ମାଟ୍ରିକ ପରୀକ୍ଷା କେଳେଙ୍କାରୀର ଉଦ୍‌ବେଗଜନକ ଚିତ୍ର: ଏମାନଙ୍କ ଫର୍ମ ପୂରଣ କଲା କିଏ?

ଦିଲ୍ଲୀ, କେରଳ, ଚେନ୍ନାଇରେ ଦାଦନ ଖଟୁଛନ୍ତି ପିଲା
କିଏ ବାହା ହେଇ ଗଲେଣି ତ କିଏ ପରୀକ୍ଷା କ’ଣ ଜାଣି ନାହାନ୍ତି

କଟକ/କେନ୍ଦ୍ରାପଡ଼ା/ରାଜନଗର/ନିଆଳି/ଖୁଣ୍ଟୁଣୀ : ବର୍ଷେ, ଦେଢ ବର୍ଷ ହେଲା ବାହାର ରାଜ୍ୟକୁ ଯାଇ ଯେଉଁ ପିଲା ଶ୍ରମିକ ଭାବେ କାମ କରୁଛନ୍ତି; ସେମାନେ ମାଟ୍ରିକ ପରୀକ୍ଷା ଦେବେ ବୋଲି ଏଠି ଫର୍ମ ପୂରଣ କିଏ କଲା? ଏ ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କ ପାଖରେ ବି ଖବର ନାହିଁ। ମାଟ୍ରିକ ପରୀକ୍ଷାରେ ଏଭଳି ଚକିତ କରି ଦେଲା ଭଳି କେଳେଙ୍କାରୀ ସାମନାକୁ ଆସିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ ହାରାହାରି ୪୬ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଘଟଣା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଉଦ୍‌ବେଗଜନକ ଚିତ୍ରକୁ ଧରା ପକାଇ ଦେଇଛି। ଆହୁରି କୌତୂହଳ କଥା ହେଉଛି, ବୋର୍ଡ କର୍ତ୍ତୃପକ୍ଷଙ୍କ ମତ। ସେମାନଙ୍କର ଯୁକ୍ତି ହେଉଛି ଯେ ପ୍ରକୃତରେ କେଉଁଠି କେତେ ପିଲା ଅନୁପସ୍ଥିତ ରହିଛନ୍ତି, ସେ ଚିତ୍ର ମାଟ୍ରିକ ପରୀକ୍ଷା ସରିବା ପରେ କହିହେବ। ଏ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ଏବେ ବୋର୍ଡ ପାଖରେ ନାହିଁ। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ଥିତି ପରଖିଲା ବେଳକୁ ଯେଉଁ ତଥ୍ୟ ଆସିଛି, ସେଥିରେ ସ୍ଥାନୀୟ ଶିକ୍ଷା ବିଭାଗ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହମୁକ୍ତ ନୁହେଁ।
କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଫର୍ମପୂରଣ କରି ପରୀକ୍ଷା ଦେଉ ନଥିବା ଦିଘି ଗାଁର ବିଶ୍ବନାଥ ଦାସଙ୍କ ପୁଅ ଯଶୋବନ୍ତଙ୍କ ମା ଝରଣା କହିବା ଅନୁଯାୟୀ ପୁଅ ପ୍ଲାଏଉଡ କାରଖାନାରେ କାମ କରିବାକୁ କେରଳ ଯାଇଛି। ସେହି ଗାଁର ଲକ୍ଷ୍ମୀଧର ମଲିକଙ୍କ ପୁଅ ମନୋଜ ଚାରି ମାସ ହେଲା କେରଳର ପ୍ଲାଏଉଡ କାରଖାନାରେ କାମ କରୁଛନ୍ତି। ବସନ୍ତ ମଲିକଙ୍କ ପୁଅ ପ୍ରଶାନ୍ତ ୨ ମାସ ହେଲା ଦିଲ୍ଲୀରେ ପାଣି ପାଇପ କାମ କରୁଛି ବୋଲି ତାଙ୍କର ଆଈ ରେଖା ମଲିକ କହିଛନ୍ତି। ଶ୍ବେତ ମଳିକଙ୍କ ପୁଅ ସରୋଜ ଗାଁରେ ଅଛି। ହେଲେ ପରୀକ୍ଷା ଦେବାକୁ ଯାଉନି କି ସେ ସଂପର୍କରେ କିଛି ଜାଣିନି। ସୁଦର୍ଶନ ଦାସଙ୍କ ପୁଅ ସୌମ୍ୟରଂଜନ ମାସେ ତଳୁ ମାମୁଁ ଘରକୁ ଯାଇଛି, ଫେରିନି। ମାଟ୍ରିକ ପରୀକ୍ଷା ହେଉଛି ବୋଲି ପୁଅ ଜାଣିନି ବୋଲି ତାଙ୍କ ମାଆ କହିଛନ୍ତି।

କଟକ ଜିଲ୍ଲାର ନିଆଳି ହାଇସ୍କୁଲର ଛାତ୍ର ସାହେବ ଗାଇପାଇ ଅଢେଇ ବର୍ଷ ହେଲା ସ୍କୁଲ ମାଟି ମାଡ଼ି ନାହାନ୍ତି। ସେ ଏବେ ଇଟାଭାଟିରେ କାମ କରୁଛନ୍ତି। ମାଟ୍ରିକ୍‌ ପରୀକ୍ଷା ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ବି ନାହିଁ। ଖୁଣ୍ଟୁଣୀର ଶ୍ୟାମସୁନ୍ଦର ବିଦ୍ୟାପୀଠରେ ପରୀକ୍ଷା ଦେଉ ନଥିବା ୯ ଜଣ ଛାତ୍ରଛାତ୍ରୀଙ୍କର ଅନେକ ବର୍ଷ ହେଲା ସ୍କୁଲ ସହ ସଂପର୍କ ନାହିଁ। କିନ୍ତୁ ସେମାନଙ୍କର ଫର୍ମ ପୂରଣ ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି। ସେଥିରୁ ୨ଜଣ ଛାତ୍ରୀ ବିବାହ କରିସାରିଥିବା ବେଳେ ନନ୍ଦ ସିରକା ଚେନ୍ନାଇ ଓ ବାଆଇ ଗାଗରାଇ ବେଙ୍ଗାଲୁରରେ ରହି କାମ କରୁଥିବା ଜଣାପଡିଛି। ମାଟ୍ରିକ ପରୀକ୍ଷା କେଳେଙ୍କାରୀ ସହିତ ନାବାଳକ ବାହାର ରାଜ୍ୟରେ ଦାଦନ ଖଟିବା ଭଳି ଗୁରୁତର ସାମାଜିକ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ରେ ୨୯୧୧ ଛାତ୍ରଛାତ୍ରୀ ସମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିମଧ୍ୟରୁ ୨୬୫୧ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ୨୬୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଏହି ୨୬୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବୀଣାପାଣି ନୋଡାଲ ହାଇସ୍କୁଲ କେନ୍ଦ୍ରର ୫୧ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ବୀଣାପାଣି ନୋଡାଲ ହାଇସ୍କୁଲର ୩୧ ଜଣ ଓ ଘଡିଆମାଳ ସିଦ୍ଧେଶ୍ବର ହାଇସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସଂପର୍କରେ ଜାଣିବା ପାଇଁ ଠିକଣା ଖୋଜି ସେମାନଙ୍କ ନିକଟରେ ପହଞ୍ଚିଲା ବେଳକୁ ଜଣା ପଡିଲା ଯେ ଅଧିକାଂଶ ପିଲା ଅନେକ ଦିନ ହେଲା ସ୍କୁଲ ମାଟି ମାଡ଼ି ନାହାନ୍ତି। ବୀଣାପାଣି ନୋଡାଲ ହାଇସ୍କୁଲରେ ୧୭୦ଜଣ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ। ସେମାନଙ୍କ ମଧ୍ୟରୁ ୧୪୦ଜଣ ସମେଟିଭ ଆସେସମେଣ୍ଟ–୧ ପରୀକ୍ଷା ଦେଇଥିବା ବେଳେ ୧୩୯ଜଣ ସମେଟିଭ–୨ ଆସେସମେଣ୍ଟ ପରୀକ୍ଷା ଦେଉଛନ୍ତି। ସିଦ୍ଧେଶ୍ବର ହାଇସ୍କୁଲରେ ୧୦୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ଜଣ ସମେଟିଭ–୧ ପରୀକ୍ଷା ଦେଇଥିବା ବେଳେ ୮୯ଜଣ ସମେଟିଭ–୨ ପରୀକ୍ଷା ଦେଇଛନ୍ତି। କିନ୍ତୁ ଯେଉଁ ଛାତ୍ରଛାତ୍ରୀ ସମେଟିଭ-୧ ପରୀକ୍ଷା ଦେଇ ନାହାନ୍ତି କି ସ୍କୁଲକୁ ଆସୁ ନାହାନ୍ତି, ସେମାନଙ୍କ ଫର୍ମ ପୂରଣ କଲା କିଏ? ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକମାନେ ବି ବଡ଼ ବିଚିତ୍ର ଉତ୍ତର ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ପୂର୍ବରୁ ଫର୍ମ ପୂରଣ ପାଇଁ ଟଙ୍କା ଦେବାକୁ ପଡୁଥିଲା ଓ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସି ଫର୍ମ ଦସ୍ତଖତ କରିବାକୁ ପଡୁଥିଲା। ଏବେ ଫର୍ମ ପୂରଣ ପାଇଁ ଟଙ୍କା ଦେବାକୁ ପଡୁ ନଥିବା ବେଳେ ଛାତ୍ରଛାତ୍ରୀଙ୍କ ଦସ୍ତଖତ ବି ଆବଶ୍ୟକ ପଡୁନି। ତେଣୁ ବିଦ୍ୟାଳୟକୁ ଆଦୌ ଆସୁନଥିବା ଏବଂ ବିଦ୍ୟାଳୟରେ ନାମ ଗଡୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯାଉଛି।

କେନ୍ଦ୍ରାପଡ଼ା ଜିଲ୍ଲା କଥା ଦେଖିଲେ ପାଖାପାଖି ୧୨୦୦ପିଲା ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗର ରେକର୍ଡ କହୁଛି ଯେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ୨୦ ହଜାର ୪୩ ରେଗୁଲାର ଛାତ୍ରଛାତ୍ରୀଙ୍କ ନାଁ ପ˚ଜୀକୃତ ହୋଇଥିଲା। ମାତ୍ର ସେଥିରୁ ହାରାହାରି ଭାବେ ୧୨ଶହ ପିଲା ପରୀକ୍ଷା ଦେଉ ନାହାନ୍ତି। ସର୍ବାଧିକ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ରାଜନଗର ବ୍ଲକ୍‌ରେ ରହିଥିବା ବେଳେ ତା ପଛକୁ ମହାକାଳପଡ଼ା, ପଟ୍ଟାମୁଣ୍ତାଇ, କେନ୍ଦ୍ରାପଡ଼ା ଆଦି ବ୍ଲକ୍‌ ରହିଛି। ରାଜନଗର ବ୍ଲକ୍‌ରେ ୨୬୦ ପିଲା ପରୀକ୍ଷା ଦେଉନଥିବା ବେଳେ ମହାକାଳପଡ଼ାରେ ୨୨୧, ପଟ୍ଟାମୁଣ୍ତାଇରେ ୧୯୧ ଏବ˚ କେନ୍ଦ୍ରାପଡ଼ା ବ୍ଲକ୍‌ରେ ୧୪୭ ପିଲା ପରୀକ୍ଷା ଦେଉ ନାହାନ୍ତି।

ଜିଲ୍ଲା ଶିକ୍ଷାଧିକାରୀ ସ˚ଜୀବ ସି˚ହ କହିଛନ୍ତି ଯେ ସବୁ ପିଲା ନିଜେ ହିଁ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ପ୍ରଧାନ ଶିକ୍ଷକମାନେ ଜଣାଇଛନ୍ତି। ହେଲେ କେଉଁ କାରଣ ପାଇଁ ପରୀକ୍ଷା ଦେଲେ ନାହିଁ, ତାର କାରଣ ଖୋଜାଯିବ। କିନ୍ତୁ ୪ ମାସ/ ୬ ମାସ, ଏମିତିକି ବର୍ଷେରୁ ଅଧିକ ଦିନ ହେଲାଣି ବାହାର ରାଜ୍ୟରେ ଦାଦନ ଖଟୁଥିବା ପିଲା ଏଠି ଫର୍ମ ପୂରଣ କଲେ କେମିତି? କେଉଁ ଉଦ୍ଦେଶ୍ୟ ରଖି ଏଭଳି ମିଛ ଫର୍ମ ପୂରଣ କରାଗଲା? ସରକାରୀ ସୁବିଧା ସୁଯୋଗ ହାତେଇବା, ଅଧିକ ପିଲା ଦର୍ଶାଇ ଶିକ୍ଷକ ପଦବି ବଜାୟ ରଖିବା, ସ୍କୁଲର ସ୍ବୀକୃତି ଭଳି ଅନେକ ପ୍ରସଙ୍ଗ ଏବେ ସାମନାକୁ ଆସୁଛି। ବୋର୍ଡ ବି ଏଭଳି ବ୍ୟବସ୍ଥାରେ ୫୦ ହଜାର ପାଖାପାଖି ଛାତ୍ରଛାତ୍ରୀଙ୍କର ଅଯଥା ପରୀକ୍ଷା ପରିଚାଳନା ଖର୍ଚ୍ଚ ବୋଝ ମୁଣ୍ଡାଉଛି। ଏସବୁ ପାଇଁ କାହାକୁ ଉତ୍ତରଦାୟୀ କରାଯିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।

ବୋର୍ଡର ସଭାପତି ରମାଶିଷ ହାଜରା କିନ୍ତୁ କହିଛନ୍ତି ଯେ ଅନୁପସ୍ଥିତ ଛାତ୍ରଛାତ୍ରୀ ସଂଖ୍ୟାକୁ ନେଇ ବୋର୍ଡ ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କୁ ନକଲି ବୋଲି କହି ହେବନାହିଁ। ପରୀକ୍ଷାରେ ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ କାରଣ ବୋଲି ବୋର୍ଡ ସଭାପତି କହିଛନ୍ତି। କିନ୍ତୁ ସ୍କୁଲ ସହ ସଂପର୍କ ନ ଥିବା ଛାତ୍ରଛାତ୍ରୀଙ୍କ ନାମ ଖାତାରେ ଗଡ଼ାଇ ସେମାନଙ୍କ ନାମରେ ଫର୍ମପୂରଣ କରାଯିବା ଭଳି କିଛି ନିୟମ ରାଜ୍ୟ ସରକାର କରିଛନ୍ତି କି ବୋଲି ଏବେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର