ପୁରୀ: ମାଟ୍ରିକ ପରୀକ୍ଷାରେ ଜଣେ ଛାତ୍ରୀ ମୋବାଇଲ୍ ଫୋନ୍ ନେବା ଘଟଣା ସଂପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ପରୀକ୍ଷା ନିରୀକ୍ଷକ(ଇନ୍ଭିଜିଲେଟର)ଙ୍କୁ ମହଙ୍ଗା ପଡ଼ିଛି। ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ଦୁଇଜଣ ଇନ୍ଭିଜିଲେଟରଙ୍କୁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ ଅନ୍ୟାଦେଶ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି। ସେହିଭଳି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ବେଳେ ଯାଞ୍ଚ ପାଇଁ ନିୟୋଜିତ ଥିବା ଦୁଇ ଜଣ ଶିକ୍ଷକଙ୍କୁ ପରୀକ୍ଷା ପରିଚାଳନା କାର୍ଯ୍ୟରୁ ବାହାର କରି ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘୋଷ କହିଛନ୍ତି, ଆଜି ନିମାପଡ଼ା ବ୍ଲକ୍ ଚାରିଛକ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଥିଲା। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ବିଦ୍ୟାଳୟକୁ ଯାଞ୍ଚ ପାଇଁ ଯାଇଥିଲେ। ଯାଞ୍ଚ ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଜଣେ ଛାତ୍ରୀଙ୍କଠାରୁ ଏକ ମୋବାଇଲ୍ ଜବତ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବା ନିଷିଦ୍ଧ ଥିବାବେଳେ ସଂପୃକ୍ତ ପରୀକ୍ଷାର୍ଥୀ ମୋବାଇଲ୍ ନେଇ ପରୀକ୍ଷା ଦେଉଥିଲେ।
ଏଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ତଥା ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ୍ତ ଚନ୍ଦ୍ର ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେହିଭଳି ଇନ୍ଭିଜିଲେଟର୍ ଦାୟିତ୍ବରେ ଥିବା ଭିଲିଗ୍ରାମ ନୋଡାଲ୍ ହାଇସ୍କୁଲ୍ର ଶିକ୍ଷୟିତ୍ରୀ ସଂଘମିତ୍ରା ଦୀକ୍ଷିତ ଓ ସୁଜାତା ସାହୁଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ତିନିଜଣଙ୍କୁ ନିମାପଡ଼ା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ପରୀକ୍ଷାର୍ଥୀଙ୍କୁ ଚେକିଂ ଦାୟିତ୍ବରେ ଥିବା ଠାକୁରପାଟଣା ରତ୍ନପିର ବିଦ୍ୟାନିକେତନର ଇତିଶ୍ରୀ ଷଢ଼ଙ୍ଗୀ ଓ ରେଂଘାଳ ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ ମହାନ୍ତିଙ୍କୁ ପରୀକ୍ଷା ପରିଚାଳନା କାର୍ଯ୍ୟରୁ ବିଦା କରାଯାଇଛି।