ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ଦେବାକୁ ନିର୍ଦେଶ
କରୋନା ଓ ଓଡ଼ିଶାର ଦାରିଦ୍ର୍ୟ ଦାୟୀ: ଓଷ୍ଟା
ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାରେ କେତେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି? ସେମାନେ କାହିଁକି ପରୀକ୍ଷା ଦେଲେ ନାହିଁ? ପାରିବାରିକ ସମସ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି? ପିଲା ନିଜେ ଫର୍ମ ପୂରଣ କରିଛନ୍ତି ନା ତାଙ୍କ ପାଇଁ ଆଉ କିଏ କରିଛନ୍ତି? ଏଭଳି ପ୍ରସଙ୍ଗକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ତୃଣମୂଳସ୍ତରରୁ ଖୋଲତାଡ଼ ଆରମ୍ଭ ହୋଇଛି। ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରତିଟି ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ବିଦ୍ୟାଳୟ କର୍ତୃପକ୍ଷ ଅଲଗା ଅଲଗା କରି ଦାଖଲ କରିବାକୁ କୁହାଯାଇଛି। କେଉଁ କାରଣ ଲାଗି ପିଲା ପରୀକ୍ଷାରେ ଭାଗ ନେଲେ ନାହିଁ ତାହାର ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ପାଇବା ପରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ ପ୍ରଧାନଶିକ୍ଷକମାନଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଯେତେଶୀଘ୍ର ସମ୍ଭବ ପିଲାଙ୍କ ଅନୁପସ୍ଥିତିର ତଥ୍ୟ ଗୁଗୁଲ ଫର୍ମରେ ଦେବାକୁ କୁହାଯାଇଛି।
ଏଥିରେ ଜିଲ୍ଲା, ବ୍ଲକ, ସ୍କୁଲର ନାମ, ସ୍କୁଲର ୟୁଡିଆଇଏସ୍ଇ କୋଡ୍, ପ୍ରଧାନଶିକ୍ଷକ ନାମ ଓ ମୋବାଇଲ୍ ନମ୍ବର, ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ନାମ, ରୋଲ୍ ନମ୍ବର ଆଦି ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀ ଜଣକ ଫର୍ମ ପୂରଣ କରିଥିଲେ କି ନାହିଁ? ଏଫ୍ଏ-୧, ଏଫ୍ଏ-୨, ଏଫ୍ଏ-୩, ଏଫ୍ଏ-୪ ପରୀକ୍ଷା ଦେଇଥିଲେ କି ନାହିଁ? ସମିଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ପରୀକ୍ଷାରେ ଭାଗ ନେଇଥିଲେ କି ନାହିଁ? ଏବେ ସେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ରହିଛନ୍ତି କି? ପରୀକ୍ଷାରେ ଅନୁପସ୍ଥିତ ରହିବାର କାରଣ କ’ଣ? ଆଦି ବିଷୟରେ ଜଣାଇବାକୁ ପ୍ରଧାନଶିକ୍ଷକମାନଙ୍କୁ କୁହାଯାଇଛି। ଏସ୍ଏ-୨ରେ ଅନୁପସ୍ଥିତ ଥିବା ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଫିଲ୍ ଅପ୍ କରି ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୭ ଦିନ ସମୟ ଦିଆଯାଇଥିବାରୁ ତା’ପୂର୍ବରୁ ପ୍ରଧାନଶିକ୍ଷକମାନେ ଡିଇଓମାନଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଗୋଟିଏ ପଟେ ଗଣଶିକ୍ଷା ବିଭାଗ ଖୋଲତାଡ଼ ଜାରି ରଖିଥିବା ବେଳେ ଅନ୍ୟପଟେ ଶିକ୍ଷକଙ୍କ ପାଇଁ ଆଗକୁ ବାହାରିଛି ଓଷ୍ଟା। ଚଳିତ ବର୍ଷ ୪୩ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ନ ଦେବା ଉଦ୍ବେଗଜନକ କହିବା ସହ ଏହାକୁ ଏକ ସାଧାରଣ ଘଟଣା ଓ ଏଥିପାଇଁ କେହି ଦାୟୀ ନୁହନ୍ତି। କରୋନା ଓ ଓଡ଼ିଶାର ଦାରିଦ୍ର୍ୟ ହିଁ ଏଥିପାଇଁ ଦାୟୀ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରତିବର୍ଷ ପ୍ରଥମ ଶ୍ରେଣୀରେ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି। ମଝିରେ କୌଣସି ପରୀକ୍ଷା ନ ଦେଇ ଦଶମ ଶ୍ରେଣୀ ପରୀକ୍ଷା ବେଳକୁ ସେହି ଛାତ୍ରଛାତ୍ରୀଙ୍କର ସଂଖ୍ୟା ୫.୫ ଲକ୍ଷରୁ ୬ଲକ୍ଷ ମଧ୍ୟରେ ସୀମିତ ହୋଇଥାଏ। ଅର୍ଥାତ୍ ଦାରିଦ୍ର୍ୟ ଭଳି ଅନେକ କାରଣରୁ ୨ଲକ୍ଷରୁ ଅଧିକ ପିଲା ଦଶ ବର୍ଷ ମଧ୍ୟରେ ସାଧାରଣ ଶିକ୍ଷାରୁ ବାହାରି ଯାଇଥାନ୍ତି।
ସେ ଆହୁରି ଦର୍ଶାଇଛନ୍ତି ଯେ ପ୍ରତିବର୍ଷ ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଡ୍ରପ୍ଆଉଟ୍ ହୋଇଥାନ୍ତି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ୨୦୨୦ରୁ ୨୦୨୨ ମଧ୍ୟରେ ୮ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କରୋନାର କଠିନ ସମୟ ଦେଇ ଆସିଛନ୍ତି। ବିନା ପରୀକ୍ଷାରେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରି ଦିଆଯାଇଛି। ପ୍ରତିବର୍ଷ ଯଦି ୨୦ହଜାର ଛାତ୍ରଛାତ୍ରୀ ଡ୍ରପ୍ଆଉଟ୍ ହୁଅନ୍ତି ତେବେ ଉକ୍ତ ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ୪୩ହଜାର ଡ୍ରପ୍ଆଉଟ୍ ହେବା ଏକ ଗାଣିତିକ ହିସାବ। ଏହାବାଦ୍ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଆସିବା ବାଧ୍ୟତାମୂଳକ ନଥିଲା। ଫର୍ମପୂରଣର ବ୍ୟବସ୍ଥାକୁ ସରଳୀକରଣ କରାଯାଇଥିଲା। ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ଥିବାରୁ ଆର୍ଥିକ ଅବସ୍ଥାକୁ ପୂରଣ ଲାଗି ଛାତ୍ରଛାତ୍ରୀ ନିଜର କୌଳିକ ବୃତ୍ତି କିମ୍ବା ବିଭିନ୍ନ କଳକାରଖାନାରେ କାମ କରିବା ପାଇଁ ବାହାରକୁ ଚାଲିଯାଇଥିଲେ। ଫର୍ମ ପୂରଣର ସରଳୀକରଣ ପାଇଁ ସେମାନଙ୍କ ମଧ୍ୟରୁ ପ୍ରାୟ ୩୭ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେରିଆସି ଚଳିତ ବର୍ଷ ପରୀକ୍ଷା ଦେଇଥିବା ଓଷ୍ଟା ପକ୍ଷରୁ କୁହାଯାଇଛି।