ମାଟ୍ରିକ୍‌ ପରୀକ୍ଷା କେ‌ଳେଙ୍କାରୀ: କୁଆଡ଼େ ଗଲେ ୪୬ ହଜାର ପିଲା

ମିଛ ନାଁରେ ପଞ୍ଜୀକରଣ କରି ସରକାରୀ ସୁବିଧା, ସ୍ବୀକୃତି ହାତେଇବା ଯୋଜନା

କଟକ/ରାଜନଗର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣା ରାଜ୍ୟରେ ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ବଡ଼ଧରଣର କେଳେଙ୍କାରୀକୁ ଧରାଇ ଦେଇଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ସରକାରୀ ସୁବିଧାସୁଯୋଗ ପାଇବା, ସ୍କୁଲ୍‌ର ସ୍ବୀକୃତି ବଜାୟ ରଖିବା ଉଦ୍ଦେଶ୍ୟରେ ମିଛ ନାମ ପଞ୍ଜୀକରଣ କରି ଫର୍ମ ପୂରଣ କରାଯାଇଥିବା ସନ୍ଦେହ କରାଯାଉଛି। ଯେତିକି ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ, ସେମାନଙ୍କ ମଧ୍ୟରୁ କାହିଁକି ୧୦ ପ୍ରତିଶତ ପାଖପାଖି ଛାତ୍ରଛାତ୍ରୀ ପରୀକ୍ଷା ଦେଉ ନାହାନ୍ତି? ସେ ସଂପର୍କରେ ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ଅନ୍ୟପଟେ ଏହି ଛାତ୍ରଛାତ୍ରୀମାନେ ସମ୍ମେଟିଭ୍ ଆସେସମେଣ୍ଟ୍-୧ ପରୀକ୍ଷା ଦେଇ ନଥିଲେ ବି କିଭଳି ସମ୍ମେଟିଭ୍ ଆସେସମେଣ୍ଟ୍-୨ ପରୀକ୍ଷା ପାଇଁ ଫର୍ମପୂରଣ କଲେ ଏବଂ ପରୀକ୍ଷାରୁ ଅନୁପସ୍ଥିତ ରହିଲେ, ତାହାକୁ ନେଇ ବି ପ୍ରଶ୍ନ ଉଠୁଛି। ଏଭଳି ଘଟଣା ଏବେ ରହସ୍ୟଜନକ ହୋଇ ପଡ଼ିଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ହେଲେ ବ୍ୟବସ୍ଥାର ଗୁମର ଫିଟିବ ବୋଲି କୁହାଯାଉଛି।

ତଥ୍ୟ ଅନୁଯାୟୀ ଏଯାଏ ଶେଷ ହୋଇଥିବା ମାଟ୍ରିକର ୩ଟି ବିଷୟ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଗୋଟିଏ ଗୋଟିଏ ସ୍କୁଲରେ ତ ୩୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉନାହାନ୍ତି। ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଏ ସଂପର୍କରେ ଯୋଗାଯୋଗ କଲେ ଉତ୍ତର ମିଳୁଛି ଯେ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି। ଅନେକଙ୍କ ଠିକଣା ବି ଏବେ ମିଳୁନି। ତେବେ ଏଭଳି ପିଲାଙ୍କ ପାଇଁ ଫର୍ମପୂରଣ କଲା କିଏ? ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଆବଶ୍ୟକ ସ୍ତରରୁ କମ ରହିବା, ସରକାରୀ ସ୍ତରରେ ଲକ୍ଷ୍ୟଧାର୍ଯ୍ୟ କରାଯିବା ଭଳି କାରଣରୁ ପିଲାଙ୍କର ନାମ ପଞ୍ଜୀକରଣ କରାଯାଇ ସେମାନଙ୍କ ପାଇଁ ଫର୍ମପୂରଣ କରାଯାଉଥିବା ଜଣାପଡ଼ିଛି।
କଟକ ଜିଲ୍ଲାରେ ହଜାରେରୁ ଅଧିକ ପିଲା ଅନୁପସ୍ଥିତ ରହିଛନ୍ତି। ବିଶେଷକରି ଡମପଡା, ନରସିଂହପୁର, ସାଲେପୁର, ଆଠଗଡ଼ ଓ ତିଗିରିଆ ବ୍ଲକ୍‌ ଅଞ୍ଚଳରେ ଏହି ସଂଖ୍ୟା ଅଧିକ। ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କୁ ଖୋଜିଲା ବେଳକୁ ସେମାନଙ୍କ ଫର୍ମ ପୂରଣରେ ଯେଉଁ ଠିକଣା ରହିଛି ସେହି ଠିକଣାରେ ସେମାନେ ନାହାନ୍ତି।

ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି ବୋଲି ମିଳୁଛି ଉତ୍ତର

DNA India

ଜଣେ ବରିଷ୍ଠ ଶିକ୍ଷକ ଯେଉଁ ସୂଚନା ଦେଇଛନ୍ତି, ତାହା ଶିକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ମାଟ୍ରିକ ଫର୍ମ ପୂରଣ ପାଇଁ କୌଣସି ଦେୟ ଦେବାକୁ ପଡୁନି। କେଉଁ ପିଲା ଫର୍ମ ପୂରଣ କରିପାରିବେ, କିଏ କରିପାରିବେନି ସେ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ବି ନାହିଁ। ଫଳରେ ସ୍କୁଲର ସ୍ବୀକୃତି ପାଇଁ ଆବଶ୍ୟକ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଡମିସନ୍‌ ରେଜିଷ୍ଟରରେ ଉଲ୍ଲେଖ କରାଯାଉଛି ଏବଂ ସମସ୍ତଙ୍କ ନାମରେ ଫର୍ମ ପୂରଣ କରି ଦିଆଯାଉଛି। ଫଳରେ ବିଦ୍ୟାଳୟରେ ଯଦି ୫୦ଜଣ ପିଲାଙ୍କ ନାମ ଆଡମିସନ୍‌‌ ଖାତାରେ ରହିଛି ସେଥିରୁ ୩୦ ପିଲା ଆସୁଥିବା ବେଳେ ୨୦ ପିଲା ଆସୁନାହାନ୍ତି। ବିଭିନ୍ନ ସରକାରୀ ସୁବିଧା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଆସୁଥିବା ବେଳେ ସେଥିରେ ବି ବଡ଼ ଧରଣର କେଳେଙ୍କାରୀ ହେଉଛି। ଆଠଗଡ଼ ବିଇଓ ବିଜୟଲକ୍ଷ୍ମୀ ସାମଲ କହିବା ଅନୁଯାୟୀ ଯେଉଁ ପିଲାମାନେ ନିୟମିତଭାବେ ସ୍କୁଲକୁ ଆସନ୍ତିନି ସେମାନେ ହିଁ ଅନୁପସ୍ଥିତ ରହିଛନ୍ତି। କିନ୍ତୁ ଫର୍ମ ପୂରଣ ସମୟରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ସେମାନଙ୍କର ଫର୍ମ ପୂରଣ କରି ଦାଖଲ କରିଛନ୍ତି। ସ୍କୁଲ ଆସୁ ନଥିବା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ କେଉଁ ଉଦ୍ଦେଶ୍ୟରେ ସଂପୃକ୍ତ ସ୍କୁଲ ପକ୍ଷରୁ କରାଯାଇଛି, ତାହା ‌ଏବେ ତଦନ୍ତ ସାପେକ୍ଷ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବୀଣାପାଣି ନୋଡାଲ ହାଇସ୍କୁଲରେ ଚଳିତ ବର୍ଷ ୩୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ଏ ସଂପର୍କରେ ସ୍କୁଲର ଶିକ୍ଷକ କ୍ଷୀତିଶ କୁମାର ପାତ୍ରଙ୍କୁ ପଚାରିବାରୁ ସେମାନଙ୍କ ମଧ୍ୟରୁ ଅନେକ କାମ କରିବାକୁ ବାହାର ରାଜ୍ୟକୁ ଚାଲି ଯାଇଛନ୍ତି ବୋଲି କହିଛନ୍ତି। ବାହାର ରାଜ୍ୟକୁ ଚାଲି ଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ କିଏ ଫର୍ମ ପୂରଣ କଲେ, ସେ ଉତ୍ତର ତାଙ୍କ ପାଖରେ ନାହିଁ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ହୁଏତ ଗଣଶିକ୍ଷା ବିଭାଗର ଗୁମର ଖୋଲିବ ବୋଲି ମତ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ ଚଳିତ ବ‌ର୍ଷ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି।

ସମ୍ବନ୍ଧିତ ଖବର