ଫର୍ମ ପୂରଣ କରି ପିଲା ପରୀକ୍ଷା ନଦେବା ଘଟଣା: ବିଇଓମାନଙ୍କୁ ରିପୋର୍ଟ ମାଗିଲେ ଡିଇଓ

କଟକ : ଏତେ ପିଲା ଅନୁପସ୍ଥିତ ରହିଲେ କାହିଁକି? ପ୍ରତି ପିଲାର ଅନୁପସ୍ଥିତି ସଂପର୍କରେ ଠୋସ୍‌ କାରଣ କ’ଣ? ପିଲା ଏବେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି? ଏହିସବୁ ପ୍ରଶ୍ନ ଉପରେ କଟକ ଜିଲ୍ଲା ଶିକ୍ଷାଅଧିକାରୀ (ଡିଇଓ) ସମସ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହିଭଳି ରିପୋର୍ଟ ତଲବ ପରଠାରୁ ଶିକ୍ଷା ବିଭାଗରେ କମ୍ପନ ସୃଷ୍ଟି ହୋଇଛି। ସବୁ ବ୍ଲକ୍‌ରୁ ଆସିବ କେଉଁଭଳି ରିପୋର୍ଟ ଆସିବ, ତାକୁ ନେଇ ଗୁପ୍ତ ବୈଠକ ମଧ୍ୟ ଅନୁଷ୍ଠିତ ହେଉଥିବା ଜଣାପଡିଛି। ଏକାପ୍ରକାର ରିପୋର୍ଟ ପ୍ରସ୍ତୁତି ପାଇଁ ଯୋଜନା ଆରମ୍ଭ ହୋଇଥିବା ବିଶେଷସୂତ୍ରରୁ ଜଣାପଡିଛି।

କଟକ ଜିଲ୍ଲାରେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୩୦,୭୦୪ଜଣ ପିଲା ମାଟ୍ରିକ୍‌ ପରୀକ୍ଷା ଦେବାକଥା। ୨୯ହଜାରରୁ ଅଧିକ ପିଲା ଫର୍ମପୂରଣ କରିଥିବା ବେଳେ ୧୩୨୮ ପିଲା ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡିଛି। କିଏ ବେଙ୍ଗାଲୁରୁରେ ଯାଇ କାମ କରୁଛି ତ ପୁଣି କିଏ ଅନ୍ୟ କୌଣସି ରାଜ୍ୟରେ। କିଏ କାଜୁ ବଗିଚାରେ କାମ କରୁଛି ତ ଅନେକ ଝିଅ ପାଠ ଛାଡ଼ି ବିବାହ କରିସାରିଛନ୍ତି। ଜିଲ୍ଲାରେ ପରୀକ୍ଷା ‌ଦେଇ ନଥିବା ପିଲାଙ୍କ ଅବସ୍ଥା ଏଭଳି ଥିବାବେଳେ ଅନେକ ନିଜେ ଫର୍ମ ପୂରଣ କରିନାହାନ୍ତି କି ପରୀକ୍ଷା ସଂପର୍କରେ ଜାଣି ନଥିବା ମଧ୍ୟ କହିଛନ୍ତି। ଏଭଳି ସ୍ଥିତିରେ ସ୍କୁଲ ଆସୁ ନଥିବା ଓ ସଂପର୍କ ନଥିବା ପିଲାଙ୍କ ଫର୍ମ ପୂରଣ କଲା କିଏ? କେଉଁ ଆଧାରରେ ସେମାନଙ୍କ ଫର୍ମ ପୂରଣ କରାଗଲା?, ତା’ର ତଦନ୍ତ ଜରୁରୀ ହୋଇପଡ଼ିଛି। ସେହିଭଳି, କୋଭିଡ୍‌ ପାଇଁ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ୍‌ ପରୀକ୍ଷା ପାଇଁ ନୂଆ ନିୟମ ଲାଗୁ ହେଲା। ପ୍ରଥମେ ପିଲା ସମ୍ମେଟିଭ୍‌-୧ ପାଇଁ ଫର୍ମ ପୂରଣ କରିବେ ଓ ସମ୍ମେଟିଭ୍‌-୨ ପାଇଁ ପୁଣିଥରେ ଫର୍ମ ପୂରଣ କରିଥିଲେ। ଯଦି ସମ୍ମେଟିଭ୍‌-୧ ପରୀକ୍ଷା ପିଲା ଦେଇନି, ତା’ହେଲେ ସମ୍ମେଟିଭ୍‌-୨ ପରୀକ୍ଷା ପାଇଁ ସେହି ପିଲା ଯୋଗ୍ୟହେଲା କେମିତି? କେଉଁ ଆଧାରରେ ସେହି ପିଲାର ଫର୍ମ ପୂରଣ କରାଗଲା ଏଭଳି ଅନେକ ପ୍ରଶ୍ନ ଏବେ ତଦନ୍ତର ଅପେକ୍ଷା ରଖୁ୍‌ଥିବାବେଳେ ଏ ସଂପର୍କରେ ପରୀକ୍ଷା ପୂର୍ବରୁ ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା ନା ନାହିଁ ? କିଏ ଏଥିପାଇଁ ଦାୟୀ? ବିଇଓମାନଙ୍କଠାରୁ ଉତ୍ତର ମିଳିବା ପରେ ଏ ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ପିଲା କାହିଁକି ଅନୁପସ୍ଥିତ ରହିଛନ୍ତି ସେ ସଂପର୍କରେ ବିଦ୍ୟାଳୟଗୁଡିକୁ ରିପୋର୍ଟ ମଗାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାଏକ। ଅନ୍ୟପଟେ ନିଆଳି ଓ ଖୁଣ୍ଟୁଣୀ ହାଇସ୍କୁଲର ପିଲାମାନେ ରାଜ୍ୟ ବାହାରେ, ଇଟାଭାଟିରେ କାମ କରୁଥିବା ଅଥବା ବିବାହ କରିସାରିଥିବା ଖବରର ତଦନ୍ତ କରିବା ପାଇଁ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର