ମାଟ୍ରିକ୍‌ ପରୀକ୍ଷା ବିଭ୍ରାଟ: ଉତ୍ତର ଲେଖି ଧରାପଡ଼ିଲେ ପ୍ରଧାନଶିକ୍ଷକ

ସୋହେଲା: ଗତ ୫ତାରିଖ ମାଟ୍ରିକର ଇଂରାଜୀ ପରୀକ୍ଷା ଦିନ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ମଧୁପୁର ପରୀକ୍ଷା କେନ୍ଦ୍ରରେ ପିଲାଙ୍କ  ପାଇଁ  ଉତ୍ତର ପ୍ରସ୍ତୁତ କରୁଥିବା ସୀମାନ୍ତ ପଣ୍ଡକିପାଲି ଆଂଚଳିକ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ କ୍ଷମାନିଧି ବାରିକ ସ୍କ୍ବାର୍ଡ  ହାତରେ ଧରା ପଡ଼ିଥିବା ଚର୍ଚ୍ଚା ହେଉଛି। କିନ୍ତୁ ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ବଦଳରେ ଘଟଣାକୁ ଚପେଇ ଦେବାକୁ ବ୍ୟାପକ ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି ।  ମଧୁପୁର ଖ୍ରୀଷ୍ଟଜ୍ୟୋତି ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମଧୁପୁର ଓ ପଣ୍ଡକିପାଲି ଆଂଚଳିକ ହାଇସ୍କୁଲ ପିଲା ପରୀକ୍ଷା ଦେଉଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥାଇ ପିଲାଙ୍କ ପାଇଁ  ପରୀକ୍ଷା ଚାଲିଥିବା କୋଠରୀ ଭିତରେ ଉତ୍ତର ପ୍ରସ୍ତୁତ କରୁଥିଲେ। ତେବେ ସ୍କାର୍ଡ ହାତରେ ଧରା ପଡ଼ିଥିଲେ। ସ୍କ୍ବାର୍ଡ ଅଧିକାରୀମାନେ ତାଙ୍କ ନିକଟରୁ ଉତ୍ତର ପୁସ୍ତିକା, ଏକ ମୋବାଇଲ ଓ କିଛି ଆପତ୍ତିଜନକ କାଗଜପତ୍ର ଜବତ କରିଥିଲେ । ତୁରନ୍ତ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଅର୍ଚ୍ଚନା ପାତ୍ରଙ୍କୁ ତୁରନ୍ତ ସେଠାରୁ ଅପସାରଣ କରିଥିଲେ। ଘଟଣାକୁ ଦୁଇଦିନ ବିତିଛି ଏବଂ ଆଜି ପରୀକ୍ଷା ପରୀକ୍ଷା ସରି ଯାଇଥିବା ବେଳେ ଏହି ଘଟଣାକୁ ଶିକ୍ଷା ବିଭାଗ ଚପେଇ ଦେବାକୁ ଉଦ୍ୟମ କରୁଛି।

ଚଢଉରେ ସାମିଲ ଥିବା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ପଚରା ଯିବାରୁ ସେ ମାମଲା ସଂପର୍କରେ ଆଜି କହି ପାରିବେ ନାହିଁ ବୋଲି କହି ଫୋନ୍‌ କାଟି ଦେଇଥିଲେ। ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷକ ଅତୀଶ ଭୋଇ, ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ଅମ୍ରିତା ସାହୁଙ୍କୁ ଯୋଗାଯୋଗ କରାଯିବାରୁ ଦୁହେଁ ଫୋନ୍‌ ଉଠାଇନଥିଲେ। କିଛି ମାସ ଆଗରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକ ପରୀକ୍ଷା ସମୟରେ ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କିଛି ପରୀକ୍ଷାର୍ଥୀଙ୍କୁ ସଂପୃକ୍ତ ଶିକ୍ଷକ ଉତ୍ତର ଡାକି ଦେଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ମାମଲାକୁ ଶିକ୍ଷା ବିଭାଗ ହାଲୁକା ‌ଭାବେ ନେଇଥିଲା।

ସମ୍ବନ୍ଧିତ ଖବର