ଆଜିଠୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏପ୍ରିଲ୍‌ ୨୯ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀ‌ଷ୍ମପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି।

ନୂଆ ସୂଚୀ ଅନୁସାରେ ସବୁ ପରୀକ୍ଷା ପ୍ରଥମ ସିଟିଂରେ ଅର୍ଥାତ୍‌ ସକାଳ ୮ଟାରୁ ୧୦ଟା ମଧ୍ୟରେ କରାଯିବାକୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ସକାଳ ୭ଟାରେ ଖୋଲିବ ଓ ଦ୍ବିତୀୟ ଦିନଠୁ ସକାଳ ୭ଟା ୧୫ରୁ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ପିଲାଙ୍କୁ ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଅର୍ଥାତ୍‌ ସକାଳ ୭ଟା ୪୫ମିନିଟ୍‌ରେ ପ୍ରଶ୍ନପତ୍ର ଦିଆଯିବ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧(ଅବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨(ସବ୍‌ଜେକ୍ଟିଭ୍) ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ।

ପ୍ରଥମ ଦିନ ୭ଟାରୁ, ଅନ୍ୟ ଦିନ ୭ଟା ୧୫ରୁ ଖୋଲିବ ପରୀକ୍ଷା କେନ୍ଦ୍ର
୭ଟା ୪୫ରେ ମିଳିବ ପ୍ରଶ୍ନପତ୍ର, ଗଣିତ ଅବଜେକ୍ଟିଭ୍ ପାଇଁ ଅତିରିକ୍ତ ୧୫ ମିନିଟ୍

କେବଳ ଗଣିତରେ ପିଲାଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ। ଗଣିତ ପାର୍ଟ-୧(ଅବ୍‌ଜେକ୍ଟିଭ୍) ସକାଳ ୮ଟାରୁ ୯ଟା ୧୫ ଓ ପାର୍ଟ-୨(ସବ୍‌ଜେକ୍ଟିଭ୍) ପରୀକ୍ଷା ୯ଟା ୧୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କେନ୍ଦ୍ରରେ ମୋବାଇଲ୍‌କୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରି‌ନ୍‌ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୭ଟା ମଧ୍ୟରେ ସମସ୍ତ ପରୀକ୍ଷା ‌କେନ୍ଦ୍ରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି।

ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ପକ୍ଷରୁ ୪ସ୍ତରୀୟ ସ୍କ୍ବାଡ୍ ଗଠନ ହୋଇଛି। ପରୀକ୍ଷା ସରିବାର ୨ଘଣ୍ଟା ମଧ୍ୟରେ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା ‌କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ବୋର୍ଡ କାର୍ଯ୍ୟାଳୟକୁ ଅନଲାଇନରେ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାଟ୍ରିକ୍ ପରୀକ୍ଷା ସୁପରିଚାଳନାରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିବାକୁ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏ ବ‌ର୍ଷ ମୋଟ ୫୮୫୭୩୦ ପରୀକ୍ଷାର୍ଥୀ ରାଜ୍ୟର ୩୫୪୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ୩୧୫ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ସାଇତି ରଖାଯାଇଛି। ଏହା ମଧ୍ୟରେ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ପରିଚାଳନାରେ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର