୩ ତାରିଖ ସୁଦ୍ଧା ମାର୍କ ଅପ୍ଲୋଡ କରିବାକୁ ଡିଇଓଙ୍କୁ ନିର୍ଦେଶ
୨୦ ମାର୍କର ଇଣ୍ଟରନାଲ ଆସେସ୍ମେଣ୍ଟ
ଭୁବନେଶ୍ବର : ନବମ ଶ୍ରେଣୀ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳ ଏବଂ ଦଶମ ଶ୍ରେଣୀର ପ୍ରାକ୍ଟିସ୍(ଅଭ୍ୟାସ) ପରୀକ୍ଷାର ମାର୍କ ଆଧାରରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନରେ ମାର୍କ ଦେବା ଲାଗି ସିବିଏସ୍ଇ ନିୟମାବଳି ଜାରି କରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି ଏଭଳି ପଦକ୍ଷେପ ନେଇଛି। ମେ' ୩ ତାରିଖ ସୁଦ୍ଧା ସ୍କୁଲଗୁଡ଼ିକ ସବୁ ପରୀକ୍ଷାର୍ଥୀଙ୍କ ନବମ ଓ ଦଶମ (ଅଭ୍ୟାସ) ପରୀକ୍ଷାର ମାର୍କ ତାଲିକା ଡିଇଓ ଅଫିସରେ ଏବଂ ମେଣ୍ଟର ସ୍କୁଲରେ ଦାଖଲ କରିବେ। ଏ ଦିଗରେ ପଦଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ଇତିମଧ୍ୟରେ କେତେକ ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚିହ୍ନଟ କରାଯାଇଛି, ଯାହା ଅଧୀନରେ ଅନେକ ସ୍କୁଲ ରହିଛନ୍ତି। ଏହି ପନ୍ଧିତିକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି କୁହାଯାଉଛି।
ପରିଷଦ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାରେ କୁହାଯାଇଛି ଯେ ଦଶମ ଶ୍ରେଣୀର ୪ଟି ବିଷୟର ପରୀକ୍ଷାର ମାର୍କକୁ ବିଚାରକୁ ନିଆଯିବ। ପ୍ରଥମ ଅଭ୍ୟାସ ପରୀକ୍ଷା ୪୦ ନମ୍ବର ଲେଖାଏଁ ହୋଇଥିଲା। ସେଥିରୁ ପରୀକ୍ଷାର୍ଥୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ଜଣାଇବାକୁ କୁହାଯାଇଛି। ସେହିପରି ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷା ୮୦ ମାର୍କ ଲେଖାଏଁ ହୋଇଥିଲା। ସେଥିରେ ଛାତ୍ରଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ଜଣାଇବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ରୋଲ୍ ନମ୍ବର, ପରୀକ୍ଷାର୍ଥୀଙ୍କ ନାମ, ସ୍କୁଲ ନାମ, ଜିଲ୍ଲା ନାମ, ମେଣ୍ଟର ସ୍କୁଲ ନାମ ଆଦି ଟାବୁଲେସନ ରେଜିଷ୍ଟରରେ ଉଲ୍ଲେଖ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଉକ୍ତ ଛାତ୍ରଛାତ୍ରୀ ବାର୍ଷିକ ଓ ଷାଣ୍ମାସିକ ପରୀକ୍ଷାରେ କେଉଁ ବିଷୟରେ କେତେ ମାର୍କ ଲେଖାଏ ପାଇଛନ୍ତି ତାହା ମଗାଯାଇଛି। ପ୍ରତି ଛାତ୍ରଛାତ୍ରୀଙ୍କ ୬ଟି ବିଷୟର ମାର୍କ ଦେବାକୁ କୁହାଯାଇଛି। ଏହାବ୍ୟତୀତ ଇଣ୍ଟରନାଲ ଆସେସ୍ମେଣ୍ଟ ୨୦ ମାର୍କ ରଖାଯାଇଛି। ବିଭିନ୍ନ ବିଷୟକୁ ଆଧାର କରି ମାର୍କ ଦେବାକୁ କୁହାଯାଇଛି। ଇଣ୍ଟରନାଲ ଆସେସ୍ମେଣ୍ଟ ମାର୍କ ୫ ପ୍ରକାରର ଦିଆଯିବ। ଆଉଟ୍ଷ୍ଟାଣ୍ଡିଂ(୯୦ରୁ ୧୦୦), ଏକ୍ସଲେଣ୍ଟ(୭୫ରୁ ୮୯), ଭେରି ଗୁଡ୍(୫୬ରୁ ୭୪), ଗୁଡ୍(୩୫ରୁ ୫୫), ସ୍କୋପ୍ ଅଫ୍ ଇମ୍ପ୍ରୁଭମେଣ୍ଟ(୩୫ ତଳକୁ)।
ସୂଚନାଯୋଗ୍ୟ ଯେ ମାଟ୍ରିକ୍ ପରୀକ୍ଷା ବାତିଲ୍କୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ବିକଳ୍ପ ମୂଲ୍ୟାୟନ ଲାଗି ପରିଷଦ ବାଟ ପାଇ ନ ଥିଲା। ବିଭିନ୍ନ ଜିଲ୍ଲାର ଶିକ୍ଷା ଅଧିକାରୀ(ଡିଇଓ)ମାନେ ସ୍କୁଲ କର୍ତୃପକ୍ଷଙ୍କଠାରୁ ଏକାଧିକ ରିପୋର୍ଟ ମାଗିଥିଲେ। କେଉଁଠି ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ କର୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ସମସ୍ତ ପ୍ରି-ଟେଷ୍ଟ ପରୀକ୍ଷାର ମାର୍କ ମାଗିଥିଲେ ତ ଆଉ କିଏ ନବମ ଶ୍ରେଣୀ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କ ଲୋଡ଼ିଥିଲେ। ତେବେ ବର୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ଆଜି ଅପରାହ୍ଣରେ ପରିଷଦର ସଦସ୍ୟମାନଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଏଭଳି ନିଷ୍ପତ୍ତି ନିଆଯିବା ସହ ୩ ତାରିଖ ସୁଦ୍ଧା ମାର୍କ ଅପଲୋଡ କରିବାକୁ କୁହାଯାଇଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସିବିଏସ୍ଇ ମୂଲ୍ୟାୟନ ପଦ୍ଧତି ଉପରେ ଆମେ ଅନୁଧ୍ୟାନ କରୁଛୁ। ବୋର୍ଡକୁ ବି ଏବିଷୟରେ କୁହାଯାଇଛି। ନବମ ଓ ଅଭ୍ୟାସ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦେବା ଲାଗି ଆପାତତଃ ସ୍ଥିର ହୋଇଛି। ତେବେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି, ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ, ଅନ୍ୟ ପରୀକ୍ଷାର୍ଥୀଙ୍କ ବିଷୟରେ ବି ବିଚାରବିମର୍ଶ କରାଯାଉଛି। ତେଣୁ ସମୟ ଲାଗୁଛି।