ମାଟ୍ରିକ୍‌ ପରୀକ୍ଷାର୍ଥୀ ଅନୁପସ୍ଥିତି ପ୍ରସଙ୍ଗ: ଗଣଶିକ୍ଷା ବିଭାଗର ଖୋଳତାଡ଼

ମାଧ୍ୟମିକ ଶିକ୍ଷା ପରିଷଦଠାରୁ ରିପୋର୍ଟ ତଲବ
୪୩,୪୮୯ ପିଲା ପରୀକ୍ଷା ଦେଉନାହାନ୍ତି
ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀରରେ ସ୍ଥିତି ସାଂଘାତିକ
ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ମଗାଗଲା ରିପୋର୍ଟ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଦେବାଲାଗି ଫର୍ମ ପୂରଣ କରିଥିଲେ ମଧ୍ୟ କାହିଁକି ହଲ୍‌କୁ ଆସିଲେ ନାହିଁ? ସ୍କୁଲ କର୍ତୃପକ୍ଷ ଜାଲିଆତି କରିଛନ୍ତି ନା ଏହା ପଛରେ ଆଉ କୌଣସି କାରଣ ରହିଛି? ଦୁଇଦିନ ଧରି ଲଗାତାର ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପରେ ଗଣଶିକ୍ଷା ବିଭାଗ ଖୋଳତାଡ଼ ଆରମ୍ଭ କରିଛି। କେଉଁଥିପାଇଁ ଏତେସଂଖ୍ୟକ ପିଲା ପରୀକ୍ଷାରୁ ଦୂରେଇ ରହିଲେ, ସେ ନେଇ ତୁରନ୍ତ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) କର୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଥିଲା। ପରିଷଦ କର୍ତୃପକ୍ଷ ମଧ୍ୟ ଆଜି ରାତି ସୁଦ୍ଧା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ୪୬ ହଜାର ନୁହେଁ, ବରଂ ୪୩ ହଜାର ୪୮୯ ପିଲା ପରୀକ୍ଷା ଦେଉନାହାନ୍ତି। ରେଗୁଲାରରେ ୪୨ ହଜାର ୭୦୪ ଓ ଏକ୍ସ-ରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ପରୀକ୍ଷା ଦେବାଲାଗି ଚଳିତ ବର୍ଷ ୫ଲକ୍ଷ ୭୧ହଜାର ୯୦୯ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୨୮ ହଜାର ୪୨୦ ଜଣ ପରୀକ୍ଷା ଦେଉଛନ୍ତି।

ବିଏସ୍‌ଇ ପକ୍ଷରୁ ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ୨୦୨୨ର ସମିଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ)-୨ ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ୨୦୨୦ରେ ପଞ୍ଜୀକୃତ ହୋଇଥିଲେ। ଯେତେବେଳେ କି ସେମାନେ ୯ମ ଶ୍ରେଣୀରେ ନାମ ଲେଖାଇଲେ। କରୋନା ସମୟ ସେମାନେ ନାମ ଲେଖାଇଥିବାରୁ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀଙ୍କୁ ଆମେ ଫେକ୍‌ ତଥା ନକଲି କହିପାରିବା ନାହିଁ। କରୋନା ଯୋଗୁଁ ବିଦ୍ୟାଳୟ ପ୍ରଧାନଶିକ୍ଷକମାନେ ଉପସ୍ଥାନକୁ ଠିକ୍‌ ଭାବେ ଅନୁପାଳନ କରିନାହାନ୍ତି। ଏଥିସହ ୮ମ ଶ୍ରେଣୀର ସମସ୍ତ ପିଲାଙ୍କୁ ବିନା ଯାଞ୍ଚରେ ୯ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବା ସହ ନାମଲେଖା କରାଯାଇଥିଲା। ଉତ୍ତୀର୍ଣ୍ଣ ହୋଇଥିବା କିଛିପିଲାଙ୍କ ମଧ୍ୟରୁ ହୁଏ ତ କେତେଜଣ ପାଠପଢ଼ାକୁ ଗୁରୁତ୍ବର ସହ ନେଇ ନଥିଲେ। ପ୍ରଧାନଶିକ୍ଷକମାନେ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କ ମଧ୍ୟରୁ କିଛିପିଲା ଉପଲବ୍ଧ ଅଛନ୍ତି କି ନାହିଁ, ତାହାକୁ ବିଚାରକୁ ନ ନେଇ ହୁଏ ତ ଫର୍ମପୂରଣ କରିଦେଇ ଥାଇପାରନ୍ତି। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଏବିଇଓ ଓ ସିଆସିସିଙ୍କ ଦ୍ବାରା‌ ତଦନ୍ତ କରାଗଲେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।
ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିକୁ ଗୁରୁତ୍ବର ସହ ନେଇଥିବା ଗଣଶିକ୍ଷା ବିଭାଗ ବିଏସ୍‌ଇ ରିପୋର୍ଟରେ ସନ୍ତୁଷ୍ଟ ହୋଇପାରି ନାହିଁ। ବରଂ ଆହୁରି ତନାଘନା ଜାରି ରଖିଛି। ବିଭାଗ ପକ୍ଷରୁ ଆଜି ଡିଇଓମାନଙ୍କୁ ରିପୋର୍ଟ ମଗାଯାଇଛି। ପ୍ରକୃତରେ ଯଦି ପିଲା ଅନୁପସ୍ଥିତ ଥିଲେ, ତେବେ ସେମାନଙ୍କ ଫର୍ମ ପୂରଣ କାହିଁକି କରାଗଲା। ଯେଉଁ ସମୟରେ ଫର୍ମ ପୂରଣ କରାଗଲା, ସେ ସମୟରେ ହୁଏତ ପରୀକ୍ଷାର୍ଥୀ ଅନୁପସ୍ଥିତ ଥାଇପାରନ୍ତି। ତୃଣମୂଳସ୍ତରରେ ଏଭଳି କାହିଁକି କରାଯାଇଛି, ତାହାର ତଦନ୍ତ କରି ଯେତେଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଏନେଇ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଚଳିତ ବର୍ଷ ବିନା ଫି’ରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ହୋଇଥିଲା। ଯେତେବେଳେ ଫର୍ମ ପୂରଣ କରାଗଲା ଏବଂ ବର୍ତ୍ତମାନ ସମୟ ଭିତରେ ନିଶ୍ଚିତ ଭାବେ କିଛି ପିଲା ବିଭିନ୍ନ କାରଣରୁ ପରୀକ୍ଷା ଦେଇପାରି ନଥିବେ। ଏଥିରେ ଅନ୍ୟ କିଛି କାରଣ ନାହିଁ ଯେ ଆମେ ଭାବିବୁ ପିଲାମାନେ ଜାଲିଆତି କରିଛନ୍ତି। ତଥାପି ଏ ବିଷୟରେ ନିଶ୍ଚିତ ଭାବେ ଅଧିକ ଖବର ନେବୁ।

ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ମୟୂରଭଞ୍ଜରେ ସର୍ବାଧିକ ୩୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଯେତେବେଳେ କି ଗଞ୍ଜାମରେ ୩୧୭୦, ବଲାଙ୍ଗୀରରେ ୩୦୪୪, କେନ୍ଦୁଝରରେ ୨୬୭୯, ବାଲେଶ୍ବରରେ ୨୬୧୦, କଳାହାଣ୍ଡିରେ ୨୩୦୬ ଜଣ ପରୀକ୍ଷା ଦେଉନାହାନ୍ତି। ଦେବଗଡ଼ରେ ସର୍ବନିମ୍ନ ୨୬୩ ଜଣ ପିଲା ପରୀକ୍ଷା ଦେଉ ନଥିବା ସ୍ପଷ୍ଟ କରାଯାଇଛି। ଏମିତିରେ ଗତ ୧୦ବର୍ଷର ତଥ୍ୟକୁ ଦେଖିଲେ, ପ୍ରତିବର୍ଷ ପାଖାପାଖି ୧୫ହଜାର ପିଲା ପରୀକ୍ଷା ସମୟରେ ଅନୁପସ୍ଥିତ ରହିଥା’ନ୍ତି। ୨୦୨୦ରେ ଏହି ସଂଖ୍ୟା ୨୦ ହଜାରରୁ ଅଧିକ ରହିଥିଲା। କରୋନା ଲାଗି ୨୦୨୧ରେ ସମସ୍ତ ପିଲାଙ୍କୁ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ପାସ୍‌ କରାଯାଇଥିଲା। ଏଥର ତିନି ଗୁଣ ପିଲାଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅଷ୍ଟମରୁ ସ୍କୁଲ ଯାଉ ନଥିଲେ ବି ପିଲାଙ୍କ ଦଶମ ଶ୍ରେଣୀ ଫର୍ମ ପୂରଣ କିଭଳି କରାଗଲା? ବହୁ ଦିନ ଧରି ପିଲା ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ନାଁ କଟିଯିବା କଥା। ମାତ୍ର ସ୍କୁଲ କର୍ତୃପକ୍ଷ କାହିଁକି ନିୟମ ପାଳନ କଲେନି? ସ୍କୁଲ ବନ୍ଦ ରୋକିବାକୁ କିଛି କର୍ତୃପକ୍ଷ ଏଭଳି କରିନାହାନ୍ତି ତ? ନା ଡ୍ରପ୍‌ ଆଉଟ୍‌ ରେଟ୍‌ ଲୁଚାଇବାକୁ ରାଜ୍ୟ ସରକାରଙ୍କ ଏହି କାରସାଦି?

ସମ୍ବନ୍ଧିତ ଖବର