯିବାସହ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ପ୍ରଥମ ଦିନରେ ଜିଲ୍ଲାସାରା ସୁରୁଖୁରୁରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ମଧ୍ୟ ଏହି କଡ଼ା ବ୍ୟବସ୍ଥା ଜାରି ରହିବବୋଲି ଶ୍ରୀ ପ୍ରଧାନ କହିଥିଲେ।