ମାଟ୍ରିକ ପରୀକ୍ଷା କେଳେଙ୍କାରୀ: ଯିଏ ଭୁଲ୍ କରିଛି, ତାକୁ ତଦନ୍ତ ଦାୟିତ୍ୱ

 

୮%  ପିଲା ପାଠ ଛାଡ଼ିଲେ, ସରକାର ନିରବ
ସମ୍ମେଟିଭ୍ ପରୀକ୍ଷା ନ ଦେବା ପରେ ଫର୍ମ ପୂରଣ କିପରି ହେଲା?
ସନ୍ଦେହମୁକ୍ତ ନୁହନ୍ତି ଡିଇଓ ଓ ବିଇଓ 

ଭୁବନେଶ୍ବର : ଜଣେ କି ଦୁଇ ଜଣ ନୁହନ୍ତି। ଯେତିକି ପିଲା ଫର୍ମ ପୂରଣ କରିଥିଲେ, ସେଥିରୁ ପ୍ରାୟ ୪୬ ହଜାର ପିଲା (୮%) ମାଟ୍ରିକ୍ ପରୀକ୍ଷାରୁ ଓହରିଗଲେ। ମାଧ୍ୟମିକ ଶିକ୍ଷା ବୋର୍ଡ ଇତିମଧ୍ୟରେ ଯେଉଁ ରିପୋର୍ଟ ସରକାରଙ୍କୁ ଦେଇଛି ସେଥିରେ କୁହାଯାଇଛି ଯେ ଏହି ସଂଖ୍ୟା ୪୬ ହଜାର ନୁହେଁ, ବରଂ ୪୩ହଜାର ୪୮୯ (୭.୬%)।

ହେଲେ ପରୀକ୍ଷା ଦେବା ପୂର୍ବରୁ ଏତେ ସଂଖ୍ୟକ ପିଲା ପାଠ ଛାଡ଼ିଦେବା ଘଟଣାରେ ରାଜ୍ୟ ସରକାର ଯେଭଳି ପ୍ରତିକ୍ରିୟା ପ୍ରକାଶ କରିବା, ଯେଉଁ ତତ୍ପରତା ଦେଖାଇବା କଥା ତାହା ଏଯାଏ ପରିଲକ୍ଷିତ ହୋଇନାହିଁ। ବରଂ ଯେଉଁମାନଙ୍କ ସ୍ତରରେ ଏହି କେଳେଙ୍କାରୀ କରାଯାଇଛି, ସେହିମାନଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ଲାଗି କହି ଗଣଶିକ୍ଷା ବିଭାଗର ଅଧିକାରୀମାନେ ଦୋଷ ଝାଡ଼ିଦେଇଛନ୍ତି। ଗଣଶିକ୍ଷା ବିଭାଗ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ମାଗିଛି। ସ୍ବାଭାବିକ ଭାବେ କିଛି ଜିଲ୍ଲା ଶିକ୍ଷା ଅଧିକାରୀ ଇତିମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଅନୁରୂପ ରିପୋର୍ଟ ମାଗିଛନ୍ତି ଯେ କାହିଁକି ପିଲାମାନେ ପରୀକ୍ଷା ଦେଲେନାହିଁ।

ହେଲେ ଯେଉଁ କଥାଟି ଶିକ୍ଷାବିତ୍‌ଙ୍କ ଠାରୁ ଆରମ୍ଭ କରି ଅଭିଭାବକ, ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆନ୍ଦୋଳିତ କଲାଣି, ତାହା ହେଉଛି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ପାଠପଢ଼ା ଭିତରେ ଅଛନ୍ତି ନା ନାହିଁ? ବିଇଓ ଏବଂ ଡିଇଓ ଜାଣିପାରିଲେନି କେମିତି? କୋଭିଡ୍ ପରେ ଯେତେବେଳେ ସବୁକିଛି ସ୍ବାଭାବିକ ହେଲା, ସେମାନେ ଏ ପିଲାମାନଙ୍କ ସଂପର୍କରେ ତଥ୍ୟ ହାସଲ କରିଥିଲେ ନା ନାହିଁ? ଯେଉଁ ପିଲାମାନେ ବିଦ୍ୟାଳୟକୁ ଆସିଲେ ନାହିଁ, ସେ ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା?

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ପିଲାମାନେ ଏବେ ପରୀକ୍ଷାରୁ ଦୂରେଇ ରହିଲେ, ଗତବର୍ଷ ଏହି ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ସାଇକେଲ୍ ବାବଦ ଅର୍ଥ ଦିଆଯାଇଥିବା ଅନୁସନ୍ଧାନ ବେଳେ ଜଣାପଡିଛି। କିଛି ପିଲା ଏକଥା ସ୍ବୀକାର ବି କରିଛନ୍ତି। ଅର୍ଥାତ୍ ସେମାନେ ବିଦ୍ୟାଳୟ ସହିତ ଯୋଡି ହୋଇଥିଲେ। ଦ୍ବିତୀୟ ପ୍ରଶ୍ନଟି ହେଲା; ଏହି ପିଲାମାନେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାର ଆଦ୍ୟ ପର୍ଯ୍ୟାୟ ବା ପ୍ରଥମ ସମ୍ମେଟିଭ୍ ପରୀକ୍ଷା ଦେଇଥିଲେ ନା ଦେଇନଥିଲେ? ଅନୁସନ୍ଧାନରୁ ଜଣାପଡୁଛି ଯେ ଏମାନେ ପ୍ରଥମ ସମ୍ମେଟିଭ୍ ପରୀକ୍ଷାରୁ ବିରତ ରହିଛନ୍ତି। ଯଦି ଏହା ସତ, ତେବେ ସେମାନଙ୍କର ଫର୍ମ କିଏ ପୂରଣ କଲା? ବିନା ପଇସାରେ ଫର୍ମ ପୂରଣ ହେବ ବୋଲି, ଯେଉଁ ପିଲା
ପ୍ରଥମ ସମ୍ମେଟିଭ୍ ଦେଇନାହିଁ ତାକୁ ସାମିଲ କରିବାର ନିଷ୍ପତ୍ତିଟି ସରକାରଙ୍କ କେଉଁସ୍ତରରେ ନିଆଯାଇଥିଲା? ଯଦି ନା’; ଏହି ସାଂଘାତିକ ଘଟଣାଟି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ବିଇଓ ଓ ଡିଇଓ ଆଣିଥିଲେ ନା ନାହିଁ? କାହିଁକି ଓ କାହା ସ୍ବାର୍ଥରେ ଏହି ରିପୋର୍ଟକୁ ଚାପିଦିଆଗଲା?

କେବଳ ସେତିକି ନୁହେଁ, ଏସବୁ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି କି ଉଦ୍ୟମ ହେଲା ଓ ସେ ଦାୟିତ୍ବଟି ବିଇଓ ଓ ଡିଇଓ କାହା ଉପରେ ନ୍ୟସ୍ତ କରିଥିଲେ?
ଦ୍ବିତୀୟ ସମ୍ମେଟିଭ୍‌ରେ ପିଲାମାନେ ଅନୁପସ୍ଥିତ ରହିଲେ, ତଥାପି କର୍ତ୍ତୃପକ୍ଷ ଚେତିଲେନି? ତେବେ ଏହି ପିଲାମାନଙ୍କୁ କିଭଳି ପାସ୍ କରିବା ଲାଗି ରାସ୍ତା କଢ଼ାଯାଉଥିଲା? ଏହା ଆଉ ଏକ ବିଶାଳ କେଳେଙ୍କାରୀ ଆଡ଼କୁ ଇଙ୍ଗିତ କଲାଣି।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ନିରବ ରହି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା ସଂସ୍କାର ବ୍ୟବସ୍ଥାକୁ କୁଠାରଘାତ କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲ କହିଲେଣି। ଶିକ୍ଷାବିତ୍‌ ମାନଙ୍କର କହିବା କଥା ଯେ କାରଣ ଯାହା ହୋଇଥାଉନା କାହିଁକି ୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ପୂର୍ବରୁ ପାଠ ଛାଡ଼ିଦେବା ଘଟଣାକୁ କେହି ହାଲକା ଭାବେ ନେଇପାରିବେ ନାହିଁ। କାରଣ ପରୀକ୍ଷା ଫଳ ପ୍ରକାଶ ପରେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନଥିବେ ଓ ତା’ ପରେ ପାଠକୁ ମୁହଁ ମୋଡ଼ିବେ, େସମାନଙ୍କ ସଂଖ୍ୟାକୁ ମିଶାଇଲେ ଯେଉଁ ଚିତ୍ର ସାମ୍ନାକୁ ଆସିବ, ତାହା ଲକ୍ଷେ ଛୁଇଁଯାଇପାରେ। ଅର୍ଥାତ୍ ୨୦ ପ୍ରତିଶତ ଛାତ୍ରଛାତ୍ରୀ ଯଦି ହାଇସ୍କୁଲ ସ୍ତରରୁ ପାଠରୁ ଦୂରେଇଯାଉଛନ୍ତି, ତେବେ ଆମ ଶିକ୍ଷା ବ୍ୟବସ୍ଥାଟି କେଉଁଆଡେ ଯାଉଛି, ସର୍ବୋପରି ସ୍ମାର୍ଟ କ୍ଲାସ୍, ଚିକ୍ ଚିକ୍ ଶ୍ରେଣୀ କକ୍ଷ କାହା ପାଇଁ କରାଯାଉଛି, ତାହା ସଂପର୍କରେ ମନ୍ତ୍ରୀ ଓ ସଚିବ ଆଉଥରେ ଚିନ୍ତା କରିବା କଥା।

ଅନ୍ୟ ଗୋଟିଏ ମହଲର ମତ ହେଉଛି, ଏହି ଘଟଣାରେ ସରକାର ଏଯାଏ କୌଣସି ବିଇଓ ଏବଂ ଡିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ସୂଚାଇ ଦେଉଛି ଯେ ପାଠପଢା ସୁପରିଚାଳନା ବ୍ୟବସ୍ଥାଟି ତୃଣମୂଳସ୍ତରରେ ଘୁଣ ଲାଗିଗଲାଣି। ସରକାରଙ୍କ ଯୋଜନା ପିଲାଙ୍କ ପାଖରେ ପହଞ୍ଚୁଥିବା କଥା କୁହାଯାଉଛି। ଅଥଚ ଯେଉଁଥିପାଇଁ (ପରୀକ୍ଷା ସାମ୍ନା କରିବା) ଏହି ଯୋଜନା ସବୁ ଉଦ୍ଦିଷ୍ଟ ତାହା ଫଳବତୀ ହେଉନାହିଁ। ଅର୍ଥାତ୍ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଠିକ୍ ଢଙ୍ଗରେ ଚାଲୁନାହିଁ, ତାହା ଆଉ ଅବୁଝା ରହିବା କଥା ନୁହେଁ। ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ ସାମ୍ନାକୁ ଆସି ଉତ୍ତରଦାୟିତ୍ବ ନ୍ୟସ୍ତ କରିବା ଦରକାର ଯେ କାହାର ତ୍ରୁଟି ବା କେଉଁ ସ୍ତରରେ ଅବହେଳା ଲାଗି ଏତେ ସଂଖ୍ୟକ ପିଲା ପରୀକ୍ଷାରୁ ଓହରିଯାଇଛନ୍ତି।

ଉଲ୍ଲେଖଥାଉକି, ପିଲାଙ୍କୁ ସ୍କୁଲ ସହ ଯୋଡି ରଖିବା ଲାଗି ପ୍ରାଥମିକସ୍ତରରୁ ଅଷ୍ଟମ ଶ୍ରେଣୀ ଯାଏ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ପିଲାଟି ଯଦି ବଡ ହୋଇ ନବମ-ଦଶମ ଶ୍ରେଣୀରେ ପାଠ ଛାଡୁଛି, ତାହାର ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ହେବା ଦରକାର, ଯାହା ଏଯାଏ ଗଣଶିକ୍ଷା ବିଭାଗ କରିନାହିଁ।

ସମ୍ବନ୍ଧିତ ଖବର